ରେଳ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ ମନ୍ତ୍ରୀ : ୩ ବର୍ଷ ଯାତ୍ରାରେ ଗୋଟିଏ ବର୍ଷ ରୋକ୍‌!

ନୟାଗଡ଼ : ନୟାଗଡ଼ ଜିଲ୍ଲାକୁ ପାଖାପାଖି ୩ ବର୍ଷ ହେବ ଟ୍ରେନ୍‌ ସେବା ଆରମ୍ଭ ହୋଇଥିଲା। ତେବେ କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ମାସରୁ ଏ ପର୍ଯ୍ୟନ୍ତ ପ୍ରାୟ ଏକ ବର୍ଷ ହେବ ଟ୍ରେନ୍‌ ସେବା ଠପ୍‌ ହୋଇଯାଇଛି। ଲୋକମାନେ ଟ୍ରେନ୍‌ ସେବା ସହ ଭଲ ଭାବେ ଅଭ୍ୟସ୍ତ ହୋଇ ଆସୁଥିବା ବେଳକୁ ମହାମାରୀ କରୋନା କାଳ ସାଜିଲା।

ସୂଚନା ଅନୁସ‌‌ାରେ, ଦୁଇଟି ପାସେଞ୍ଜର ଟ୍ରେନ୍‌ ସମେତ ନୟାଗଡ଼ ଟାଉନ୍‌ ଷ୍ଟେସନ୍‌ରୁ ସେବା ଏକ୍ସପ୍ରେସ୍‌ ରାଜଧାନୀ ଭୁବନେଶ୍ବର ଗଡ଼ୁଥିଲା। ନୟାଗଡ଼ ଟାଉନ ‌ଷ୍ଟେସନ୍‌ରୁ ପ୍ରଥମ ପାସେଞ୍ଜର ଟ୍ରେନ୍‌ଟି ସକାଳ ୫ଟାରେ ନୟାଗଡ଼ ଟାଉନ୍‌ ଷ୍ଟେସନ୍‌ ଛାଡ଼ି ଜଟଣୀ ଦେଇ ପୁରୀ ଅଭିମୁଖେ ଯାଉଥିଲା। ଏହା ପରେ ପରେ ସକାଳ ୬ଟା ୩୦ରେ ସେବା ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଭୁବ‌ନେଶ୍ବର ଅଭିମୁଖେ ଯାଉଥିଲା। ତୃତୀୟ ପାସେଞ୍ଜର ଟ୍ରେନ୍‌ଟି ଜଟଣୀରୁ ସକାଳୁ ବାହାରି ନୟାଗଡ଼‌ରେ ପାଖାପାଖି ୧୦ଟା ସୁଦ୍ଧା ପହଞ୍ଚୁଥିଲା। ଉକ୍ତ ଟ୍ରେନ୍‌ଟି ୧୧ଟାରେ ପୁଣି ନୟାଗଡ଼ ଛାଡ଼ୁଥିଲା। ସେହିଭଳି ଫେରିବା ବାଟରେ ସେବା ଏକ୍ସପ୍ରେସ୍‌ ସନ୍ଧ୍ୟା ପ୍ରାୟ ୬ଟାରେ ରାଜଧାନୀ ଛାଡ଼ି ୮ଟା ୩୦ ପାଖାପାଖି ନୟାଗଡ଼ରେ ପହଞ୍ଚୁଥିଲା। ଯାହା ଲୋକମାନଙ୍କ ଯାତାୟାତକୁ ଅନେକ ସୁଗମ କରିଦେଇଥିଲା। ଆଶ୍ଚର୍ଯ୍ୟର କଥା ହେଲା, ବିଭିନ୍ନ ରାଜ୍ୟ ମଧ୍ୟରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଯାଇଛି। ବସ୍‌ ସେବା ପ୍ରାୟ ସ୍ବାଭାବିକ ହେଲାଣି। ହେଲେ ନୟାଗଡ଼ରୁ କେବେ ପୁଣି ଟ୍ରେନ୍‌ ଗଡ଼ିବ ସେଥିନେଇ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ନିଘା ନାହିଁ। ଟ୍ରେନ୍‌ ଚଳାଚଳକୁ ସ୍ବାଭାବିକ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଉଛି। ଏପରିକି ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମଧ୍ୟ ଗତ ଜାନୁଆରି ୨୧ରେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କୁ ନୟାଗଡ଼ ଟ୍ରେନ୍‌ ଚଳାଚଳ ପ୍ରସଙ୍ଗରେ ଚିଠି ‌ଲେଖିଥିଲେ। ବିଭାଗ ଚିଠି ପାଇଥିବା ବେ‌ଳେ, ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ। ଜୀବନଜୀବିକା ଦୃଷ୍ଟି‌ରୁ ନୟାଗଡ଼ ଟ୍ରେନ୍‌ ସେବାକୁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ସ୍ବାଭାବିକ କରିବାକୁ ସାଧାରଣରେ ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ଟ୍ରେନ୍‌ ଚଳାଚଳ କରୁନଥିବାରୁ ଶ୍ରମିକଙ୍କଠୁ ନେଇ ଚାକିରିଆଙ୍କ ଯାଏଁ ଅସନ୍ତୋଷ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର