ଗଣିଆ : ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମରେ ଏକ ବଧୂହତ୍ୟା ଅଭିଯୋଗ ହୋଇଛି। ପାରିବାରିକ କଳହକୁ କେନ୍ଦ୍ରକରି ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପୃକ୍ତ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ଅଭିଯୋଗ ଅନୁଯାୟୀ, ସୂର୍ଯ୍ୟମଣୀ ସାହୁ ୧୦ ବର୍ଷ ପୂର୍ବେ ସଖୀ ମହାରଣାଙ୍କୁ ବିବାହ କରିଥିଲେ। ବିବାହ ପରେ ପରିବାର ଓ ଦୁଇ ପିଉସୀଙ୍କ ପ୍ରରୋଚନାରେ ସୂର୍ଯ୍ୟମଣୀ ସବୁବେଳେ ସଖୀଙ୍କୁ ମାରଧର କରିବା ସହ ବିଭିନ୍ନ ନିର୍ଯାତନା ଦେଇ ଆସୁଥିଲେ। ମାତ୍ର ଆଜି ପୂର୍ବାହ୍ଣ ୭ଟାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବାବେଳେ ସୂର୍ଯ୍ୟମଣୀ ଏକ ଟାଙ୍ଗିଆରେ ସଖୀଙ୍କ ମୁଣ୍ତ ପଛପାଖକୁ ଚୋଟ ପକାଇଥିଲେ। ଘଟଣାସ୍ଥଳରେ ସଖୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସଖୀଙ୍କ ଭିଣୋଇ ରବୀନ୍ଦ୍ର ସାହୁ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି।
ଘଟଣାସ୍ଥଳରୁ ସୂର୍ଯ୍ୟମଣୀ ଫେରାର୍ ହୋଇଯାଇଥିବା ବେଳେ ଅଭିଯୋଗ ପାଇ ପୁଲିସ୍ ଶବ ଜବତ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଦୀପକ କୁମାର ଖଣ୍ତାୟତରାୟ ପ୍ରକାଶ କରିଛନ୍ତି।
ତେବେ, ଥାନାଧିକାରୀ ଶ୍ରୀ ଖଣ୍ଡାୟତରାୟ କହିଛନ୍ତି ଯେ, ସଖୀ ପ୍ରଥମେ ଅନ୍ୟତ୍ର ବିବାହ କରିଥିଲେ। ବିବାହର କିଛିମାସ ପରେ ସେ ମାଉସୀ ପୁଅ ସୂର୍ଯ୍ୟମଣୀଙ୍କ ସହ ପଳାଇ ଆସିଥିଲେ। ସ୍ବାମୀଙ୍କ ସମେତ ପରିବାର ଲୋକ ବିଭିନ୍ନ ସମୟରେ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ସୂର୍ଯ୍ୟମଣୀଙ୍କ ସ୍ବଳ୍ପ ରୋଜଗାରରେ ପରିବାର ଚଳିବା କଷ୍ଟ ହେଉଥିବା ବେଳେ ସଖୀ ବିଭିନ୍ନ କାମ କରି ପରିବାର ଚଳାଇବାରେ ସହାୟକ ହେଉଥିଲେ। ମାତ୍ର ସୂର୍ଯ୍ୟମଣୀର ଅନ୍ୟତ୍ର ସମ୍ପର୍କ ଥିବା ନେଇ ବିଭିନ୍ନ ସମୟରେ ପାରିବାରିକ ଅଶାନ୍ତି ଦେଖା ଦେଉଥିଲା। ତେବେ, ତଦନ୍ତ ପରେ ଘଟଣା ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/mu-1.jpg)