ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ କୁଲୁରୁକୁମ୍ପା ପଞ୍ଚାୟତର ପୁରାତନ ରାଜସ୍ବ ଗ୍ରାମ ଗମ୍ଭାରୀଗଣ୍ତା। ଆଧୁନିକ ସଭ୍ୟତାର ଚାକଚକ୍ୟ ଓ ସରକାରୀ କଳର ମାଳମାଳ ଯୋଜନାଠାରୁ ବହୁ ଦୂରରେ ଥିବା ଏହି ଗାଁର ବିକାଶ ଆଜି ପାହାଡ଼ର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ରହିଛି। ମୁଖ୍ୟତଃ ଦୈନନ୍ଦିନ ଜୀବନ ଅତିବାହିତ ପାଇଁ ଯାହା ସବୁ ମୌଳିକ ସୁବିଧା ଆବଶ୍ୟକ, ଆଜି ଏମାନଙ୍କ ପାଇଁ ତାହା ସ୍ବପ୍ନ ପାଲଟିଛି। ପ୍ରଶାସନିକ ଅବହେଳା ଓ ରାଜନେତାଙ୍କ ଇଚ୍ଛାଶକ୍ତିର ଅଭାବକୁ ନେଇ ଗ୍ରାମବାସୀଙ୍କ ପାଖରେ ନା ପହଞ୍ଚୁଛି ସରକାରୀ ଯୋଜନା ନା ଗ୍ରାମରେ ହୋଇ ପାରୁଛି ଭିତ୍ତିଭୂମିର ବିକାଶ। ଗ୍ରାମବସୀଙ୍କ ପାଇଁ ପକ୍କାଘରଟିଏ ସ୍ବପ୍ନ ପାଲଟିଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଏବଂ ରାସ୍ତାଘାଟ କଥା ନକହିବା ଭଲ। ଦଶପଲ୍ଲାର ଏହି ସର୍ବ ପୁରାତନ ଆଦିବାସୀ ଗ୍ରାମକୁ ଆଜିସୁଦ୍ଧା କୌଣସି ସରକାରୀ ବାବୁ ଏବଂ ରାଜନେତାଙ୍କ ପାଦ ପଡ଼ିନଥିବା ବେଳେ ସାମାଜିକ ସୁରକ୍ଷା ନାଁରେ କିନ୍ତୁ ଏଠି ଯୋଜନା ଅନେକ।
ଦଶପଲ୍ଲା ବ୍ଲକ୍‌ଠାରୁ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ୨୦ କିମି ଯିବା ପରେ ଶାଳଭଙ୍ଗା ଜଙ୍ଗଲ ଅତିକ୍ରମ କରି ଏହି ଗ୍ରାମକୁ ଯିବାକୁ ପଡ଼ିଥାଏ। ମାତ୍ର ସରକାରୀ ଭାବେ ଶାଳଭଙ୍ଗା ଜଙ୍ଗଲସ୍ଥିତ ମହାନଦୀ ବନ୍ୟପ୍ରାଣୀ ବିଭାଗ ଜଙ୍ଗଲ ମଧ୍ୟ ଦେଇ ଏହି ଗ୍ରାମକୁ ଥିବା ସବୁଦିନିଆ ରାସ୍ତାଟି ଏବେ ବନ୍ଦ ହୋଇ ଗଲାଣି। ଫଳରେ ଅଙ୍କାବଙ୍କା ପଥର ଢିମା ପାହାଡ଼ ଚଢ଼ି ପ୍ରାୟ ୨ କିମି ଯିବା ପରେ ଏହି ଗ୍ରାମକୁ ଯିବାକୁ ପଡ଼ିଥାଏ। ପାହାଡ଼ର ଚାରିକାନ୍ଥ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ଗ୍ରାମର ସମୁଦାୟ ୧୧ଟି ପରିବାରରେ ପ୍ରାୟ ୫୦ ଜଣ ଅଧିବାସୀ ବସବାସ କରୁଛନ୍ତି। ଦଶପଲ୍ଲାର ରାଜା ଶାଳଭଞ୍ଜ ଦେଓ ଅମଳରୁ ଏହି ଗ୍ରାମଟିର ଅବସ୍ଥିତି ଥିବା ବେଳେ ଦଶପଲ୍ଲା କନ୍ଧମେଳିର ପୁରୋଧା କୁହାଯାଉଥିବା ଗୋବିନ୍ଦ ଚନ୍ଦ୍ର ମିଶ୍ର ଏହି ଗ୍ରାମରେ ପହଞ୍ଚି ଆଦିବାସୀମାନଙ୍କୁ ଆନ୍ଦୋଳନରେ ସାମିଲ ହେବା ପାଇଁ ସଂଗଠିତ କରିଥିବା ଶୁଣାଯାଏ।
ଏଠାକାର ଗ୍ରାମବାସୀମାନେ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ ଥିବା ବେଳେ ଜଙ୍ଗଲରୁ ବିଭିନ୍ନ ସମୟରେ ଲଘୁ ବନଜାତ ଦ୍ରବ୍ୟ ହେଉ କି ଶାଳ ପତ୍ର ଓ ଅଡ଼ଙ୍ଗା ଫଳ ସଂଗ୍ରହ କରି ନିଜର ଜୀବିକା ଅତିବାହିତ କରିଥାନ୍ତି। ଗ୍ରାମର ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବାକୁ ହେଲେ ଘାଟି ପାହାଡ଼ ଡେଇଁ ପ୍ରାୟ ୬ କିମି ଦୁର୍ଗାପ୍ରସାଦ ଯିବାକୁ ପଡ଼ୁଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରରେ କାହାରି ପାଦ ପଡ଼େନାହିଁ। ସରକାରୀ ସୁବିଧାସୁଯୋଗ କ’ଣ ଏମାନେ ଜାଣନ୍ତି ନାହିଁ। ପୁଷ୍ଟିକର ଖାଦ୍ୟରୁ ବଂଚିତ ହୋଇ ବିଭିନ୍ନ ସମୟରେ ଗର୍ଭବତୀ ମହିଳାଙ୍କଠାରୁ ଆରମ୍ଭ କରି ମହିଳା ଓ ଶିଶୁମାନେ ପୁଷ୍ଟିହୀନତା ଓ ରକ୍ତହୀନତାର ଶିକାର ହେଉଥିବା ଅଭିଯୋଗ ହୁଏ, ଯାହାକୁ ନେଇ ଗତବର୍ଷ ଗ୍ରାମର ରବିନ୍ଦ୍ର ମଳିକଙ୍କ ପୁଅ ଇନ୍ଦ୍ରଜିତ୍ ମଳିକ ଅପପୁଷ୍ଟି ରୋଗର ଶିକାର ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ପୁଷ୍ଟିସାଧନ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆଜି ବି ଗ୍ରାମରେ କିଛି ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଜଣାପଡ଼ିଛି। ସେହିପରି ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ ଦୂରଦୂରାନ୍ତରେ ଥିବା ବିଭିନ୍ନ ଆଶ୍ରମ ବିଦ୍ୟାଳୟରେ ରହି ଅଧ୍ୟୟନ କରିଥାନ୍ତି।
ଏଠାରେ ସ୍ବାସ୍ଥ୍ୟସେବା କଥା ନକହିବା ଭଲ। ଗର୍ଭବତୀ ମହିଳା ହୁଅନ୍ତୁ କି ଗୁରୁତର ରୋଗୀଙ୍କୁ ଭାରା କରି ବହୁ କଷ୍ଟରେ ମାଇଲ ମାଇଲ ବାଟ ଆଣିବାକୁ ପଡ଼ିଥାଏ। ବର୍ଷାଦିନେ ଏମାନଙ୍କ ଅବସ୍ଥା ଅତି ସଂକଟାପନ୍ନ ହୋଇ ପଡ଼ୁଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। କିନ୍ତୁ ବଡ଼କଥା ହେଉଛି କିଛିବର୍ଷ ତଳେ ଗ୍ରାମକୁ ମନରେଗା ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ କିଛି ପଞ୍ଚାୟତ କର୍ମଚାରୀ ଓ ଠିକାଦାରଙ୍କ ମଧ୍ୟରେ ଭାଗବଂଟାକୁ ନେଇ ଏହା ନିର୍ମାଣ ହୋଇ ପାରିନଥିବା କୁହାଯାଉଛି। ପାନୀୟ ଜଳ ପାଇଁ ଗ୍ରାମରେ ନଳକୂଅଟିଏ ନଥିବା ବେଳେ ଏକ ପଥରକୂଅ ଉପରେ ଗ୍ରାମବାସୀ ନିର୍ଭରଶୀଳ।
ସେହିପରି ଭତ୍ତା ଓ ରାସନ ସାମଗ୍ରୀ ଆଣିବାକୁ ହେଲେ କୁଲୁରୁକୁମ୍ପା ପଞ୍ଚାୟତକୁ ପ୍ରାୟ ୮ କିମି ବାଟ ଡେଇଁ ଯିବାକୁ ହୁଏ। ଗ୍ରାମର ସାବିତ୍ରୀ ପ୍ରଧାନ ଯୋଗ୍ୟ ହୋଇ ବି ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ହୋଇ ରହିଛନ୍ତି। ଏବେ କାଁ ଭାଁ କେତେ ଜଣଙ୍କୁ ଘର ଯୋଗାଇ ଦିଆଯାଇଥିବା ବେଳେ ଯାତାୟାତ ସମସ୍ୟାକୁ ନେଇ ଘର କରିବା ଏମାନଙ୍କ ପାଇଁ ଅସମ୍ଭବ ହୋଇ ପଡ଼ିଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।