କଣ୍ଟିଲୋ ଭିଡିଓ ଭାଇରାଲ୍‌ ଘଟଣା : ଦୁଇ ଛାତ୍ରଙ୍କ ସମେତ ୫ ଗିରଫ

ଜଣେ ରେକଡିଂ, ୫ ଭାଇରାଲ୍‌ କରିଥିଲେ

ଏବେ ବି ଜଣେ ଫେରାର

ନୟାଗଡ଼/ରାଜସୁନାଖଳା : କଣ୍ଟିଲୋ ନାବାଳିକା ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ଘଟଣାରେ ନୟାଗଡ଼ ଜିଲ୍ଲା ପୁଲିସ ଦୁଇ ଛାତ୍ର ସମେତ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ମୁଖ୍ୟ ଅଭିଯୁକ୍ତ ପବିତ୍ର କୁମାର ନାୟକ(୨୨)ର ସହପାଠୀ ଓ ଅନ୍ୟ ୩ ଜଣ ଗାଁ ସାଙ୍ଗ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଆଶିଷ କୁମାର ସିଂହ କହିଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବାବେଳେ ତା’ର ପରିଚୟ ମିଳିସାରିଛି ଓ ଖୁବ୍‌ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଂହ କହିଛନ୍ତି, ପୀଡ଼ିତା ଛାତ୍ରୀ ଓ ଭିଡିଓରେ ଥିବା ଛାତ୍ର ପବିତ୍ର ଗୋଟିଏ ମହାବିଦ୍ୟାଳୟର। ପୀଡ଼ିତା ଛାତ୍ରୀ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ଛାତ୍ରୀ ହୋଇଥିବାବେଳେ ପବିତ୍ର ଯୁକ୍ତ ତିନିରେ ପାଠ ପଢ଼ନ୍ତି। ମହାବିଦ୍ୟାଳୟରେ ଦୁଇଜଣଙ୍କ ଘନିଷ୍ଠ ସଂପର୍କ ପରେ ଘଟଣା ଦିନ ପବିତ୍ର ଛାତ୍ରୀଙ୍କୁ ସାଙ୍ଗରେ ନେଇ ଗୋକୁଳାନନ୍ଦ ପୀଠକୁ ଯାଇଥିଲା। ସେଠାରେ ଦୁଇଜଣଙ୍କ ଅନ୍ତରଙ୍ଗ ଦୃଶ୍ୟର ଭିଡିଓ ନିଜେ ପବିତ୍ର ମୋବାଇଲ୍‌ରେ ରେକର୍ଡିଂ କରିଥିଲା। ପରେ ପବିତ୍ର ଏହାକୁ ନିଜ ସାଙ୍ଗମାନଙ୍କୁ ଦେଖାଇଥିଲା। ଏହାପରେ ୬ ଜଣଯାକ ଏହି ଭିଡିଓକୁ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ କରିଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ ସିଧାମୁଳାର ରାଜେନ୍ଦ୍ର କୁମାର ନାୟକଙ୍କ ପୁଅ ଲିପୁନ୍‌(୨୯), ପରମାନନ୍ଦ ବେହେରାଙ୍କ ପୁଅ ସୁଧୀର ଓରଫ କାଳିଆ (୧୯), ଅକୃର ରାଉତଙ୍କ ପୁଅ ରବି (୨୮) ଓ ସନ୍ତୋଷ କୁମାର ଦାସଙ୍କ ପୁଅ ତପନ(୨୨)। ଅନ୍ୟ ଜଣେ ଅଭିଯୁକ୍ତ ସିଧାମୁଳାର ପୀତବାସ ମନ୍ତ୍ରୀଙ୍କ ପୁଅ ବାବୁ ଓରଫ ସମୀର(୨୨) ଫେରାର ଥିବା ଆରକ୍ଷୀ ଅଧୀକ୍ଷକ କହିଛନ୍ତି। ତପନ ଓ ସମୀର ପବିତ୍ରର ସହପାଠୀ ହୋଇଥିବାବେଳେ ଅନ୍ୟମାନେ ପବିତ୍ରଙ୍କ ଗାଁର। ଆଜି ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି। ଆସନ୍ତାକାଲି ସକାଳେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ।

ସେପଟେ ଏ ନେଇ ମହାବିଦ୍ୟାଳୟମାନଙ୍କରେ ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୋବାଇଲ୍‌ରେ ଏଭଳି ଅଶ୍ଳୀଳ ଭିଡିଓ ରେକର୍ଡିଂ କରିବା ଓ ଏହାର ଭାଇରାଲ୍‌ କରିବା ଦିଗରେ ସଚେତନ ରହିବାକୁ ପୁଲିସ ପରାମର୍ଶ ଦେବା ଆରମ୍ଭ କରିଥିବା ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର