ପରିବେଶ ମଞ୍ଜୁରୀ ନାହିଁ, ଚାଲିଛି ଏକାଧିକ କ୍ରସର

ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଜଙ୍ଗଲ ଓ ପରିବେଶ ବିଭାଗ

ଦଶପଲ୍ଲା: ଦଶପଲ୍ଲା ତହସିଲ ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଗଢ଼ି ଉଠିଥିବା ଅନେକ କ୍ରସର୍‌ ବେଆଇନ ଭାବେ ଚାଲି ଆସୁଛି। ଅଧିକାଂଶ କ୍ରସର୍‌କୁ ପରିବେଶ ମଞ୍ଜୁରୀ ମିଳି ନଥିବା ବେଳେ ବେଧଡ଼କ ଭାବେ ଚାଲି ଆସୁଛି ଏସବୁ କ୍ରସର୍‌, ଯାହାକୁ ନେଇ ତେଣ୍ତାବାଡ଼ି ସରପଞ୍ଚଙ୍କ ଅଭିଯୋଗକୁ ଆଧାର କରି ୱାଇଏଫ୍‌ସି ଏବଂ ମା’ ଭୂଇଁଆଣୀ କ୍ରସର୍‌ର ବିଧିବଦ୍ଧ ତଦନ୍ତ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଜିଲ୍ଲାପାଳଙ୍କୁ ଏବେ ଚିଠି ଲେଖିଛି। ନୀତିନିୟମ ତଥା ଆଇନକାନୁନ୍ ଖୋଲାଖୋଲି ଜଳାଞ୍ଜଳି ଦିଆଯାଇ ଦଶପଲ୍ଲାରେ ଅନେକ ପଥରଖଣି ଚାଲି ଆସୁଥିବା ବେଳେ ସେସବୁ ପ୍ରତି ପ୍ରଶାସନିକ ସ୍ତରରେ କୌଣସି ଲଗାମ୍ ଲାଗି ପାରୁନି। ଖୋଦ୍‌ ପ୍ରଶାସନିକ ଅଧିକାରୀଙ୍କ ଆଖି ସାମ୍ନାରେ ଏସବୁ ପଥର ଖଣିଗୁଡ଼ିକ ଚାଲି ଆସୁଥିବା ବେଳେ ପୃଷ୍ଠପୋଷକ ସାଜିଛନ୍ତି କିଛି ବିଭାଗୀୟ କର୍ମଚାରୀ। ପୋଇବାଡ଼ିସ୍ଥିତ ଭାଲୁମୁଣ୍ତିଆ ଓ ମଳିକ ମୁଣ୍ତିଆକୁ ଅନେକ ପଥର ମାଫିଆ ନିଜ କବ୍‌ଜାରେ ରଖିବା ସହ ବେଆଇନ ଭାବେ ବିସ୍ଫୋରକ ବ୍ୟବହାର କରି ପାହାଡ଼ ଫଟାଇ ଚାଲିଛନ୍ତି।
ବଡ଼କଥା ହେଉଛି, ରାଜସ୍ବ ବିଭାଗ ପକ୍ଷରୁ ଯଦିଓ କିଛି ପାହାଡ଼କୁ ଲିଜ୍ ସୂତ୍ରରେ ଦିଆଯାଇଛି, ଏହାର ୧୦ ଗୁଣା ଅଂଚଳକୁ ଅନେକ ପଥର କ୍ରସର ତଥା ବଡବଡ କମ୍ପାନୀ ମାଡି ବସି ନିଜର ଅଧିକାର ଜାହିର୍ କରି ଚାଲିଛନ୍ତି। ବେଆଇନ ଭାବେ ଚାଲି ଆସୁଥିବା କ୍ରସର୍‌ ଗୁଡିକ ଦ୍ବାରା ପରିବେଶ ପ୍ରଦୂଷିତ ହେବା ସହ ସରକାରଙ୍କୁ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ହରାଇବାକୁ ପଡ଼ୁଛି। ଏଭଳି ବେଆଇନ କାର୍ଯ୍ୟକୁ ନେଇ ଗତ ଡିସେମ୍ବର ମାସରେ ତେଣ୍ତାବାଡି ପଞ୍ଚାୟତ ବୈଠକରେ ପ୍ରବଳ ହଟଗୋଳ ସୃଷ୍ଟି ହେବା ସହ ଏହାକୁ ତୀବ୍ର ବିରୋଧ କରାଯାଇଥିଲା। ବିଶେଷକରି ଦଶପଲ୍ଲାରେ ବିଦେଶାଗତ କମ୍ପାନିମାନେ ବିଭିନ୍ନ ନୀତିନିୟମ ଉଲ୍ଲଂଘନ କରି ବେଆଇନ ଭାବେ କ୍ରସର ସ୍ଥାପନ କରିବା ନେଇ ପଞ୍ଚାୟତରେ ବିରୋଧ କରାଯାଇଥିଲା। ଏହାକୁ ନେଇ ସରପଞ୍ଚ ବିଜୟିନୀ ପ୍ରଧାନ ଗତ ଡିସେମ୍ବର ୩୧ ତାରିଖ ଦିନ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଏହାର ଅଭିଯୋଗ କରିଥିଲେ। ସରପଞ୍ଚଙ୍କ ଏହି ଅଭିଯୋଗକୁ ଆଧାର କରି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି। ଜଙ୍ଗଲ ଓ ପରିବେଶ ବିଭାଗର ପତ୍ର ସଂଖ୍ୟା ୨୯୯୯/୨୨.୦୨.୨୦୧୯ ଅନୁଯାୟୀ ଜିଲ୍ଲାପାଳଙ୍କୁ ଏହାର ତଦନ୍ତ ପାଇଁ ଚିଠି ଲେଖାଯାଇଛି। ଯାହାକି ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ ୱାଇଏଫ୍‌ସି ଏବଂ ମା’ ଭୂଇଁଆଣୀ ପଥର କ୍ରସରର ବିଧିବଦ୍ଧି ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦର୍ଶାଯାଇଥିବା ଜଣାପଡ଼ିଛି। ଅନ୍ୟପାର୍ଶ୍ବରେ ମଳିକ ମୁଣ୍ତିଆରେ ଚାଲୁଥିବା ବେଆଇନ ପଥର ଖଣିଗୁଡିକ ଉପରେ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ଉ ହେବା ପରେ ଏବେ ଅଂଚଳବାସୀ ଏହାକୁ ବିରୋଧ କରିବା ସହ ସମସ୍ତ ପଥରଖଣିର ବିଧିବଦ୍ଧ ତଦନ୍ତ ଓ ଖଣି ଚୋରା ଚାଲାଣ ପଛରେ ପ୍ରଚ୍ଛଦ ଭୂମିକା ରହୁଥିବା କିଛି ରାଜସ୍ବ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର