କାମରେ ଆସିଲାନି ବ୍ରେଲି ଲିପି ଶିକ୍ଷା: ଶିକ୍ଷିତ ଦୃଷ୍ଟିହୀନଙ୍କ ପ୍ରାର୍ଥିପତ୍ର ନାକଚ

ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ, ପଞ୍ଚାୟତ ନିର୍ବାଚନ ଆଇନ ସଂଶୋଧନ କରିବାକୁ ଦାବି

ନୂଆପଡ଼ା/କୋମନା : ସାଧାରଣ ଲେଖା (ବ୍ରେଲି ବ୍ୟତୀତ) ଲେଖି ପଢ଼ି ପାରିଲେନି ବୋଲି ନୂଆପଡ଼ା ଜିଲ୍ଲାରେ ଜଣେ ଶିକ୍ଷିତ ଦୃଷ୍ଟିହୀନ ସରପଞ୍ଚ ପ୍ରାର୍ଥୀ ଶାନ୍ତିଲାଲ ଶବରଙ୍କ ନାମାଙ୍କନପତ୍ର ନାକଚ ହୋଇଯାଇଛି। ଏ ସଂପର୍କରେ ସେ ନ୍ୟାୟ ପାଇଁ ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ‌ହୋଇଛନ୍ତି। ଏହାସହିତ ପଞ୍ଚାୟତ ନିର୍ବାଚନ ଆଇନରେ ସଂଶୋଧନ କରି ବ୍ରେଲି ଲିପିକୁ ସାମିଲ କରାଯାଉ ବୋଲି ସେ ଦାବି କରିଛନ୍ତି।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଗଣ୍ଡାମେର ପଞ୍ଚାୟତ ଦାବିରିପଡ଼ା ଗାଁର ଶାନ୍ତିଲାଲ (୪୦ବର୍ଷ) ସରପଞ୍ଚ ପଦ ପାଇଁ ଗତ ୨୧ ତାରିଖ ଦିନ ନାମାଙ୍କନପତ୍ର ଦାଖଲ କରିଥିଲେ। ସେ ତାଙ୍କ ନାମାଙ୍କନପତ୍ରରେ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ୍‌ ବୋଲି ଦର୍ଶାଇଛନ୍ତି। ଗତ ୨୨ ତାରିଖ ଦିନ ତାଙ୍କ ନାମାଙ୍କନପତ୍ର ଯାଞ୍ଚ କରାଯାଇଥିଲା। ଶ୍ରୀ ଶବର ଓଡ଼ିଆରେ ଲେଖି କିମ୍ବା ପଢ଼ି ପାରୁ ନଥିବା ଦର୍ଶାଇ କୋମନା ବିଡିଓ ତଥା ନିର୍ବାଚନ ଅଧିକାରୀ ସୁଶାନ୍ତ ରଣା ତାଙ୍କ ପ୍ରାର୍ଥିପତ୍ର ନାକଚ କରିଥିଲେ। ଏହା ଜାଣିବାପରେ ଶ୍ରୀ ଶବର ଗଭୀର ଭାବେ ମର୍ମାହତ ହୋଇଥିଲେ। ତାଙ୍କ କହିବା ହେଲା, ସେ ଦୃଷ୍ଟିହୀନ ହେଲେ ମଧ୍ୟ ବ୍ରେଲି ଲିପିରେ ପାଠ ପଢ଼ି ସେ ମାଟ୍ରିକ ପାସ୍‌ କରିଛନ୍ତି। ଏବେ ଦୂରନିରନ୍ତର ଶିକ୍ଷା ବ୍ୟବସ୍ଥାରେ ସେ ସ୍ନାତକ ପାଠ୍ୟକ୍ରମ ଜାରି ରଖିଛନ୍ତି। ପରୀକ୍ଷା ସମୟରେ ତାଙ୍କୁ ହେଲ୍‌ପର୍‌ ରାଇଟର ଦିଆଯାଇଥାଏ। ନିଜ ସ୍ବୀକୃତିପ୍ରାପ୍ତ ଭାଷା ବ୍ରେଲିରେ ସେ ଓଡ଼ିଆ ଲେଖି ଓ ପଢ଼ି ମଧ୍ୟ ପାରୁଛନ୍ତି। ଏପରିକି ନ୍ୟାୟପାଳିକା ମଧ୍ୟ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ‌ନିର୍ବାଚନରେ ବ୍ରେଲି ଲିପିର ବାଲାଟପେପର ଓ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନରେ ବ୍ରେଲି ଚିହ୍ନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିବା ଶ୍ରୀ ଶବର କହିଛନ୍ତି। ତଥାପି ତାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିବାରୁ ସେ ଉଚ୍ଚନ୍ୟାୟାଳୟରେ ଆବେଦନ କରିଛନ୍ତି।

ପଞ୍ଚାୟତିରାଜ ଆଇନ ତିଆରି ହୋଇଛି। ସେହି ଆଇନକୁ ସଂଶୋଧନ କରିବା ଜରୁରି। ଯଦି ଏ ପ୍ରକାର ଆଇନ ରହିବ ତାହେଲେ ଓଡ଼ିଶାରେ ରହୁଥିବା ଦିବ୍ୟାଙ୍ଗ ଭାଇ, ଭଉଣୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ରହିଥିଲେ ମଧ୍ୟ ରାଜନୀତି ଅଧିକାରରୁ ବଞ୍ଚିତ ହେବେ। ବିଦ୍ୟାଙ୍ଗମାନେ ସମାଜକୁ କିଛି ଦିଗ୍‌ଦର୍ଶନ ଦେବାକୁ ଯାଉଥିବା ବେଳେ ପଞ୍ଚାୟତ ଆଇନ ଏଥିରେ ବାଧା ସାଜିଛି ବୋଲି ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ଶ୍ରୀ ଶବର ରାଜ୍ୟ ନିର୍ବାଚନ କମିସନଙ୍କୁ ମଧ୍ୟ ଜଣାଇଛନ୍ତି। ପ୍ରସଙ୍ଗକୁ ଗମ୍ଭୀରତାର ସହ ନେବାକୁ ସେ ଦାବି କରିଛନ୍ତି। ଏ ସଂପର୍କ‌ରେ କୋମନା ବିଡିଓ ଶ୍ରୀ ରଣାଙ୍କୁ ପଚାରିବାରୁ ଶ୍ରୀ ଶବର ଓଡ଼ିଆ ଲେଖି କିମ୍ବା ପଢ଼ି ପାରୁ ନଥିବାରୁ ତାଙ୍କ ପ୍ରାର୍ଥିପତ୍ର ନାକଚ ହେଲା ‌ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର