ପରୀ ହତ୍ୟାକାଣ୍ଡ ତଦନ୍ତକୁ ଗ୍ରହଣ କରୁନି ବିଜେପି, ଅରୁଣ କହିଲେ ସତ୍ୟ ଉନ୍ମୋଚନ ହେଉ  

ଭୁବନେଶ୍ବର : ଗତକାଲି ନୟାଗଡ଼ ଜିଲ୍ଲା ଯଦୁପୁରର ନାବାଳିକା ପରୀର ହତ୍ୟା ଓ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଘଟଣା ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିବା ପରେ ରାଜନୈତିକ ଦଳମାନେ ନିଜର ମତ ରଖିବା ଆରମ୍ଭ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ପରୀକୁ ଘରକୁ ଡ଼ାକି ପ୍ରଥମେ ହତ୍ୟା କରିଥିଲା ଓ ପରେ ତାର ଶବ ସହ ଦୁଷ୍କର୍ମ କରିଥିଲା ବୋଲି ସୂଚନା ଦେଇଥିଲେ ବୋଥ୍ରା। ଏହାପରେ ଅଭିଯୁକ୍ତ ପରୀର ମୃତଦେହକୁ ଘର ପଛପଟ ପୋଖରୀରେ ପକାଇ ତା’ଉପରେ ନଡ଼ିଆ ବାହୁଙ୍ଗା ଘୋଡ଼ାଇ ଦେଇଥିଲା।

ମାତ୍ର ଏସଆଇଟିର ଏହି ତଥ୍ୟକୁ ବିଶ୍ବାସକୁ ନେଇ ନାହିଁ ଭାରତୀୟ ଜନତା ପାର୍ଟି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଏସଆଇଟିର ଏହି କଥା ବିଶ୍ବାସଯୋଗ୍ୟ ନୁହେଁ। ପିଲାର ଶବ ଏତେଦିନ ପଡ଼ି ରହିଲା ଅଥଚ ଦୁର୍ଗନ୍ଧ ହେଲାନାହିଁ କିପରି ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ସେହିପରି ଘଟଣାସ୍ଥଳକୁ ପୁଲିସ କୁକୁର ଆସିଥିଲେ ହେଁ କିପରି ପୋଖରୀରେ ପଡ଼ିଥିବା ଶବକୁ ଆବିଷ୍କାର କରିପାରିଲା ନାହିଁ ତାହା ଆଶ୍ଚର୍ଯ୍ୟଜନକ। ଏସଆଇଟି ପ୍ରକୃତ ଅପରାଧୀଙ୍କୁ ଘୋଡ଼ାଇବା ଲାଗି ଏପରି ଏକ କାହାଣୀ ତିଆରି କରି ସମସ୍ତଙ୍କୁ ଶୁଣାଇଛି ବୋଲି ସେ କହିଛନ୍ତି।

ସେହିପରି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ପରୀ ହତ୍ୟାକାଣ୍ଡ ଘଟଣାରେ  ଲିଖିତ ନାଟକକୁ ଗତକାଲି ପରିବେଷଣ କଲା ଏସଆଇଟି । ଶିଶୁର ଶବ ସହ ଦୁଷ୍କର୍ମ କରିବା ଭଳି କଥା ଆଦୌ ବିଶ୍ବାସଯୋଗ୍ୟ ନୁହେଁ। ଏସଆଇଟି ଥରେ ବି ହେଲେ ମାମଲାର ଅଭିଯୋଗକାରୀ ପରୀର ବାପା-ମା’ଙ୍କୁ ଏ ବିଷୟରେ ପଚାରି ନାହିଁ। ପୁଣି ଅଭିଯୋଗକାରୀ ମନ୍ତ୍ରୀ ଅରୁଣ ସାହୁଙ୍କ ନାମ କହିଥିବା ବେଳେ ଏସଆଇଟି ତାଙ୍କୁ ତଦନ୍ତ ପରିସରଭୁକ୍ତ କରିନାହିଁ।  ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ଦୁଷ୍କର୍ମ ହୋଇଥିବା ପ୍ରମାଣ ନାହିଁ ବୋଲି କହିଥିଲେ କିନ୍ତୁ ଅରୁଣ ବୋଥ୍ରା ଅଲଗା କଥା କହୁଛନ୍ତି । ପରୀର ଡ୍ରେସ ଆଗରୁ ଫୋରେନସିକ ଲାଵକୁ ପଠାଯାଇନଥିଲା କାହିଁକି ? ଏବେ ଏସଆଇଟି ତ ତଦନ୍ତ କଲା । ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ସିବିଆଇକୁ ଏବେ ତଦନ୍ତ ଦାୟିତ୍ବ ଦେଇଦିଅନ୍ତୁ । ଯଦି ଏସଆଇଟି ଠିକ ତଦନ୍ତ କରିଛି ତେବେ ସିବିଆଇ ମଧ୍ୟ ସେଥିରେ ମୋହର ମାରିବ । ନହେଲେ କିଏ ମିଛ କହୁଛି ଜଣାପଡିଯିବ ।

ପରୀ ହତ୍ୟା  ଓ ଏସଆଇଟି ତଦନ୍ତ ପ୍ରସଙ୍ଗରେ ବିଜେଡ଼ି ମଧ୍ୟ ପ୍ରତିକ୍ରିୟା ରଖିଛି। ବରିଷ୍ଠ ନେତ୍ରୀ ସ୍ନେହଙ୍ଗୀନି ଛୁରିଆ କହିଛନ୍ତି, ବିରୋଧୀ ବିରୋଧୀଙ୍କ କାର୍ଯ୍ୟ କରିବେ । ମୁଖ୍ୟମନ୍ତ୍ରୀ ବି ତାଙ୍କ କାର୍ଯ୍ୟ କରୁଛନ୍ତି । କୌଣସି ଲୋକ କେବେ ଆଇନ ହାତରୁ ବାହାରକୁ ଯାଇ ପାରିବେ ନାହିଁ । ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀ ନ୍ୟାୟ କରିବେ। ତେବେ ଏହି ଘଟଣାରେ ମନ୍ତ୍ରୀ ଅରୁଣ ସ‌ାହୁ ସଂକ୍ଷିପ୍ତ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଭଗବାନଙ୍କ ପାଖରେ ପ୍ରାର୍ଥନା ପରୀ ନ୍ୟାୟ ପାଉ, ଆଉ ସତ୍ୟ ଉନ୍ମୋଚନ ହଉ।

ଉଲ୍ଲେଖଯୋଗ୍ୟ, ପରୀ ହତ୍ୟା ଘଟଣାରେ ବିଜେପି ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଉଥିବା ବେଳେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ମଧ୍ୟ ଦାବି କରାଯାଉଛି। ବିଜେପି ଦାବି କରୁଛି ଯେ ପରୀକୁ ହତ୍ୟା କରାଯାଇ ତା’ର ଅଙ୍ଗପ୍ରତ୍ୟଙ୍ଗକୁ ବିକ୍ରି କରିଦିଆଯାଇଛି ଓ ଏହି ଘଟଣାରେ ମନ୍ତ୍ରୀଙ୍କ ସମର୍ଥକଙ୍କ ସଂପୃକ୍ତି ରହିଛି।

ସମ୍ବନ୍ଧିତ ଖବର