ପକ୍ଷାଘାତ ରୋଗଗ୍ରସ୍ତ ବୃଦ୍ଧ ଦମ୍ପତିଙ୍କଠୁ ଛଡ଼େଇ ନେଲେ ଅନ୍ତ୍ୟୋଦୟ କାର୍ଡ

ନୂଆଗାଁ: ଦିନେ ଖାଇଲେ ଆଉ ଦିନକୁ ଉପବାସ। ଘରଦ୍ବାର ବୋଲି କିଛି ନାହିଁ। ଏବେ ପକ୍ଷାଘାତ ରୋଗଗ୍ରସ୍ତ ବୃଦ୍ଧ ଦମ୍ପତି ଶଢ଼ୁଥିବା ଦେଖିବାକୁ ମିଳିଛି। ଏମିତି ଅବସ୍ଥାରେ ତାଙ୍କୁ ମିଳିଥିବା ଅନ୍ତ୍ୟୋଦୟ କାର୍ଡକୁ ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଛଡ଼ାଇ ନେଇଛନ୍ତି। ସରକାରଙ୍କ ପକ୍ଷରୁ ମିଳୁଥିବା ୫ କିଲୋ ଚାଉଳ ଉପରେ ଦୁହିଁଙ୍କ ଜୀବନ ବିତୁଥିବା ଜଣାପଡିଛି। ଏଭଳି ଏକ କୋହଭରା ଘଟଣା ନୂଆଗାଁ ବ୍ଲକ୍ ବେରୁଆଁବାରୀ ପଞ୍ଚାୟତ ବେଲଦ୍ବାର ଆଦିବାସୀ ଗାଁରେ ଦେଖିବାକୁ ମିଳିଛି।
ଖବରରୁ ପ୍ରକାଶ, ନୂଆଗାଁ ବ୍ଲକ୍‌ର ଅତି ନିପଟ ଆଦିବାସୀ ବେଲଦ୍ବାର ଗ୍ରାମରେ ବାଞ୍ଛା ଯାନୀ ଏବଂ ଜୟନ୍ତୀ ଯାନୀ ଦୁହେଁ ବସବାସ କରନ୍ତି। ବାଞ୍ଛା ଯାନୀ ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯାଇଥିଲା। ସେଥିରୁ ମିଳୁଥିବା ୩୫ କିଲୋ ଚାଉଳରେ ଦୁହେଁ କିଛି ଦିନ କଷ୍ଟେ ମଷ୍ଟେ ଚଳି ଯାଉଥିଲେ। ଏମିତି କିଛିଦିନ ଯିବା ପରେ ବାଂଛା ଯାନୀଙ୍କ ଘରେ ପୂର୍ବତନ ସରପଞ୍ଚ ସୋମନାଥ ସେଠୀ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ପହଞ୍ଚି ଅନ୍ତ୍ୟୋଦୟ କାର୍ଡକୁ ଛଡ଼ାଇ ନେଇଥିଲେ ଏବଂ ସେମାନଙ୍କ ନାମରେ ୫ କିଲୋ ଚାଉଳ କରିବାକୁ କହିଥିଲେ। ଏବେ ବାଂଛା ଯାନୀଙ୍କର ଗୋଟିଏ ପଟ ଅଙ୍ଗପ୍ରତ୍ୟଙ୍ଗ କାମ ନକରିବାରୁ ସଂପୂର୍ଣ୍ଣ ଶଯ୍ୟାଶାୟୀ ହୋଇ ରହିଛନ୍ତି। ତାଙ୍କୁ ଭଲ କରିବାକୁ ସ୍ତ୍ରୀ ଜୟନ୍ତୀ ଯାନୀ ଧାର୍‌କରଜ କରି ବାହାଡ଼ାଝୋଲା ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ରୋଗରେ କିଛି ଉନ୍ନତି ପରିଲକ୍ଷିତ ନହେବାରୁ ତାଙ୍କୁ ଫେରାଇ ଆଣି ଘରେ ପକାଇ ରଖିଥିବା ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ ତାଙ୍କୁ କେବଳ ଭତ୍ତା ଆକାରରେ ୩ ଶହ ଟଙ୍କା ଦିଆଯାଉଛି। ତାଙ୍କୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ୍ କରାଯାଇନଥିବା ବେଳେ ଅନ୍ୟ କୌଣସି ସରକାରୀ ସହାୟତା ଦିଆଯାଇନାହିଁ। କେବଳ ସେତିକି ନୁହେଁ ତାଙ୍କୁ ବିଦ୍ୟୁତ୍ ଯୋଗାଇ ଦିଆଯାଇନଥିବା ବେଳେ ପାଇଖାନା ଯୋଜନାରେ ସାମିଲ୍ କରାଯାଇନଥିବା ଜୟନ୍ତୀ ଯାନୀ କହିଛନ୍ତି। ସରକାର ଅତି ଗରୀବ ଶ୍ରେଣୀର ବ୍ୟକ୍ତିମାନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ୍ କରିବାକୁ ନିୟମ କରିଥିବା ବେଳେ କେଉଁ ପରିସ୍ଥିତିରେ ଜୟନ୍ତୀ ଯାନୀଙ୍କ କାର୍ଡକୁ ତାଙ୍କଠାରୁ ଛଡ଼ାଇ ନିଆଗଲା ଏବଂ ଏହି କାର୍ଡ କାହା ସ୍ବାର୍ଥରେ ଲାଗିଲା ଏବଂ ସେ ଜୟନ୍ତୀ ଯାନୀଙ୍କଠାରୁ ଅଧିକ ଗରିବ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହାର ତଦନ୍ତ କରି ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଘଟଣାରେ ବେରୁଆଁବାରୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ବେହେରା ‘‘ମୋ ସମୟର ନୁହେଁ, ମୁଁ ଅନୁସନ୍ଧାନ କରିବା ପରେ ଯାହା କିଛି କହିବି’’ ବୋଲି କହି ଘଟଣା ନିକଟରୁ ଖସି ଯାଇଛନ୍ତି।

ସମ୍ବନ୍ଧିତ ଖବର