ଗୁରୁତର କରୋନା ରୋଗୀଙ୍କୁ ଘରକୁ ଆଣିବାର ତିନି ଘଣ୍ଟା ପରେ ହେଲା ମୃତ୍ୟୁ

ଟ୍ରଲିରେ ବୁହାହେଲା ଶବ, ଭୁବନେଶ୍ବରରରେ ଶବଦାହ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ମାଡ଼ି ଚାଲିଥିବା ବେଳେ, କରୋନା ମୁକାବିଲାର ଗୁରୁ ଦାୟିତ୍ବ ବହନ କରୁଥିବା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର କୋଭିଡ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଦେଖିବାକୁ ମିଳିଛି।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋବୃତ୍ତି ପାଇଁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି। ଓଡ଼ଗାଁ ବ୍ଲକ କୁରାଳର କରୋନା ରୋଗୀ ଏସ୍. ଚନ୍ଦ୍ରଶେଖର ଆଚାରୀ(୬୫) ଜଣେ ଗୁରୁତର କରୋନା ରୋଗୀ। ଚାନ୍ଦପୁର କୋଭିଡ ହସ୍ପିଟାଲରେ ତାଙ୍କ ଠାରେ ଅକ୍ସିଜେନ୍ ମାଧ୍ୟମରେ ଚିକିତ୍ସା କରାଯାଉଥିଲା। ଗତ ୧୦ ତାରିଖରେ ସ୍ବାବ୍ ପରୀକ୍ଷାରୁ ସେ କରୋନା ପଜିଟିଭ୍ ଜଣାପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ଏହି ହସ୍ପିଟାଲରେ ତାଙ୍କ ପୁଅ ପ୍ରକାଶଚନ୍ଦ୍ର ମଧ୍ୟ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଗତ ୯ ତାରିଖରେ ପ୍ରକାଶ କରୋନା ଆକ୍ରାନ୍ତ ଜଣାପଡ଼ିବାରୁ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୯ ତାରିଖରେ ପ୍ରକାଶ କରୋନାରୁ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯିବା କଥା, କିନ୍ତୁ ବାପା ଗୁରୁତର ଥିବାରୁ ବାପାଙ୍କ ଦେଖାଶୁଣା କରିବାକୁ କୋଭିଡ ହସ୍ପିଟାଲ କର୍ତ୍ତୃପକ୍ଷ ବାଧ୍ୟ କରିଥିଲେ।

ପ୍ରକାଶ ସୁସ୍ଥ ହୋଇଥିବାରୁ ଘରକୁ ଫେରିବାକୁ ଚାହିଁଥିଲେ। କିନ୍ତୁ ବାଧ୍ୟବାଧକତାରେ କିଛି ଦିନ ହସ୍ପିଟାଲରେ ରହିବା ପରେ , ବାପାଙ୍କୁ ଘରକୁ ପଠାଇଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବାଧ୍ୟ କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ପ୍ରକାଶଙ୍କ ଠାରୁ ଅଣ୍ଡରଟେକିଂ ଲେଖାଇ ଗତକାଲି(ବୁଧବାର) ରାତିରେ ଆମ୍ବୁଲାନ୍ସ ଯୋଗେ ଏସ୍. ଚନ୍ଦ୍ରଶେଖରଙ୍କୁ ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ତାଙ୍କ ଭଡ଼ା ଘରକୁ ପଠାଇ ଦେଇଥିଲେ। ତେବେ ଘର ପହଞ୍ଚିବାର ତିନି ଘଣ୍ଟା ପରେ ଅର୍ଥାତ୍ ରାତି ପ୍ରାୟ ୧ଟା ବେଳେ ଚନ୍ଦ୍ରଶେଖରଙ୍କର ମୃତ୍ୟୁ ଘଟିଥିଲା।

ଜଣେ ଗୁରୁତର କରୋନା ରୋଗୀକୁ କିଭଳି କୋଭିଡ ହସ୍ପିଟାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କ କଥାରେ ରାଜି ହୋଇ ଘରକୁ ପଠାଇଦେଲେ , ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସ୍. ଚନ୍ଦ୍ରଶେଖରଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? କୋଭିଡରୁ ସୁସ୍ଥ ହୋଇଥିବା ପ୍ରକାଶଙ୍କୁ କାହିଁକି ତାଙ୍କ ବାପାଙ୍କର ହସ୍ପିଟାଲରେ ରହି ଦେଖାଶୁଣା କରିବାକୁ ବାଧ୍ୟ କରା ଯାଉଥିଲା? କରୋନା ରୋଗୀଙ୍କ ପାଖରେ ପରିବାର ଲୋକ ରହି ଦେଖାଶୁଣା କରିବାର ନିୟମ ରହିଛି କି? ଏ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ଚନ୍ଦ୍ରଶେଖର ଗୁରୁତର ଥିବାରୁ ତାଙ୍କ ପୁଅ ସୁସ୍ଥ ହେବା ପରେ ମଧ୍ୟ ଆମେ ତାଙ୍କୁ ହସ୍ପିଟାଲରେ ରହି ବାପାଙ୍କ ଦେଖାଶୁଣା କରିବାକୁ ରଖିଥିବା ହସ୍ପିଟାଲ ମ୍ୟାନେଜର ସ୍ବୀକାର କରିଛନ୍ତି। ଏଥିରେ ଅତିଷ୍ଠ ହୋଇ ପ୍ରକାଶ ବାପାଙ୍କୁ ଘରକୁ ନେଇଯିବାକୁ ବାଧ୍ୟ ହୋଇଥିବା ଏକରକମ ସନ୍ଦେହ ସୃଷ୍ଟି ହେଉଛି। ତେବେ କଥା ଏତିକିରେ ସରି ନାହିଁ, ଘଟଣା ପ୍ରଘଟ ହେବା ପରେ ଏସ୍. ଚନ୍ଦ୍ରଶେଖରଙ୍କ ଶବସଂସ୍କାର କରିବାକୁ ପଡ଼ୋଶୀ ମଧ୍ୟ ରାଜି ହୋଇ ନଥିଲେ।

ଏକ ଟ୍ରଲି ଜରିଆରେ ପ୍ରକାଶଚନ୍ଦ୍ର ତାଙ୍କ ବାପାଙ୍କ ଶବ ଦାହ କରିବାକୁ ଓଡ଼ଗାଁ ଏନ୍ଏସି ମଶାଣୀକୁ ନେଇଥିବା ବେଳେ, ସେଠାରେ ବିରୋଧର ଶିକାର ହୋଇଥିଲେ। ସେଠାରେ ଏକ ଶବ ବୁହା ଗାଡ଼ି ଡାକି ଭୁବନେଶ୍ବର ସତ୍ୟ ନଗର ମଶାଣୀକୁ ନେଇ ଶବ ଦାହ କରିଥିବା କହିଛନ୍ତି।

ଏ ବାବଦରେ ଚାନ୍ଦପୁର କୋଭିଡ ହସ୍ପିଟାଲ ଏଏମ୍ଓ ପ୍ରତାପଚନ୍ଦ୍ର ଚିନ୍ନାରା ଓ ହସ୍ପିଟାଲ ମ୍ୟାନେଜର କହିଛନ୍ତି, ପ୍ରକାଶ ହସ୍ପିଟାଲରେ ନାନା ବିଶୃଙ୍ଖଳା ସୃଷ୍ଟି କରୁଥିଲେ। ତାଙ୍କ ବାପାଙ୍କର ହସ୍ପିଟାଲରେ ଆଉ କିଛି ଦିନ ରହିବାର ଆବଶ୍ୟକତା ଥିଲେ ମଧ୍ୟ ସେ ଘରକୁ ପଠାଇବାକୁ ବାଧ୍ୟ କରିଥିଲେ। ସିଡିଏମ୍ଓଙ୍କ ସହ ପରାମର୍ଶ ପରେ ଆମେ ତାଙ୍କୁ ଘରକୁ ପଠାଇଥିଲୁ।

ସମ୍ବନ୍ଧିତ ଖବର