ଦଶପଲ୍ଲା ବଂଚାଅ ମହାସମାବେଶକୁ ନେଇ ବିଜେଡିରେ ଝଡ଼

ଦଶପଲ୍ଲା: ଆସନ୍ତା ୨୫ ତାରିଖରେ ଦଶପଲ୍ଲା ହାଟପଡିଆ ଠାରେ ହେବାକୁ ଥିବା ଦଶପଲ୍ଲା ବଂଚାଅ ମହାସମାବେଶକୁ ନେଇ ଦଶପଲ୍ଲା ବିଜେଡିରେ ଫାଟ ସୃଷ୍ଟି ହୋଇଛି। ପୂର୍ବରୁ ବିଜେଡି ଦଳ ମଧ୍ୟରେ ରହିଥିବା ଅନ୍ତର୍ଦ୍ୱନ୍ଦ୍ୱ ତଥା ବିବାଦ ଏବେ ପଦାକୁ ଆସିଛି ।

ଆସନ୍ତା ୨୫ ତାରିଖ ଦିନ ବିଜେଡି ପକ୍ଷରୁ ଦଶପଲ୍ଲା ବଂଚାଅ ମହାସମାବେଶ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ଦଳୀୟ ଚିହ୍ନ ଥିବା ପୋଷ୍ଟର ସାଙ୍ଗକୁ ତୋରଣ ପ୍ରତିଷ୍ଠା ହୋଇଛି। ତୋରଣରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଟୋ ଦେଖିବାକୁ ମିଳୁଥିବା ବେଳେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଫଟୋକୁ ବାଦ୍‌ ଦିଆଯାଇଛି । ଏହାକୁ ନେଇ ଗତ ୨୧ ତାରିଖ ଦିନ ସ୍ଥାନୀୟ କୁଆଁରିଆ ଡାକ ବଙ୍ଗଳାରେ ବିଧାୟକ ଶ୍ରୀ ନାୟକଙ୍କ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଦଶପଲ୍ଲା ବଂଚାଅ ମହାସମାବେଶ ବିଜେଡି ଦଳର ନୁହେଁ । ତେବେ ଆଜି ଏହାର କଡ଼ା ଜବାବ ଦେଇଛନ୍ତି ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ।

ସୋମବାର ସ୍ଥାନୀୟ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ଓ ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ଦଶପଲ୍ଲା ବଂଚାଅ ମହାସମାବେଶ ବିଜେଡିର ହଜାର ହଜାର କର୍ମୀମାନଙ୍କ ଦ୍ୱାରା କରାଯାଉଥିବା କହିଥିବା ବେଳେ ବିଧାୟକ ରଖିଥିବା ବିବୃତି ଠିକ୍‌ ନୁହେଁ ବୋଲି କହିଛନ୍ତି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଗତ ୩ ବର୍ଷର ଶାସନ କାଳ ମଧ୍ୟରେ କୈାଣସି ଉନ୍ନତିମୂଳକ କାର୍ଯ୍ୟ ହୋଇ ନାହିଁ। ବିଧାୟକଙ୍କ ମେରୀ ରାୟ ନୀତି ଯୋଗୁଁ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ତଥା ଶୃଙ୍ଖଳା ଭୁଶୂଡ଼ି ପଡିଥିବା ଉପାଧ୍ୟକ୍ଷ କହିଥିଲେ । ଏପରିକି ବିଧାୟକଙ୍କ ଅପାରଗତା ହେତୁ ଦଶପଲ୍ଲାର ସମସ୍ତ ସରକାରୀ ଦପ୍ତର ତଥା ବ୍ଲକ , ତହସିଲ , ସ୍ୱାସ୍ଥ୍ୟକେନ୍ଦ୍ର , ଜନସ୍ୱାସ୍ଥ୍ୟ , ଥାନା ଅଧିକାରୀ ଆଦି ପଦବୀ ଦୀର୍ଘ ଦିନ ଧରି ଖାଲି ପଡିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଠପ୍‌ ହୋଇ ଯାଇଛି । ବିଧାୟକ ମୁଷ୍ଟିମେୟ ଲୋକଙ୍କ ଦ୍ୱାରା ମାତ୍ରାଧିକ ପରିଚାଳିତ ହେଉଛନ୍ତି। ଦଶପଲ୍ଲା ନିର୍ବାଚନ ମଣ୍ଡଳୀକୁ ବିଜେଡିର ଦୁର୍ଗ ବୋଲି କୁହାଯାଉ ଥିଲେ ମଧ୍ୟ ପୁରୁଖା ଦଳୀୟ କାର୍ଯ୍ୟକର୍ତା ଓ କର୍ମୀମାନଙ୍କୁ ଉପେକ୍ଷା କରାଯିବା ଫଳରେ ଏଠାରେ ବିଜେଡି ଦୁର୍ବଳ ହେବାରେ ଲାଗିଛି ବୋଲି ସେ କହିଛନ୍ତି।

ସ୍ୱର୍ଗତ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଏହି ଦଶପଲ୍ଲା ବଂଚାଅ ସମାବେଶ ବିଜେଡି କର୍ମୀମାନଙ୍କ ଦ୍ୱାରା ଆୟୋଜନ କରାଯାଉଛି । ମା’ କୁ ସମ୍ମାନ , ଗାଁ କୁ କାମ ଓ ଏନ୍ତୁଡ଼ିଶାଳ ଠାରୁ ମଶାଣି ପର୍ଯ୍ୟନ୍ତ ବିଜେଡି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ଆମେ ପ୍ରଚାର କରୁଥିବା ବେଳେ ବିଧାୟକ ଆମକୁ ବିରୋଧ କରିବା ସହ କର୍ମୀମାନଙ୍କୁ ଅବହେଳା କରି ଆସୁଛନ୍ତି। ଫଳରେ ଆମେ ବିଜେଡି ଦଳକୁ ନୁହେଁ ବରଂ ବିଧାୟକଙ୍କୁ ବିରୋଧ କରୁଛୁ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଜେଡି ନେତା ମାନେ ମତବ୍ୟକ୍ତ କରିଥିଲେ ।

ଅନ୍ୟ ପକ୍ଷରେ ଦଶପଲ୍ଲା ବ୍ଲକ ବିଜେଡି ଯୁବ ସଭାପତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଧାୟକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଦିଲ୍ଲୀପ ବେହେରା ବର୍ତମାନ ଦଶପଲ୍ଲା ବ୍ଲକ୍‌ ବିଜେଡି ଯୁବ ସଭାପତି ତଥା ସାଂସଦଙ୍କ ବ୍ଲକ ପ୍ରତିନିଧି ଥିବା ପ୍ରକାଶ କରିଥିବା ବେଳେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଶପଲ୍ଲା ବ୍ଲକ ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ ଏବେ ବି ଦଶପଲ୍ଲା ବ୍ଲକ ବିଜେଡି ଯୁବ ସଭାପତି ଅଛନ୍ତି ବୋଲି ଦାବି କରିଛନ୍ତି । ଦଳ ପକ୍ଷରୁ ତାଙ୍କୁ ବାହାର କରାଯାଇ ନାହିଁ । ସେ ଏବେ ବି ଯୁବ ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ। ବିଧାୟକ ଅଯଥା ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ , ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ , ଦଶପଲ୍ଲା ଏନ୍‌ଏସି କାଉନ୍‌ସିଲର୍‌ କାବେରୀ ସାହୁ ଏବଂ ପୂର୍ବତନ ସାଂସଦ ପ୍ରତିନିଧି ସମୀର କୁମାର ପଟ୍ଟନାୟକ ପ୍ରମ୍ମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର