ରଣପୁର, ଦିନ ଦ୍ବିପ୍ରହରେ ଜନଗହଳିପୂର୍ଣ୍ଣ ବ୍ୟାଙ୍କ ଛକଠାରେ ସର୍ବସମ୍ମୁଖରେ ଜଣେ ଲୁଟେରା ଜଣେ ବରିଷ୍ଠ ନାଗରିକଙ୍କଠାରୁ ୩୦ ହଜାର ଟଙ୍କା ଝାମ୍ପି ନେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଖବର ନେବାରେ ଜଣାଯାଇଛି, ରଣପୁର ବ୍ଲକ୍‌ ଅନ୍ତର୍ଗତ ପିମ୍ପଲ ପଞ୍ଚାୟତ ଅଧୀନ ଲେମ୍ବୋଡ଼ି ଗାଁର ଜଗନ୍ନାଥ ବେହେରା (୬୬) ସ୍ଥାନୀୟ ଷ୍ଟେଟ୍ ବ୍ୟାଙ୍କରୁ ନିଜ ଇନ୍ଦିରା ଆବାସ ଯୋଜନା ଟଙ୍କା ୩୦ ହଜାର ଉଠାଇ ଏକ ବ୍ୟାଗରେ ରଖି ବାହାରକୁ ଆସିଥିଲେ। ପରେ ସେ ପାନ ଖାଇବା ପାଇଁ ବ୍ୟାଙ୍କ ସମ୍ମୁଖରେ ଥିବା ଦୋକାନକୁ ଯାଇଥିଲେ। ହେଲେ ସେଠାରେ ପୂର୍ବ ପ୍ରସ୍ତୁତି ଓ ଅନୁସରଣ କରି ଆସୁଥିବା ଜଣେ ଲୁଟେରା ଶ୍ରୀ ବେହେରାଙ୍କ ନିକଟକୁ ଆସି ତାଙ୍କ ପିନ୍ଧା ପଞ୍ଜାବୀ ସାର୍ଟରେ କିଛି ପାଣି ମିଶା ବିସ୍କୁଟ ଗୁଣ୍ତ ଫିଙ୍ଗି ଦେଇଥିଲା। ଏପରିକି ମଉସା ଆପଣଙ୍କ ସାର୍ଟରେ କାଉ ମଳତ୍ୟାଗ କରିଦେଇଛି କହିବାରୁ ତତ୍‌କ୍ଷଣାତ ଶ୍ରୀ ବେହେରା ଚିହିଁକି ଉଠି ଦେଖନ୍ତେ ହାତରେ ତାଙ୍କର କିଛି ଲାଗିଥିବା ଦେଖିଥିଲେ। ଏ ନେଇ ସେ ନିକଟସ୍ଥ ନଳକୂପକୁ ଧୋଇବା ପାଇଁ ଯାଇଥିଲେ। ହେଲେ ଲୁଟେରା ଜଣଙ୍କ ତାଙ୍କୁ ଅନୁସରଣ କରି ସେଠାରେ ପହଞ୍ଚିଯାଇଥିଲା। ତେବେ ସାର୍ଟ ସଫା କରୁଥିବା ବେଳେ କାଖରେ ଜାକି ରଖିଥିବା ବ୍ୟାଗ୍‌ଟିକୁ ଲୁଟେରା ଜଣଙ୍କ ହଠାତ୍ ଝାମ୍ପି ନେଇ ଦ୍ରୁତ ଗତିରେ ଏକ ବାଇକ୍ ଯୋଗେ ସେଠାରୁ ଖସି ପଳାଇଯାଇଥିଲା।ତେବେ ସର୍ବ ସମ୍ମୁଖରେ ଏହି ଘଟଣା ଘଟିଯାଇଥିଲେ ମଧ୍ୟ ଲୁଟେରାକୁ କେହି ଅଟକାଇବାକୁ ସାହସ କରିପାରି ନଥିଲେ। ଫଳରେ ସେ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଅପରପକ୍ଷେ ବ୍ୟାଙ୍କସ୍ଥିତ ସିସିଟିଭିରୁ ଉକ୍ତ ଲୁଟେରାର ଫଟୋକୁ ଶ୍ରୀ ବେହେରା ଚିହ୍ନିପାରି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ଠିକ୍‌ ସମାନ ଢଙ୍ଗରେ ବିସ୍କୁଟ୍‌ ପାଣି ପକାଇ ଖଣ୍ଡପଡ଼ାରେ ବ୍ୟାଙ୍କ୍‌ ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କଠାରୁ ଦୁଇ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା।