ଟ୍ରକ୍‌ ଡ୍ରାଇଭରଙ୍କୁ ଗୁଳିମାଡ଼

ନୟାଗଡ଼/ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ବଡ଼ଗୋରଡ଼ା ଗାଁ ନିକଟରେ ଗତକାଲି ମଧ୍ୟରାତ୍ରରେ ଜଣେ ଡ୍ରାଇଭରଙ୍କୁ ଗୁଳିମାଡ଼ ହୋଇଛି। ଡ୍ରାଇଭର ଜଣକ ହେଲେ ଦଶପଲ୍ଲା ବ୍ଲକ୍‌ ଦିଣ୍ଡାଭୂଇଁର ଶରତ ନାୟକ(୪୮)। ଗତକାଲି ରାତି ପ୍ରାୟ ୧୨ଟାରେ ସେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ରାୟପୁରରୁ ନେଇ ସେ ଶରଣକୁଳ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ସାବିତ୍ରୀ ଟ୍ରେଡର୍ସକୁ ଯାଉଥିଲା। ବଡ଼ଗୋରଡ଼ା ଛକ ଠାରୁ ୨ ଜଣ ଯୁବକ ଏକ ପଲ୍‌ସରରେ ଟ୍ରକ୍‌ର ପିଛା କରି ଟ୍ରକ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଡ୍ରାଇଭର ଗାଡ଼ି ଅଟକାଇ ନଥିଲେ। ଦୁଇ ଯୁବକ ବଡ଼ଗୋରଡ଼ା ଛକ ଠାରୁ ୫୦୦ ମିଟର ଦୂରରେ ଗାଡ଼ିକୁ ଅଟକାଇବା ସହ ଡ୍ରାଇଭରକୁ ତଳକୁ ଆସିବାକୁ କହିଥିଲେ। ଡ୍ରାଇଭର ତଳକୁ ନଆସିବାରୁ ଡକାୟତମାନେ ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରୁ ଦୁଇଟି ଗୁଳି ତାଙ୍କ ଦେହରେ ବାଜିଥିଲା। ଏହା ସତ୍ତେ୍ଵ ଦୁର୍ବୃତ୍ତଙ୍କ କବଳରୁ ବର୍ତିବାକୁ ଯାଇ କଷ୍ଟେମଷ୍ଟେ ସେ କ୍ଷୀପ୍ର ଗତିରେ ଗାଡ଼ିକୁ ନେଇ ପଳାଇଥିଲେ। ଡିମିସର ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁଥିବା ଦେଖି ସେଠାରେ ଗାଡ଼ିକୁ ଅଟକାଇବା ପରେ ସ୍ଥାନୀୟ ଲୋକେ ଜାଣିପାରି ଡ୍ରାଇଭରଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର