ପାରାଢିପିରେ ସମିତି ପଦବୀ ପାଇଁ ଲଢିବେ ସ୍ବାମୀ–ସ୍ତ୍ରୀ

ସ୍ତ୍ରୀ ଦଳୀୟ ପ୍ରାର୍ଥୀ, ସ୍ବାମୀ ସ୍ବାଧୀନ

ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ୨୨ ଗୋଟି ପଂଚାୟତରୁ ସମୁଦାୟ ୭୨୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି। ଏଥିରେ କାହାରିକୁ ଦଳୀୟ ସମର୍ଥନ ମିଳିଛି କି ନାହିଁ ତାହା ବର୍ତମାନ ସମୟରେ ଜଣାପଡୁନଥିବା ବେଳେ ଏଥର ନିର୍ବାଚନରେ ଲଢେଇ ଜୋରଦାର ହେବ ବୋଲି ଜଣାପଡୁଛି। ଏଥିରେ ବିଜେଡିରୁ ସମର୍ଥିତ ପ୍ରାର୍ଥୀ ତାର ଅନ୍ୟ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ସହ ଲଢେଇ ହେବା ସୁନିଶ୍ଚିତ।

ତେବେ ଏସବୁ ମଧ୍ୟରେ ପାରାଢିପି ପଂଚାୟତରେ ଏକ ଭିନ୍ନ ପ୍ରକାରର ରାଜନୀତି ହେଉଥିବା ଦେଖିବାକୁ ମିଳିଛି। ଏଠାରେ ସମିତିସଭ୍ୟ ପଦବୀ ନିମନ୍ତେ ୭ ଜଣ ପ୍ରାର୍ଥୀ ଆଶାୟୀ ଥିବା ବେଳେ ଗୋଟିଏ ପରିବାରରୁ ଉଭୟ ସ୍ବାମୀ–ସ୍ତ୍ରୀ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ସମିତିସଭ୍ୟ ପଦବୀ ଆଶାୟୀ ଥିବା ସୁଷମା ସାହୁ ବିଜୁ ଜନତା ଦଳର ଜଣେ ସକ୍ରିୟ ସଭ୍ୟ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ଗୁରୁତ୍ବ ଦେଉଥିବା ହେତୁ ସେ ଚଳିତ ନିର୍ବାଚନରେ ସମିତି ଆସନ ପାଇଁ ପାରାଢିପି ପଂଚାୟତ ପକ୍ଷରୁ ନାମାଙ୍କନ ଦାଖଲ କରିଛନ୍ତି। ତେବେ ଅନ୍ୟ ଦିଗରେ ଦେଖିବାକୁ ଗଲେ ସୁଷମାଙ୍କ ସ୍ବାମୀ ଭିକାରି ଚରଣ ସାହୁ ଜଣେ ସମାଜସେବୀ ହୋଇଥିବା ବେଳେ ଅଂଚଳବାସୀଙ୍କର ତାଙ୍କ ପ୍ରତି ସମର୍ଥନ ରହୁଥିବା ଯୋଗୁଁ ସେ ରାଜନୀତି ମୈଦାନକୁ ଓହ୍ଲାଇଥିବା କହିଛନ୍ତି। ତେବେ ସ୍ବାମୀ–ସ୍ତ୍ରୀ ଉଭୟଙ୍କ ମଧ୍ୟରେ ହେବାକୁ ଥିବା ଲଢେଇରେ କିଏ ବାଜି ମାରୁଛି ନା ଏମାନଙ୍କ ଲଢେଇରେ ଅନ୍ୟ କେହି ବାଜିମାରୁଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର