ନୟାଗଡ଼ : କୃଷିଭିତ୍ତିକ ନୟାଗଡ଼ ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ବିଭାଗ ଜଳସେଚନ ନେଇ କାଗଜପତ୍ର‌ରେ ଗୋଲାପୀ ଚିତ୍ର ଦେଖାଉଛି। ହେଲେ, ବାସ୍ତବରେ ଚାଷୀର ଜମି ମୁଣ୍ଡରେ ବୁନ୍ଦାଏ ପାଣି ପହଞ୍ଚୁନି। ‌କେଉଁଠି ‌କେନାଲ ବର୍ଷ ବର୍ଷ ହେଲାଣି‌ ପୋତି ହୋଇପଡ଼ିଛି ତ ଆଉ କେଉଁଠି ନାମକୁମାତ୍ର ରକ୍ଷାଣବେକ୍ଷଣ କରାଯାଇ ଅନୁଦାନ ହରିଲୁଟ୍‌ ହେଉଛି।

Advertisment

ଖୋଦ୍‌ କ୍ଷୁଦ୍ର ଜଳସେଚନ ବିଭାଗର ତଥ୍ୟ ମୁତାବକ ‌ଚେକ୍‌ଡ୍ୟାମ୍‌ (ଆଡି ବନ୍ଧ) ବ୍ୟତୀତ ଜିଲ୍ଲାରେ ୧୬୫ଟି ଜଳସେଚନ ପ୍ରକଳ୍ପ ରହିଛି। ଏଥିରୁ ୩୦୭ କିମିରୁ ଅଧିକ ଲମ୍ବର କେନାଲଦ୍ବାରା ଜମିକୁ ଜଳସେଚନ କରାଯାଉଛି। ଖରିଫ୍‌ ଋତୁରେ ୨୧ ହଜାର ୮୭୬ ହେକ୍ଟର ଜମି ଜଳସେଚିତ ହେଉଥିବାବେଳେ ରବି ଋତୁରେ ୪୭୫୫ ହେକ୍ଟର ଜମି ଜଳସେଚିତ ହେଉଛି। ବାସ୍ତବରେ ୩୦୭ କିମି କେନାଲରୁ ଅଧାରୁ ଅଧିକ କେନାଲ ପୋତି ହୋଇଯାଇଛି। ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ନୟାଗଡ଼ ପାଣିପୋଇଲା ଡ୍ୟାମ୍‌ କେନାଲ କଥା ଦେଖାଯାଉ।‌ ପ୍ରାୟ ୯ କିମି କେନାଲ ଦ୍ବାରା ୯୩୬ ହେକ୍ଟର ଜମି ଜଳସେଚିତ ହେଉଥିବା ଦର୍ଶାଯାଇଛି। ବାସ୍ତବରେ କେନାଲ ପୋତି ହୋଇଯିବା ଫଳରେ ଚାଷୀ ଜମିରେ ପାଣି ପହଞ୍ଚୁନି। ରଣପୁର ବ୍ଲକ୍‌ ପଟିଆ ପଞ୍ଚାୟତ ଅଧୀନ ରଣ୍ଡା ଜଳସେଚନ ପ୍ରକଳ୍ପର କେନାଲ ଜଙ୍ଗଲ ପାଲଟି ଯାଇଛି। ଏହାଦ୍ବାରା ପ୍ରାୟ ୭୦୦ ହେକ୍ଟର ଜମି ଜଳସେଚନରୁ ବଞ୍ଚିତ ହେଉଛି। ଅପହଞ୍ଚ ଗଣିଆ ବ୍ଲକ୍‌ର ନଙ୍ଗଳକଣ୍ଟା‌, କୁସୁମ‌ଖୋଲ, ରାସଙ୍ଗରେ ଥିବା ଘୋଡ଼ାବନ୍ଧାଣି ଜଳସେଚନ ପ୍ରକଳ୍ପ ପାଣି ଯୋଗାଇବାକୁ ଅକ୍ଷମ। ଏହାର କେନାଲଗୁଡ଼ିକ ମଧ୍ୟ ଗଛରେ ଭର୍ତ୍ତି ହୋଇଯାଇଛି। ଯାହାଦ୍ବାରା ପାଖାପାଖି ୧୨୭ ହେକ୍ଟରରୁ ଅଧିକ ଜମି ଜଳସେଚନରୁ ବାଦ୍‌ ପଡ଼ିଛି। କେବଳ ଏତିକି ନୁହେଁ, ଖଣ୍ଡପଡ଼ା ବ୍ଲକ୍‌ର ସଂଘାପଡ଼ା ପଞ୍ଚାୟତ, କୋସକା ପଞ୍ଚାୟତରେ ଥିବା ଜଳସେଚନ ପ୍ରକଳ୍ପର ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏହି ପ୍ରକଳ୍ପର କେନାଲଗୁଡ଼ିକ ବର୍ଷ ବର୍ଷ ଧରି ସଫା କରାଯାଇନାହିଁ। ପାଖାପାଖି ଏକ ହଜାର ହେକ୍ଟର ଜମି ଏହା ଦ୍ବାରା ଜଳସେଚନରୁ ବଞ୍ଚିତ ହେଉଛି। କିନ୍ତୁ ବିଭାଗର କାଗଜପତ୍ରରେ ଏବେବି ଏହି କେନାଲ‌ରେ ପାଣି ଆସୁଥିବା ଦର୍ଶାଯାଇଛି। କେନାଲ ରକ୍ଷାଣବେକ୍ଷଣରେ ୧୫ କୋଟି ୮୫ ଲକ୍ଷ ୭୯ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇଛି। ଏହିଭଳି ପ୍ରତିବର୍ଷ କେନାଲର ରକ୍ଷାଣବେକ୍ଷଣ, ନୂତନ ପ୍ରକଳ୍ପ ନିର୍ମାଣ ବାବଦରେ ଅନୁଦାନ ଆସୁଛି। ଏହି ଅନୁଦାନ କେଉଁ ବାଟରେ ଖର୍ଚ୍ଚ ହେଉଛି, ଜଳସେଚନର ଅବସ୍ଥାକୁ ଦେଖିଲେ ବୁଝାପଡ଼ୁଛି।