ଅବ୍ୟବସ୍ଥାରେ ୮୭ ବର୍ଷ ପୁରୁଣା ବିଦ୍ୟାଳୟ

ନୟାଗଡ଼: ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ। ଅଧାରୁ ଆଉ କେହି ପାଠ ଛାଡ଼ିବେନି। ଶିକ୍ଷାକ୍ଷେତ୍ରରେ ଏଭଳି ଅନେକ କିଛି ପରିବର୍ତନ ଓ ଭବିଷ୍ୟତ ଗଠନର ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପାଠପଢ଼ା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ବିଦ୍ୟାଳୟରେ ସମସ୍ତଙ୍କୁ ମାଗଣା ପାଠ୍ୟପୁସ୍ତକ ସାଙ୍ଗକୁ ୟୁନିଫର୍ମ ବି ଦିଆଯାଉଛି। ତଥାପି ନୟାଗଡ଼ ଜିଲ୍ଲାରେ ଶିକ୍ଷା ବିଭାଗର ଅଧିକାରୀ, କର୍ମଚାରୀଙ୍କ ବେପରୁଆ ମନୋଭାବ ସରକାରଙ୍କ ଏହି ଭବିଷ୍ୟତ ଗଠନର ଚିନ୍ତାଧାରାରେ ପ୍ରତିବନ୍ଧକ ସାଜିଛି। ଆଜି ବି ଅନେକ ବିଦ୍ୟାଳୟ ଶୈକ୍ଷିକ ବାତାବରଣରୁ ବଞ୍ଚିତ ହୋଇଛନ୍ତି। ଯାହାର ନିଚ୍ଛକ ଉଦାହରଣ ପାଲଟିଛି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ସିନ୍ଦୁରିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟ। ଦୀପ ତଳ ଅନ୍ଧାର ଭଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ କେଇ ମିଟର ଦୂରରେ ଥିବା ସ୍ୱାଧୀନତା ପୂର୍ବର ଏହି ବିଦ୍ୟାଳୟ ବ୍ୟାପକ ଅବ୍ୟବସ୍ଥା ଦେଇ ଗତି କରୁଛି। ଶତାଧିକ ଛାତ୍ରଛାତ୍ରୀମାନେ ଏଠାରେ ଅସୁରକ୍ଷିତ ଭାବେ ପାଠ ପଢ଼ୁଛନ୍ତି।

୧୯୩୦ ମସିହାରେ ଆରମ୍ଭ ହୋଇଥିଲା ଏହି ବିଦ୍ୟାଳୟ। ସେତେବେଳେ ପ୍ରାଥମିକ ବିଦ୍ୟାଳୟରୁ ଏହାର ଶୁଭାରମ୍ଭ କରାଯାଇଥିଲା। ୧୯୬୪ ମସିହାରେ ଏହା ମଧ୍ୟ ଇଂରାଜୀ ବିଦ୍ୟାଳୟର ମାନ୍ୟତା ପାଇଲା। ପରେ ୨୦୦୩ ମସିହାରେ ନୋଡାଲ୍‌ ଓ ୨୦୦୮ ମସିହାରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ମାନ୍ୟତା ପାଇଲା। ବର୍ତମାନ ଏଠାରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପାଠ ପଢ଼ାଯାଉଥିବାବେଳେ ଛାତ୍ରଛାତ୍ରୀ ସଂଖ୍ୟା ୩୧୦। ସେହି ଅନୁସାରେ ଦେଖିଲେ ଶ୍ରେଣୀଗୃହ ବି ୧୪। କିନ୍ତୁ ଅଧାରୁ ଅଧିକ ଅସୁରକ୍ଷିିତ ଭାବେ ପଡ଼ିଛି। ୧୪ଟି ଶ୍ରେଣୀ ଗୃହରୁ ୫ଟି ଶ୍ରେଣୀଗୃହକୁ ୪/୫ ବର୍ଷ ତଳୁ ଅସୁରକ୍ଷିତ ଘୋଷଣା କରାଗଲାଣି। ଏଠାରେ ୪/୫ ବର୍ଷ ହେଲାଣି ପାଠପଢ଼ା ବି ବନ୍ଦ ହୋଇଗଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ୫ଟି ଶ୍ରେଣୀଗୃହକୁ ଭଙ୍ଗା ଯାଇନଥିବାରୁ ଏହା ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଆଉ ଦୁଇଟି ଶ୍ରେଣୀଗୃହ ଅସୁରକ୍ଷିତ ହୋଇପଡ଼ିଥିବାବେଳେ ଏଠାରେ ପାଠପଢ଼ା ବି ବନ୍ଦ ହୋଇଯାଇଛି। ଏ ସଂପର୍କରେ ବିଦ୍ୟାଳୟ ପକ୍ଷରୁ ବାରମ୍ବାର ଶିକ୍ଷା ବିଭାଗକୁ ଚିଠି କରାଯାଉଥିଲେ ବି ଏ ଦିଗରେ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିଉତ୍ତର ଆସୁନାହିଁ।

ଆଜି ପର୍ଯ୍ୟନ୍ତ ବିଭାଗ ଏହି ଦୁଇ ଶ୍ରେଣୀଗୃହକୁ ଅସୁରକ୍ଷିତ ଘୋଷଣା କରିନାହିଁ। ଆଉ ଦୁଇଟି ଶ୍ରେଣୀଗୃହରେ କମ୍ପ୍ୟୁଟର କ୍ଲାସ୍‌ ଚାଲୁଛି। ଏଠାରେ କମ୍ପ୍ୟୁଟର ସବୁ ରଖାଯାଇଛି। ଏପରି ମୋଟ ୯ଟି ଶ୍ରେଣୀଗୃହ ପାଠପଢ଼ା ପାଇଁ କାମରେ ଆସୁନଥିବାବେଳେ ମାତ୍ର ୫ଟି ଶ୍ରେଣୀଗୃହରେ ପାଠପଢ଼ା ଚାଲିଛି। ୫ଟି ଶ୍ରେଣୀଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୧୦ ଛାତ୍ରଛାତ୍ରୀ ଏକାଠି ବସି ପଢ଼ୁଛନ୍ତି। ଯେଉଁ ୫ଟି ଶ୍ରେଣୀଗୃହ ରହିଛି, ତାହାର ଅବସ୍ଥା ବି ନକହିବା ଭଲ। ଆଜବେଷ୍ଟସ୍‌ ସବୁ ଭାଙ୍ଗି କଣା ହୋଇଯାଇଥିବା ବେଳେ ସୂର୍ଯ୍ୟ, ଚନ୍ଦ୍ର ସବୁ ଦେଖାଯାଉଛି। ବର୍ଷା ହେଲେ ଶ୍ରେଣୀଗୃହରେ ପାଣି ଜମି ଯାଉଥିବାରୁ ପାଠପଢ଼ା ବି ଏକପ୍ରକାର ବନ୍ଦ ହୋଇଯାଉଛି। ସେହିପରି ବିଦ୍ୟାଳୟ ପରିସରରୁ ବର୍ଷା ଜଳ ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷା ହେଲେ ଏଠାରେ ଆଣ୍ଠୁଏ ପାଣି ଜମୁଛି। ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣିରେ ପିଲାମାନେ ପାଢ଼ ପଢ଼ିବାକୁ ଯାଉଛନ୍ତି। ଜାଗାର ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନଭୋଜନ ଖାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟରେ ଶୌଚାଳୟ ବାଧ୍ୟତକାମୂଳକ ହୋଇଥିବାବେଳେ ଏହା ଭଗ୍ନ ଅବସ୍ଥାରେ ପଡ଼ିଥିବାରୁ ଛାତ୍ରୀମାନେ ବି ଶୌଚ ପାଇଁ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏ ସଂପର୍କରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୋଦାବରୀଶ ମିଶ୍ର କହିଛନ୍ତି, ଏହି ଅବ୍ୟବସ୍ଥା ସଂପର୍କରେ ଶିକ୍ଷା ବିଭାଗର ଅଧିକାରୀଙ୍କୁ ବିଦ୍ୟାଳୟ ପକ୍ଷରୁ ବହୁବାର ଚିଠି ହେଲାଣି। ଅସୁରକ୍ଷିତ ଘରଗୁଡ଼ିକୁ ଭାଙ୍ଗି ନୂଆ ଘର କରିବାକୁ ବି ପ୍ରସ୍ତାବ ଦିଆଗଲାଣି। କିନ୍ତୁ କେହି ଏ ଉପରେ କର୍ଣ୍ଣପାତ କରୁନାହାଁନ୍ତି। ଆମେ ଅସହାୟ ଅବସ୍ଥାରେ ଅସୁରକ୍ଷିତ ଓ ଭଙ୍ଗା ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାକୁ ବାଧ୍ୟ ହେଉଛୁ ବୋଲି ସେ କହିଛନ୍ତି। ଏ ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁପ୍ରିୟା ମଲ୍ଲିକଙ୍କୁ ଯୋଗାଯୋଗ କରିଥିଲେ ବି ସେ ଫୋନ୍‌ ନଉଠାଇବାରୁ ତାଙ୍କ ମତାମତ ନେବା ସମ୍ଭବ ହୋଇନି।

ସମ୍ବନ୍ଧିତ ଖବର