ବାଣପୁର – ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ବର ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ସମଗ୍ର ଅଞ୍ଚଳ ଶୋକାଭିଭୂତ ହୋଇପଡ଼ିଛି। ଗୋଟିଏ ଦିନରେ ଗୋଟିଏ ନିର୍ଦ୍ଦିଷ୍ଟ ପୋଖରୀରେ ଅଲଗା ଅଲଗା ସମୟରେ ବୁଡ଼ି ଦୁଇ ନାବାଳିକା ଭଉଣୀ ଓ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏନେଇ ସମଗ୍ର ବାଣପୁରରେ ଶୋକର ଛାୟା ଖେଳିଯାଇଛି। ଘଟଣାରୁ ପ୍ରକାଶ ଯେ ବାଣପୁରର ପଞ୍ଚୁଦୋଳ ଯାତ୍ରା ଦେଖିବାକୁ ସୁଦୂର ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲାର ପେଣ୍ତୁରୁଡି ଥାନା ମ୍ୟାପଖୁଣ୍ଟା ଗ୍ରାମର ମହନ ନାଗେଶ୍ବରଙ୍କ ଦୁଇ ଝିଅ ସତ୍ୟା କବିତା (୧୨) ଓ ହାରିଣୀ (୮) ନିଜ ପରିବାର ସହ ଭେଟେଶ୍ବର ଗ୍ରାମର ଖଲିଆ ସାସମଲଙ୍କ ଘରକୁ ବୁଲି ଆସିଥିଲେ। ବୁଧବାରେ ପଞ୍ଚୁଦୋଳ ଯାତ୍ରା ଦେଖି ଘରକୁ ଫେରିବା ପରେ ସତ୍ୟା ଓ ହାରିଣୀ ଅନ୍ୟ ଜଣେ ବାଳିକାଙ୍କ ସହ ଖଲିଆଙ୍କ ଘର ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ପୋଖରୀରେ ଗାଧୋଉଥିବା ବେଳେ ହଠାତ୍ ଦୁଇ ଭଉଣୀ ପାଣିରେ ବୁଡି ଯାଇଥିଲେ। ସେମାନଙ୍କୁ ବଞ୍ଚାଇବାକୁ ଯାଇ ସାଙ୍ଗରେ ଥିବା ବାଳିକା ଜଣଙ୍କ ମଧ୍ୟ ପାଣିରେ ବୁଡିଯାଇଥିଲେ। ଗ୍ରାମର କେତେକ ଲୋକ ଏହା ଦେଖି ତିନି ଜଣଙ୍କୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସତ୍ୟା ଓ ହାରିଣୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦୁଇ ଭଉଣୀଙ୍କର ମୃତ୍ୟୁ ଘଟିଥିଲା। ଗୁରୁବାରେ ମହନଙ୍କ ପରିବାର ଲୋକେ ଏମକେସିଜି ହସ୍ପିଟାଲରୁ ଦୁଇ ଭଉଣୀଙ୍କ ମୃତ ଦେହ ନେଇ ବିଶାଖାପାଟଣା ଫେରିଯାଇଛନ୍ତି। ଏ ଖବର ଗ୍ରାମରେ ପହଞ୍ଚିବା ପରେ ସଂପୂର୍ଣ୍ଣ ଗ୍ରାମ ସ୍ତବ୍ଧ ହୋଇ ପଡିଥିଲା। ଅନ୍ୟ ପକ୍ଷରେ ଗ୍ରାମର ଉମାକାନ୍ତ ସାହୁଙ୍କ ପତ୍ନୀ ହରଷ (୩୪) ବୁଧବାର ସନ୍ଧ୍ୟାରେ ଉକ୍ତ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ମାତ୍ର ତାଙ୍କ ଗୋଡ ଖସିଯିବାରୁ ସେ ଗଭୀର ପାଣି ଭିତରକୁ ପଶିଯାଇଥିଲେ। ବହୁ ସମୟ ଧରି ହରଷ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ଶେଷରେ ହରଷ ପୋଖରୀରେ ଭାସୁଥିବା ଦେଖିଥିଲେ। ତୁରନ୍ତ ହରଷଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଏକ ଅପମୃତ୍ୟୁ ମକଦ୍ଦମା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ଘଟଣାର ତଦନ୍ତ ଚଳାଇଛନ୍ତି।
ଏକା ଦିନରେ ଗୋଟିଏ ପୋଖରୀରେ ବୁଡି ୩ ମୃତ
/sambad/media/post_attachments/wp-content/uploads/2019/03/person-sinking-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)