ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର:ଆଢ଼ୁଆଳରେ ରହିଯାଉଛି ବଧୀ ପୋଖରୀ ପର୍ଯ୍ୟଟନସ୍ଥଳୀ

ରଣପୁର: ରଣପୁର ଅଞ୍ଚଳର ସର୍ବପୁରାତନ ଐତିହ୍ୟ ଭାବେ ପରିଚିତ ବଧୀ ପୋଖରୀର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଏହାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ତା ଗତ ବର୍ଷ ରଣପୁର ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଏକ ପର୍ଯ୍ୟଟନସ୍ଥଳର ସ୍ବତନ୍ତ୍ର ମାନ୍ୟତା ଦିଆଯିବ ବୋଲି ଉପସ୍ଥିତ ହଜାର ହଜାର ରଣପୁରବାସୀଙ୍କ ଆଗରେ ଘୋଷଣା କରି ଥିଲେ। ଉକ୍ତ ଘୋଷଣାକୁ ଏବେ ଏକ ବର୍ଷ ପୂରିବାକୁ ଯାଉଥିବା ବେଳେ ପର୍ଯ୍ୟଟନସ୍ଥଳର ମାନ୍ୟତା ତ ଦୂରର କଥା, ପୋଖରୀ ହୁଡ଼ା ଏବେ ପାଲଟିଛି ରଣପୁର ଏନ୍‌ଏସିର ଖୋଲା ମଳ ତ୍ୟାଗ ଅଞ୍ଚଳ। ଅପରପକ୍ଷେ ଏହାର ସୌନ୍ଦର୍ଯ୍ୟହାନୀ ହେବା ସାଙ୍ଗକୁ ଅପରିଷ୍କାର ପରିବେଶ ସୃଷ୍ଟି ହେଉଥିବା ବେଳେ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବାସ୍ତବିକ ଏପରି ବ୍ୟବସ୍ଥା ହୋଇପାରିଲେ ରଣପୁର ଏନ୍‌ଏସି ତା’ର ଆର୍ଥିକ ସଙ୍କଟ ଦୂର କରିପାରିବ ବୋଲି ଅଞ୍ଚଳବାସୀ ଦାବି କରିଆସୁଛନ୍ତି। ସୂଚନା ଥାଉକି, ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁରରେ ରହିଛି ବହୁ ପୁରାତନ ମଠ ଓ ଶ୍ରୀ ଜଗନ୍ନାଥ ମନ୍ଦିର। କିମ୍ବଦନ୍ତୀ ଅନୁଯାୟୀ ଶବର ରାଜା ବିଶ୍ବାବସୁଙ୍କ ଅମଳରୁ ଉପର ମଣିନାଗ ପାହାଡ଼ରେ ଇତିହାସର ମୁକ ସାକ୍ଷୀ ଭାବେ ପୂଜା ପାଉଛନ୍ତି ମଣିନାଗ ଠାକୁରାଣୀ। କେବଳ ଜଗନ୍ନାଥ ମନ୍ଦିର କି ମଣିନାଗ ପାହାଡ଼ ନୁହେଁ, ଏଠାରେ ରହିଛି ବହୁ ଐତିହ୍ୟସଂପନ୍ନ କ୍ଷେତ୍ର, ଯାହା କେବଳ ରଣପୁର ନୁହେଁ ସମଗ୍ର ଓଡ଼ିଶାର ଗର୍ବ ଓ ଗୌରବ ବହନ କରିଥାଏ। କିମ୍ବଦନ୍ତୀ ଓ ଇତିହାସରୁ ଜଣାପଡ଼େ ୬ଶହ ବର୍ଷ ତଳେ ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ପରେ ତତ୍କାଳୀନ ରଣପୁରର ୧୦୪ତମ ରାଜା ଉଦ୍ଧବ ନରେନ୍ଦ ସିଂହ ଗୁଣ୍ତିଚା ମନ୍ଦିର ସମ୍ମୁଖରେ ୭ ଏକର ପରିମିତ ଜାଗାରେ ପୁରୀର ନରେନ୍ଦ୍ରପୋଖରୀ ଭଳି ଏହି ବଧୀ ପୋଖରୀ ଖୋଳିବା ସହ ତା ମଧ୍ୟରେ ଚନ୍ଦନ ପୋଖରୀ ଶୈଳୀରେ ମଣ୍ତପ ନିର୍ମାଣ କରିଥିଲେ। ରଣପୁରର ଐତିହ୍ୟ ଓ ଗୌରବ ବହନ କରୁଥିବା ଏହି ପୋଖରୀରେ ପ୍ରତ୍ୟହ ରଣପୁରର ବହୁ ସାହିର ଜନସାଧାରଣ ଓ ସ୍ଥାନୀୟ ବ୍ୟବସାୟୀ ସ୍ନାନାଦି କାର୍ଯ୍ୟ କରୁଥିବା ବେଳେ ବ୍ରତ, ଯଜ୍ଞ, କଳସ ଶୋଭାଯାତ୍ରା ଭଳି ପବିତ୍ର କାର୍ଯ୍ୟ ନିମନ୍ତେ ଏଠାରୁ ଜଳ ଉଠାଇଥାନ୍ତି। ଏହାର ବିକାଶ ହୋଇପାରି ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ, ସ୍ଥାନୀୟ ଲୋକେ ପର୍ଯ୍ୟଟନ ବିଭାଗ ନିକଟରେ ଦାବି ଜଣାଇଆସୁଛନ୍ତି। ଆସନ୍ତା ୨୦୧୯ ରଣପୁର ମହୋତ୍ସବ ପୂର୍ବରୁ ଏହି ବଧୀ ପୋଖରୀକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର