ବିସ୍ଫୋରକ ଜବତ : ଦୁଇ ଗିରଫ

ଦଶପଲ୍ଲା : ଶୁକ୍ରବାର ବିଳମ୍ବିତ ରାତିରେ ବାଣିଗୋଛା ଥାନା ଅନ୍ତର୍ଗତ କୁଲୁରୁକୁମ୍ପାଠାରେ ହେଲ୍‌ମେଟ୍‌ ତଦାରଖ ଚାଲିଥିବା ବେଳେ ବାଣିଗୋଛା ପୁଲିସ୍‌ ବିସ୍ଫୋରକ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିଙ୍କ ନାମ ପଞ୍ଚାନନ କହଁର ଓ ଅଶୋକ କହଁର ବୋଲି ଜଣାପଡିଛି। ପଞ୍ଚାନନଙ୍କ ଘର କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ କୁଟୀବାରି ଗ୍ରାମରେ ହୋଇଥିବା ବେଳେ ଅଶୋକର ଘର ସେହି ଥାନା ଅନ୍ତର୍ଗତ ସାରକି ଗ୍ରାମରେ ବୋଲି ଜଣାପଡ଼ିଛି। ବାଣିଗୋଛା ଥାନା ପୁଲିସ୍‌ କୁଲୁରୁକୁମ୍ପାଠାରେ ହେଲମେଟ୍‌ ତଦାରଖ କରୁଥିବା ବେଳେ ପଞ୍ଚାନନ ଓ ଅଶୋକଙ୍କୁ ଅଟକାଇ ତଦାରଖ କରିଥିଲେ। ପୁଲିସ୍‌ ତାଙ୍କ ବାଇକ୍‌ ଡିକିରୁ ୧୦ଟି ଗିଲୋଟିନ୍‌ (ପାୱାର୍‌ଜେଲ୍‌) ଓ ୧୪ଟି ଡିଟୋନେଟର୍‌ (ହାଇଏକ୍ସପ୍ଲୋସିଭ୍‌), ଏକ ଲିଟର୍‌ ପେଟ୍ରୋଲ୍‌ ଜବତ କରିଥିଲା। ଏହି ବିସ୍ଫୋରକଗୁଡିକୁ ସେମାନେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଲେହେଙ୍ଗା ଗ୍ରାମର ପ୍ରଫୁଲ୍ଲ ପ୍ରତିହାରୀଙ୍କଠାରୁ ଆଣିଥିବା ପୁଲିସ୍‌ ନିକଟରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର