ବାଲୁଗାଁ/ବାଣପୁର/ଖୋର୍ଦ୍ଧା : ନବୀନ ବାବୁଙ୍କୁ ରତ୍ନଭଣ୍ଡାରର ଚାବି କେଉଁଠି ଅଛି ଜଣାନାହିଁ । ସେ ଏହାର ଏକ ଡୁପ୍ଲିକେଟ୍ ଚାବି ସାଥିରେ ଧରି ବୁଲୁଛନ୍ତି । ମୋତେ ଜଣାପଡ଼ୁନାହିଁ ସରକାର କିଏ ଚଳାଉଛି । ଅରିଜିନାଲ୍ ଚଳାଉଛନ୍ତି ନା' ଆଉ କିଏ? କିଏ ସରକାର ଚଳାଉଛି କିଛି ବୁଝାପଡ଼ୁନାହିଁ । ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି କିଭଳି ହଜିଲା? କାହିଁକି ହଜିଲା? କିଏ ସରକାର ଚଳାଉଛି? ଅରିଜିନାଲ୍ କି କିଏ ଜଣାପଡ଼ୁନାହିଁ, ଆଜି ବାଣପୁର ପଲଟନ ପଡ଼ିଆରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା (ଜେପି ନଡ୍ଡା) ରାଜ୍ୟ ସରକାରଙ୍କୁ ଏଭଳି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।
ପ୍ରାୟ ୧୯ ମିନିଟର ନିଜର ଅଭିଭାଷଣରେ ଶ୍ରୀ ନଡ୍ଡା ରାଜ୍ୟ ସରକାର ଓ ନବୀନ ପଟ୍ଟନାୟକଙ୍କୁ କଠୋର ସମାଲୋଚନା କରିଥିଲେ । ସେ କହିଥିଲେ ଯେ ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋରେ ମହିଳାଙ୍କ ଉପରେ ବିଶେଷତଃ ଆଦିବାସୀ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିଥିବା କଥା କହି ଏଠାରେ ପୁଲିସ ଭଳି ଜନତାଙ୍କ ରକ୍ଷକ ମଧ୍ୟ ଭକ୍ଷକଙ୍କ ଦ୍ୱାରା ସୁରକ୍ଷିତ ନୁହେଁ ବୋଲି କହିଥିଲେ । କେନ୍ଦ୍ର ସରକାରଙ୍କ ଅନେକ ଯୋଜନାକୁ ଓଡ଼ିଶାରେ ନବୀନ ପଟ୍ଟନାୟକ ନିଜ ନାମରେ କରିଦେଉଛନ୍ତି । ରାଜ୍ୟର ୬୦ଲକ୍ଷ ଲୋକଙ୍କୁ ନବୀନବାବୁ ଓ ବିଜେଡି ସରକାର ଆୟୁଷ୍ମାନ ଯୋଜନାରୁ ବଂଚିତ କରିଛନ୍ତି । ଓଡ଼ିଶାର ଦାଦନ ସମସ୍ୟା କଥା ଉଠାଇ ସେ ନିଜର ଭାଷଣ କଳାରେ ଦାଦନ ଖଟିବା ବନ୍ଦ ହୋଇଗଲା କି ବୋଲି ପ୍ରଶ୍ନ ପଚାରିଥିଲେ । ମୁମ୍ବାଇରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ଅସୁସ୍ଥତା ସମୟରେ ନବୀନ ବାବୁ ସେମାନଙ୍କ ଚିକିତ୍ସା କରନ୍ତି ନାହିଁ ଏହି ଆୟୁଷ୍ମାନ ଯୋଜନା ଦ୍ୱାରା ସମ୍ଭବ ବୋଲି କହିଥିଲେ । ଜାତୀୟସ୍ତରରେ ଓଡ଼ିଶାର ସମ୍ମାନକୁ ସେ ବଢ଼ାଇଛନ୍ତି । ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବା, ବାଣପୁରର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଜ୍ୟପାଳ କରିବା, କୋଷ୍ଟାଲ୍ ହାଇୱେ, ପୁରୀରେ ଜଗନ୍ନାଥ ଷ୍ଟାଡିୟମ, ୨୦୦ କୋଟି ଟଙ୍କାର ଜଗନ୍ନାଥ ମେଡିକାଲ୍ କଲେଜ, ୩୬୪ କୋଟିଟଙ୍କାର ପୁରୀ ରେଳ ଷ୍ଟେସନ, ୮ହଜାର କୋଟି ଟଙ୍କାର ପୁରୀ କୋଷ୍ଟାଲ୍ ହାଇୱେ, ବେଦ ବିଶ୍ୱବିଦ୍ୟାଳୟ ଆଦି ଯୋଜନା ସମ୍ପର୍କରେ କହି ଆଗାମୀ ଦିନରେ ପଦ୍ମଫୁଲକୁ ଜିତାଇବାକୁ ଅନୁରୋଧ କରିଥିଲେ ।
ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ପ୍ରଚଳିତ ଉଜ୍ଜ୍ୱଳା, ଆୟୁଷ୍ମାନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରତି ଘରକୁ ପିଇବା ପାଣି, ନିଯୁକ୍ତି ମେଳା ସହାୟତାରେ ୧୦ଲକ୍ଷ ଯୁବକଯୁବତୀଙ୍କ ନିଯୁକ୍ତି, ଦେଶରେ ୮୦ କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ଆଦି ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହ ଅଟୋମୋବାଇଲ୍ କ୍ଷେତ୍ର, ଇସ୍ପାତ୍ ପ୍ରସ୍ତୁତି, ରସାୟନ ଶିଳ୍ପ, ଔଷଧ ପ୍ରସ୍ତୁତ ଶିଳ୍ପ, ମିଲିଅନ୍ ଡଲାର ଅର୍ଥନୀତିରେ ବ୍ରିଟେନ୍କୁ ପଛରେ ପକାଇବା ଆଦିରେ ଦେଶ ଆଗକୁ ଯାଉଥିବା ବେଳେ ପୁରୀ ସଂସଦୀୟ କ୍ଷେତ୍ରରୁ ଦଳର ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର କାହିଁକି ପଛରେ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଆସନ୍ତା ସମୟରେ ଏହି ପୁରୀ କ୍ଷେତ୍ରରେ ପଦ୍ମଫୁଲ ଫୁଟିବା ଆବଶ୍ୟକ ବୋଲି କହିଥିଲେ ।

Advertisment

ଆଜି ଅପରାହ୍ଣରେ କନ୍ଧମାଳ ସଭା ପରେ ଅପରାହ୍ଣ ୩ଟାରେ ବାଣପୁରରେ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ସଭା କାର୍ଯ୍ୟ ୪ଟା ବେଳେ ଆରମ୍ଭ ହୋଇଥିଲା । ତେବେ ପ୍ରାୟ ଅଢ଼େଇ ଘଂଟା ବିଳମ୍ବରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ସମୀର ମହାନ୍ତି ହେଲ୍କପ୍ଟରରେ ଆସି ପହଂଚିଥିଲେ । ମଧ୍ୟାହ୍ଣ ଗୋଟାଏରୁ ଆସି ଲୋକମାନେ ସଭାସ୍ଥଳରେ ଅପେକ୍ଷା କରିଥିଲେ । ଶ୍ରୀ ନଡ୍ଡା ଆସିବା ବେଳେ ଉପସ୍ଥିତ ଲୋକଙ୍କ ମଧ୍ୟରୁ ଅନେକ ମହିଳା ସଭା ଛାଡ଼ି ଚାଲିଯାଉଥିଲା । ସଭାକୁ ଚିଲିକା ବିଧାନସଭା ଆସନର ପୂର୍ବତନ ବିଜେପି ପ୍ରାର୍ଥୀ ତଥା ରାଜ୍ୟ ସହ ସମ୍ପାଦକ ପୃଥିବୀରାଜ ହରିଚନ୍ଦନ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀର ପୂର୍ବତନ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ରାଜ୍ୟ ପ୍ରଭାରୀ ଡି ପୁରନେ୍ଦଶ୍ୱରୀ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ଚିଲିକା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଡା ବିଭୂତି ଭୂଷଣ ହରିଚନ୍ଦନ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ନେତ୍ରୀ ଉପାସନା ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀରଂଜନ ମହାପାତ୍ର, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ନୟାଗଡ଼ ବିଜେପି ସଭାପତି ଲାଲାମୋହନ ରାୟ, ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଭୃଗୁ ବକ୍ସିପାତ୍ର ପ୍ରମୁଖ ମଂଚାସୀନ ଥିଲେ ।

ସଭାପରେ ଶ୍ରୀ ନଡ୍ଡା ବାଣପୁରର ଭଗବତୀଙ୍କୁ ଦର୍ଶନ କରି ନାଚୁଣୀର ଦଳୀୟ କର୍ମକର୍ତାଙ୍କ ବୈଠକରେ ଯୋଗ ଦେବାକୁ ଯାଇଥିଲେ । ତେବେ ବୈଠକରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତିକୁ ନେଇ ଉପସ୍ଥିତ ରାଜନୈତିକ ସଚେତନ ଲୋକଙ୍କ ମଧ୍ୟରେ ଆଲୋଚନା ହେବା ଦେଖିବାକୁ ମିଳିଥିଲା ।