ଖଣ୍ଡପଡ଼ା: ପାରିବାରିକ କଳହରୁ ଗତକାଲି କିରୋସିନ୍ ଢାଳି ନିଆଁରେ ପୋଡ଼ି ହୋଇ ଗୁରୁତର ଆହତବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଦମ୍ପତିଙ୍କର ଆଜି ଭୋର୍ ୪ଟାରେ ମୃତ୍ୟୁ ଘଟିଛି। ଉଭୟଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଖବର ପାଇ ବହୁ ଲୋକ ତାଙ୍କ ବାସଭବନରେ ଶେଷ ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ମୃତଦେହକୁ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ଟିଙ୍କଚୁଆ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା। ଉଭୟଙ୍କ ମୃତଦେହ ଦେଖିବାକୁ ରାସ୍ତା କଡ଼ରେ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ। ଉଭୟ ଭିନ୍ନ ଜାତିର ହୋଇଥିଲେ ମଧ୍ୟ ପରସ୍ପରକୁ ଭଲ ପାଇ ପ୍ରେମ ବିବାହ କରିଥିଲେ। ସ୍ବାମୀ ଦେହରେ ଲାଗିଥିବା ନିଆଁକୁ ଲିଭାଇବାକୁ ଯାଇ ସ୍ତ୍ରୀ ମଧ୍ୟ ନିଆଁରେ ଜଳି ଯାଇଥିଲେ। ପ୍ରକାଶଥାଉକି, ଖଣ୍ଡପଡ଼ା ସହରାଂଚଳ ଅନ୍ତର୍ଗତ ୪ନଂ ୱାର୍ଡ ମାଳି ସାହିର ସଦାନନ୍ଦ ପ୍ରଧାନ ଓ ନିଜ ସ୍ତ୍ରୀ ଋତୁପର୍ଣ୍ଣା ରଥଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ସର୍ବଦା ଝଗଡ଼ା ଲାଗି ରହୁଥିଲା। ଦୁଇ ଦିନ ଧରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ମନୋମାଳିନ୍ୟ ହୋଇଥିଲା। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଅସହ୍ୟ ହେବାରୁ ଗତକାଲି ଅପରାହ୍ଣ ୪ଟା ସମୟରେ ସଦାନନ୍ଦ ନିଜ ଘରେ ଜାରକିନ୍ରେ ଥିବା କିରୋସିନ୍ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ବାମୀ ନିଆଁରେ ଜଳୁଥିବା ଦେଖି ସ୍ତ୍ରୀ ଋତୁପର୍ଣ୍ଣା ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ନିଆଁର ଶିକାର ହୋଇଥିଲେ। ଉଭୟ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଗୁରୁତର ଆହତ ହୋଇ ପଡ଼ିଥିଲେ। ଚିକିତ୍ସା ନିମନ୍ତେ ପରିବାର ଲୋକେ ସେମାନଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରିଥିଲେ ମଧ୍ୟ କିଛି ସମୟ ବ୍ୟବଧାନରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସେମାନଙ୍କର ଏକ ୧୦ ବର୍ଷର ପୁଅ ରହିଥିବା ବେଳେ ସଦାନନ୍ଦ ବିଜେପିର ଜଣେ ସଂଗଠକ ଭାବେ କାର୍ଯ୍ୟ କରି ଆସୁଥିଲେ। ସଦାନନ୍ଦ ଖଣ୍ଡପଡ଼ା ଅଂଚଳରେ ଜଣେ ଜଣାଶୁଣା ଯୁବ ସଂଗଠକ ରହିବା ସହ ଲୋକଙ୍କ ସୁଖ ଦୁଃଖର ସାଥୀ ହେବା ସହ ଖୁବ୍ କମ୍ ଦିନରେ ଅତ୍ୟନ୍ତ ପରିଚିତ ହୋଇ ପାରିଥିଲେ।
ନିଆଁରେ ପୋଡ଼ି ହୋଇଥିବା ଦମ୍ପତି ମୃତ
/sambad/media/post_attachments/wp-content/uploads/2018/11/nayagad.jpg)