୯୬ ନାବାଳିକା, ୯୫ ମହିଳା ପୀଡ଼ିତା:ନୟାଗଡ଼: ଛ’ ବର୍ଷରେ ୧୯୧ ଦୁଷ୍କର୍ମ ମାମଲା

ନୟାଗଡ଼: ନୟାଗଡ଼ରେ ଦିନକୁ ଦିନ ଦୟନୀୟ ହୋଇପଡ଼ୁଛି ମହିଳାଙ୍କ ସ୍ଥିତି। କନ୍ୟା ଭ୍ରୂଣ ହତ୍ୟା, ନାବାଳିକା ବିବାହ ଆଦି ଘଟଣାକୁ ନେଇ ସାରା ରାଜ୍ୟରେ ନୟାଗଡ଼ର ଅପଖ୍ୟାତି ରହିଥିବା ବେଳେ ଦିନକୁ ଦିନ ଜିଲ୍ଲାରେ ବଢୁଥିବା ଦୁଷ୍କର୍ମ ଘଟଣା ଜିଲ୍ଲାକୁ ଆହୁରି ନିନ୍ଦିତ କରୁଛି। ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କଠାରୁ ଆରମ୍ଭ କରି ମାନସିକ ଭାରସାମ୍ୟ ହରାଇଥିବା ଯୁବତୀ, ନାବାଳିକା ଏବଂ ବିଧବା ମହିଳା କେହି ବି ବାଦ୍‌ ପଡ଼ିନାହାନ୍ତି। ଏପରିକି ମାନସିକ ଭାରସାମ୍ୟ ହରାଇଥିବା ଯୁବତୀଙ୍କୁ ଅନ୍ତସତ୍ତ୍ୱା କରି ଦୁଷ୍କର୍ମକାରୀ ଖୋଲାରେ ବୁଲୁଥିବା ଦେଖାଯାଇଛି। ଦୁଷ୍କର୍ମ ଘଟଣା ନେଇ ନୟାଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ବେଶ୍‌ ଉଦ୍‌ବେଗଜନକ ସ୍ଥିତିରେ ଥିବା ଦେଖିବାକୁ ମିଳିଛି।
ତେବେ ଥାନାକୁ ଯେତିକି ମାମଲା ଆସୁଛି, ତା’ର ସିଂହଭାଗ ଦୁଷ୍କର୍ମ ଲୁଚି ଯାଉଥିବା ମଧ୍ୟ ଜଣାଯାଇଛି। ଏସ୍‌ପିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ମୁତାବକ ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ୨୦୧୨ରୁ ୧୮ ମଧ୍ୟରେ ୧୯୧ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏଥିରୁ ନାବାଳିକାଙ୍କ କ୍ଷେତ୍ରରେ ୯୬ଟି ମାମଲା ନଜରକୁ ଆସିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ୯୫ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି।
ଏଥିସହିତ ୨୦୧୮ ମସିହା ମଇ ମାସ ୧୫ ତାରିଖ ସୁଦ୍ଧା ବିଭିନ୍ନ ଥାନାରେ ୨୩ଟି ମାମଲା ରୁଜୁ ହୋଇଛି। ଏଥିରୁ ପୋକ୍ସୋ ଧାରାରେ ୧୬ଟି ମାମଲା ରୁଜୁ ହୋଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ୭ଟି ଦୁଷ୍କର୍ମ ଘଟିଥିବା ଜଣାଯାଇଛି।
୨୦୧୨ ମସିହାରେ ୫ ଜଣ ନାବାଳିକା ଓ ୨୧ ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ସୂଚନା ମିଳିଛି। ୨୦୧୩ ମସିହାରେ ଜିଲ୍ଲାର ବିଭିନ୍ନ ଥାନାରେ ସମୁଦାୟ ୨୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୨୧ଟି ମାମଲାର ଚାର୍ଜସିଟ୍‌ ହୋଇଥିବା ବେଳେ ୩ଟି ମାମଲାର ତଦନ୍ତ ଚାଲୁ ରହିଛି। ଏଥିରୁ ୨ଟି ମିଥ୍ୟା ଅଭିଯୋଗ ହୋଇଥିବା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଥିବା ବେଳେ ୧୪ଟି ମାମଲା ନାବାଳିକାଙ୍କ କ୍ଷେତ୍ରରେ ଓ ୧୫ଟି ମହିଳାଙ୍କୁ ଦୁଷ୍କର୍ମ ନେଇ ରୁଜୁ ହୋଇଥିବା ଜଣାପଡ଼ିଛି। ୨୦୧୪ରେ ୨୭ଟି ମାମଲାରୁ ୧୦ଟି ନାବାଳିକାଙ୍କୁ ଦୁଷ୍କର୍ମ ଓ ୧୭ଟି ମହିଳାଙ୍କୁ ଦୁଷ୍କର୍ମ ପାଇଁ ରୁଜୁ ହୋଇଥିବା ଜଣାପଡ଼ିଛି। ଏଥିରୁ ଗୋଟିଏ ମାମଲାରେ ଆସାମୀର ମୃତ୍ୟୁ ଘଟିଥିବା ବେଳେ ୪ଟି ମିଥ୍ୟା ଦୁଷ୍କର୍ମ ଅଭିଯୋଗ ବୋଲି ସୂଚନା ମିଳିଛି। ସେହିପରି ୨୦୧୫ ମସିହାରେ ସମୁଦାୟ ୩୫ଟି ଦୁଷ୍କର୍ମ ଘଟଣା ନେଇ ମାମଲା ରୁଜୁ ହୋଇଥିବା ବେଳେ ନାବାଳିକାଙ୍କ କ୍ଷେତ୍ରରେ ୨୦ଟି ଓ ମହିଳାଙ୍କ କ୍ଷେତ୍ରରେ୧୫ଟି ଦୁଷ୍କର୍ମ ଘଟଣା ଘଟିଥିବା ସୂଚନା ପ୍ରଦାନ କରାଯାଇଛି। ଏଥିରୁ ୩ଟି ମିଥ୍ୟା ଅଭିଯୋଗ ଥିବା ବେଳେ, ଆବଶ୍ୟକ ପ୍ରମାଣ ଅଭାବରୁ ଗୋଟିଏ ମାମଲାର ତଦନ୍ତ ନେଇ ବାଧା ଉପୁଜିଥିବା ଜଣାଯାଇଛି।
ବିଗତ ୬ ବର୍ଷ ମଧ୍ୟରେ ୨୦୧୬ ମସିହାରେ ସର୍ବାଧିକ ଦୁଷ୍କର୍ମ ନେଇ ୪୦ଟି ମାମଲା ରୁଜୁ ହୋଇଥିବା ତଥ୍ୟରୁ ଜଣାପଡ଼ିଛି। ଏହିବର୍ଷ ମଧ୍ୟ ସର୍ବାଧିକ ୨୫ଟି ମାମଲା ନାବାଳିକାଙ୍କୁ ଦୁଷ୍କର୍ମ ନେଇ ରୁଜୁ ହୋଇଛି। ଏଥିରୁ ୧୫ଟି ମହିଳାଙ୍କ କ୍ଷେତ୍ରରେ ଦୁଷ୍କର୍ମ ନେଇ ରୁଜୁ କରାଯାଇଛି। ୩୨ଟି ମାମଲାର ଚାର୍ଜସିଟ୍‌ ହୋଇଥିବା ବେଳେ ୫ଟି ମିଥ୍ୟା ଏତଲା ହୋଇଥିବା ସୂଚନା ମିଳିଛି। ୨୦୧୭ରେ ଦୁଷ୍କର୍ମ ନେଇ ବିଭିନ୍ନ ଥାନାରେ ୩୪ଟି ମାମଲା ଦାୟର କରାଯାଇଛି। ଏଥିରୁ ୨୨ଟି ମାମଲାରେ ନାବାଳିକାଙ୍କୁ ଦୁଷ୍କର୍ମ ନେଇ ରୁଜୁ ହୋଇଥିବା ବେଳେ ୧୦ଟି ମହିଳାଙ୍କୁ ଦୁଷ୍କର୍ମ ନେଇ ରୁଜୁ ହୋଇଥିବା ଜଣାଯାଇଛି। ସମୁଦାୟ ୩୪ ମାମଲାରୁ ଗୋଟିଏ ମିଥ୍ୟା ଅଭିଯୋଗ ଥିବା ଜଣାପଡ଼ିଛି।
ଜିଲ୍ଲାରେ ପ୍ରତିବର୍ଷ ଦୁଷ୍କର୍ମ ସଂଖ୍ୟା ବଢୁଥିବାରୁ ବୁଦ୍ଧିଜୀବୀ ମହଲରେ ଚିନ୍ତାପ୍ରକଟ କରାଯାଇଛି। କେବଳ ଦୁଷ୍କର୍ମ ନୁହେଁ ଦୁଷ୍କର୍ମ ପୀଡ଼ିତା ଅନ୍ତସତ୍ତ୍ୱା ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରିଥିବାର ନଜିର୍‌ ମଧ୍ୟ ନୟାଗଡ଼ରେ ରହିଛି। ତୁରନ୍ତ ମାମଲାର ବିଚାର କରି ଦୋଷୀଙ୍କୁ ଦଣ୍ଡ ପ୍ରଦାନ ସହ ସାଧାରଣରେ ଲୋକମାନଙ୍କ ଚାରିତ୍ରିକ ସୁଧାର ପାଇଁ ବ୍ୟାପକ ସଚେତନତାମୂଳକ ତଥା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଗଲେ ଦୁଷ୍କର୍ମ ପରି ଘଟଣାକୁ ହ୍ରାସ କରାଯାଇପାରିବ ବୋଲି ସମାଜବିଜ୍ଞାନୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର