ବୋଲେରୋ ଦୁର୍ଘଟଣାରେ ଆହତଙ୍କ ମୃତ୍ୟୁ

ନୂଆଗାଁ: ଗତକାଲି ସଂଧ୍ୟାରେ ନୂଆଗାଁ ଥାନା ମୃଦାଙ୍ଗ ଛକ ନିକଟରେ ଏକ ବୋଲେରୋ ଦୁର୍ଘଟଣାରେ ୩ ଜଣ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିଲେ। ତିନି ଜଣକ ମଧ୍ୟରୁ ଆଜି ଜଣକର କଟକ ବଡ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ଅଛନ୍ତି। ଘଟଣାରୁ ପ୍ରକାଶ, ନୟାଗଡ଼ ସଦରଥାନା ମାଳିସାହି ଫାଣ୍ତି ଖଙ୍ଗୁରୀ ଗ୍ରାମର ସନ୍ତୋଷ ପ୍ରଧାନ (୩୫) ସାନହାମରା ଗ୍ରାମର କାହ୍ନା ବେହେରା ଓ ସୁବଳ ଜାନୀ ମିଶି ହିରୋହୋଣ୍ତା ଗ୍ଲାମର୍‌ ଗାଡ଼ିରେ ଦଶପଲ୍ଲାର ଜଣେ ସଂପର୍କିୟ ଭଉଣୀଙ୍କ ଘରକୁ ପିଠା ନେଇ ଯାଇଥିଲେ। ଦଶପଲ୍ଲାରୁ ବାହାରି ଘରକୁ ଫେରୁଥିବା ସମୟରେ ନୂଆଗାଁ ଥାନା ମୃଦାଙ୍ଗ ଛକ ନିକଟରେ ଏକ ବୋଲେରୋ ଗାଡ଼ି ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ତିନିଜଣ ବାଇକ୍ ଚାଳକ ରାସ୍ତାରୁ କିଛି ଦୂର ଛିଟିକି ତଳେ ପଡ଼ି ଚିକିତ୍ସା କରୁଥିବା ସମୟରେ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଅଗ୍ନିଶମ ଗାଡ଼ିରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସନ୍ତୋଷ ପ୍ରଧାନଙ୍କର ପାଟି ଏବଂ ନାକରୁ ରକ୍ତସ୍ରାବ ହେଉଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଭୋର୍‌ ୪ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଆହତ କାହ୍ନା ବେହେରାଙ୍କ ଦୁଇଗୋଡ଼ ଏବଂ ବେକ ହାଡ଼ ଭାଙ୍ଗି ଯାଇ ପେଟ ଚିରି ହୋଇ ରକ୍ତ ଝରୁଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଉ ଜଣେ ସୁବଳ ଜାନୀ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅଛନ୍ତି। ଏହି ତିନିଜଣ ଦଶପଲ୍ଲା ସଂପର୍କିୟ ଭଉଣୀ ଘରକୁ ପିଠା ନେଇ ଯିବା ପାଇଁ ସନ୍ତୋଷଙ୍କ ସଂପର୍କିୟଙ୍କଠାରୁ ନୂଆ ହିରୋହୋଣ୍ତା ଗ୍ଲାମର୍‌ ଗାଡ଼ିକୁ ମାଗି ନେଇଥିଲେ। ଦୁର୍ଘଟଣାରେ ଗାଡ଼ିଟି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି। ସନ୍ତୋଷଙ୍କ ମୃତ୍ୟୁକୁ ନେଇ ସାରା ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସମସ୍ତେ ଗରିବ ଆଦିବାସୀ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର