୨ ଜଣଙ୍କୁ କୋର୍ଟ ଚାଲାଣ, ଅନ୍ୟ ଜଣେ ଅଟକ

ଫାଇନାନ୍ସ ଗାଡ଼ିକୁ ବୋମା ଫିଙ୍ଗି ଟଙ୍କା ଲୁଟ୍ ଘଟଣା

ଖଣ୍ଡପଡ଼ା: କିଛି ଦିନ ହେବ ଏକ ଲୁଟେରା ଗ୍ୟାଙ୍ଗ୍ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ବିଭିନ୍ନ ଅପରାଧ ଘଟଣା ଘଟାଇ ଚାଲିଥିଲେ, ଯାହା ପୁଲିସ୍‌ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ଏପରିକି ଗତ ଫେବ୍ରୁଆରୀ ୧୨ ତାରିଖରେ ଦିନ ଦ୍ବିପ୍ରହରରେ କଇଁଥପଲ୍ଲୀ ଛକ ନିକଟରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ଫାଇନାନ୍ସ ଗାଡିକୁ ଲୁଟେରାମାନେ ଅଟକାଇ ବୋମା ପକାଇବା ସହ ବନ୍ଧୁକ ଦେଖାଇ ନଗଦ ୧ ଲକ୍ଷ ୬୨ ହଜାର ଟଙ୍କା, ୩ଟି ମୋବାଇଲ୍ ସହ ବ୍ୟକ୍ତିଗତ ୧୫ ହଜାର ଟଙ୍କା ଛଡ଼ାଇ ନେଇଥିଲେ, ଯାହା ଖଣ୍ଡପଡ଼ା ପୁଲିସ୍‌କୁ ଚିନ୍ତାରେ ପକାଇ ଦେଇଥିଲା। ଶେଷରେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥୀଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ଖଣ୍ଡପଡ଼ାର ଏକ ସ୍ପେଶାଲ୍ ସ୍କ୍ବାଡ୍‌ ବୋଲଗଡ଼ ଓ ଗଣିଆ ଥାନା ସହାୟତାରେ ଏକ ଆନ୍ତଃଜିଲ୍ଲା ରୢାକେଟ୍‌ର ୨ ଜଣ ଇନ୍‌ଫର୍ମରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ  ଆଉ ଜଣେ ନରସିଂହପୁର ଅଞ୍ଚଳର ନଗୁଲିଙ୍କୁ ଗଣିଆ ଥାନାରେ ଅଟକ ରଖି ପଚରାଉଚୁରା କରିବା ସହ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ଦୁଇ ଜଣ କୋର୍ଟ ଚାଲାଣ ହୋଇଥିବା ଯୁବକମାନେ କଣ୍ଟିଲୋ ଫାଣ୍ଡି ଅନ୍ତଗର୍ତ ବଡ଼ବାଣପୁର ଅଞ୍ଚଳର ମିଥୁନ ବେହେରା ଓ ଆଉ ଜଣେ ପରବାସିଆ ପ୍ରଧାନଙ୍କ ପୁଅ ସୁବ୍ରତ ପ୍ରଧାନ ଓରଫ୍ ଚେଲା ଓରଫ୍ ଗମା ବୋଲି ଜଣାପଡ଼ିଛି। ଖଣ୍ଡପଡ଼ା ଅଞ୍ଚଳରେ ହେଉଥିବା ବିଭିନ୍ନ ଲୁଟ୍ ଘଟଣାରେ ଏମାନଙ୍କ ସମ୍ପୃକ୍ତି ରହିଛି। ଲୁଟ୍‌ରେ ସମ୍ପୃକ୍ତ ଥିବା ଆଉ ଚାରି ଜଣଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ଜାଲ ବିଛାଇଥିବା ଖଣ୍ଡପଡ଼ା ଥାନା ଅଧିକାରୀ ବିମଳ ଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି। ତେବେ ଖଣ୍ଡପଡ଼ା ପୁଲିସ୍‌ଠାରୁ ମିଳିଥିବା ସୂଚନା ମୁତାବକ କଳାପଥର ସମର୍ଥା ଫାଇନାନ୍ସରେ କାର୍ଯ୍ୟରତ ମିଥୁନ୍ ବେହେରା ନାମକ କର୍ମଚାରୀ ଜଣକ ଟଙ୍କା ଭର୍ତ୍ତି ଭ୍ୟାନ୍‌ଗୁଡ଼ିକର ଗତିବିଧି ସମ୍ପର୍କରେ ସର୍ବଦା ଜାଣିଥାଏ। ତେଣୁ ମିଥୁନ୍ ନିଜ ଗାଁର ସହଯୋଗୀ ସୁବ୍ରତକୁ ଏହି ଟଙ୍କା ଭର୍ତ୍ତି ଭ୍ୟାନ୍ ସମ୍ପର୍କରେ ଖବର ଦେବା ପରେ ସେ ଖୋର୍ଦ୍ଧା ଅଞ୍ଚଳର ଲୁଟେରା ଗ୍ୟାଙ୍ଗ୍ ସହିତ ଯୋଗାଯୋଗ କରିଥିଲା। କିନ୍ତୁ ଗ୍ୟାଙ୍ଗରେ ସମ୍ପୃକ୍ତ ଯୁବକମାନେ ନରସିଂହପୁର ଅନ୍ତର୍ଗତ କାନପୁର ଥାନା ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ସେଣଙ୍କ ପୁଅ ଗୋପୀନାଥ ସେଣ ଓରଫ୍ ନଗୁଲିଙ୍କୁ ନରିଂହପୁରରୁ ନୟାଗଡ଼କୁ ଯାଉଥିବା ଭ୍ୟାନ୍‌ର ଗତିବିଧି ସମ୍ପର୍କରେ ପଚରା ଉଚରା କରିଥିଲା। ଶେଷରେ ଲୁଟେରାମାନେ ଯୋଜନା ଅନୁଯାୟୀ ଭ୍ୟାନ୍‌ଟିକୁ ପିଛା କରି ବୋମା ଫିଙ୍ଗି ଟଙ୍କା ଲୁଟି ନେଇଥିଲେ। ପ୍ରକାଶ ଥାଉକି,ଏଲ୍‌ଆଣ୍ଡ୍‌ଟି କମ୍ପାନୀର ଟଙ୍କା ଭର୍ତ୍ତି ଭ୍ୟାନ୍‌ଟି କଟକ ଜିଲ୍ଲା ନରସିଂହପୁରରୁ ବାହାରି ନୟାଗଡ଼ର ଆନ୍ଧ୍ର ବ୍ୟାଙ୍କରେ ଡ୍ରାଇଭର୍ ସମେତ ଗନ୍ ମ୍ୟାନ୍ ଦୁର୍ଯ୍ୟୋଧନ ବେହେରା ଓ କର୍ମଚାରୀ ତପନ କର ଟଙ୍କା ଜମା କରିବାକୁ ଯାଉଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର