ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା:ଶବ ଛାଡ଼ି ଚାଲିଗଲେ ପରିବାର ଲୋକେ

ସ୍ୱାମୀ, ଶାଶୂ ଗିରଫ; ଶ୍ୱଶୁର ଫେରାର

ରଣପୁର: ରଣପୁର ଥାନା ଅନ୍ତର୍ଗତ ବ୍ରଜରାଜପୁର ପଞ୍ଚାୟତ ବାଙ୍କପୁର ଗାଁରେ ଗତକାଲି ଜଣେ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। କିନ୍ତୁ ଝିଅ ଘର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଗତକାଲି ବିଳମ୍ବିତ ରାତିରେ ପୁଲିସ ସ୍ୱାମୀ ଓ ଶାଶୂକୁ ଗିରଫ କରିଥିବାବେଳେ ଶ୍ୱଶୂର ଫେରାର ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ ବ୍ୟବଛେଦ ଶବକୁ ଝିଅ ଘର ଲୋକେ ଛାଡ଼ି ଚାଲି ଯାଇଥିବାବେଳେ ଶବ ଗୃହରେ ଶବ ପଡିରହିଥିବା ଜଣା ପଡ଼ିଛି।
ସୂଚନାଥାଉକି, ରଣପୁର ଥାନା ଅନ୍ତର୍ଗତ ବ୍ରଜରାଜପୁର ପଞ୍ଚାୟତ ଅଧୀନ କୁବନ ଗାଁର ଦାଶରଥୀ ପରିଡ଼ାଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାମନ୍ତରାୟ ନିକଟତମ ବାଙ୍କପୁର ଗାଁର ଦେବେନ୍ଦ୍ର ସାମନ୍ତରାୟଙ୍କ ପୁଅ ସାର୍ଥକ ସାମନ୍ତରାୟଙ୍କୁ ପ୍ରେମ ବିବାହ କରିଥିଲେ। ବର ପକ୍ଷ ଦାବି ମୁତାବକ କନ୍ୟା ପକ୍ଷ ତରଫରୁ ନାନାଦି ଆସବାପତ୍ର ସହ ଯୌତୁକ ଦିଆ ଯାଇଥିଲା।

କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୂର ଘର ଲୋକେ ଅଧିକ ଯୌତୁକ ଆଣିବା ନେଇ ଲକ୍ଷ୍ମୀପ୍ରିୟାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଗତକାଲି ଲକ୍ଷ୍ମୀପ୍ରିୟାର ଗୋଡ଼ହାତ ବାନ୍ଧି ନିସ୍ତୁକ ପିଟିଥିଲେ। କିନ୍ତୁ ଝିଅର ହାର୍ଟ ଚୋକ୍‌ ହୋଇଯାଇଛି। ତେଣୁ ରଣପୁର ହସ୍ପିଟାଲକୁ ଆଣିଛୁ ବୋଲିି ଶ୍ୱଶୁର ଦେବେନ୍ଦ୍ର ଝିଅଘର ଲୋକଙ୍କୁ ଫୋନ୍‌ ଯୋଗେ ଜଣାଇଥିଲେ। କିନ୍ତୁ ଝିଅ ଘର ଲୋକେ ହସ୍ପିଟାଲକୁ ଆସି ଝିଅର ମୃତ୍ୟୁ ହୋଇଯାଇଥିବା ଜାଣିବା ପରେ ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଭାରପ୍ରାପ୍ତ ଆଇଆଇସି ଛତ୍ରପତି କଅଁର ସଦଳବଳେ ଦେବେନ୍ଦ୍ରଙ୍କ ଘରେ ଚଢ଼ାଉ କରି ସ୍ୱାମୀ ସାର୍ଥକ ସାମନ୍ତରାୟ ଓ ଶାଶୁ ମୋହିନୀ ସାମନ୍ତରାୟଙ୍କୁ ଗିରଫ କରିଛନ୍ତି। ତେବେ ସେତେବେଳେ ଅନ୍ଧାରର ସୁଯୋଗ ନେଇ ଶ୍ୱଶୁର ଦେବେନ୍ଦ୍ର ଖସି ପଳାଇଥିଲେ। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର