ପୁଣି ଅଲୋଡ଼ା ଶିଶୁକନ୍ୟା: ଖୁଣ୍ଟୁବନ୍ଧରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ନୟାଗଡ଼: ନୟାଗଡ଼ ଶିଶୁକନ୍ୟାଙ୍କ ପାଇଁ ନର୍କ ପାଲଟିଛି। କନ୍ୟା ସନ୍ତାନମାନେ ଏଠି ଅଲୋଡ଼ା ହୋଇଯାଇଛନ୍ତି। ଶିକ୍ଷିତ ସମାଜ ବି କନ୍ୟା ସନ୍ତାନକୁ ପାଦରେ ଆଡ଼େଇ ଦେଉଛନ୍ତି। ରଣପୁର ଅଞ୍ଚଳରୁ ଏକ ପରିତ୍ୟକ୍ତ ଜାଗାରୁ ବ୍ୟାଗ୍‌ ଭିତରୁ ନବଜାତ କନ୍ୟା ସନ୍ତାନ ମିଳିବା ଘଟଣାକୁ ମାସେ ନପୁରୁଣୁ ବୁଧବାର ପୁଣି ଏକ ନବଜାତ ଶିଶୁକନ୍ୟାକୁ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର କରାଯାଇଛି। ଏଥରର ଘଟଣା ଜିଲ୍ଲା ସଦର ମହକୁମାରେ ଦେଖିବାକୁ ମିଳିଛି। ନୟାଗଡ଼ ବ୍ଲକ୍‌ ଖୁଣ୍ଟୁବନ୍ଧ ପଞ୍ଚାୟତ ବଢ଼ିଆସାହିଠାରେ ନିର୍ମାଣାଧୀନ ଏକ କଲ୍ୟାଣମଣ୍ଡପ ନିକଟରୁ ବୁଧବାର ରାତିରେ ଶିଶୁକନ୍ୟା ଜଣକ ମିଳିଥିବାବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ତାକୁ ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛି।

ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନଥିବାରୁ ତାକୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁ(ସ୍ୱତନ୍ତ୍ର ନବଜାତ ଯତ୍ନ ୟୁନିଟ୍‌)ରେ ରଖାଯାଇଛି। ଭୃଣହତ୍ୟାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚାରେ ପରିଧିରେ ଥିବା ନୟାଗଡ଼ ଜିଲ୍ଲା ନିକଟରେ କନ୍ୟା ସନ୍ତାନ ହାରକୁ ନେଇ ପୁଣି ଚର୍ଚ୍ଚାର ପରିଧିରେ ରହିଥିଲା। ଏବେ କନ୍ୟା ସନ୍ତାନକୁ ବାହାରେ ପକାଇଦେବା ଘଟଣାରେ ବି ନୟାଗଡ଼ ଜିଲ୍ଲା ଆଗରେ ରହିଥିବା ସାଧାରଣରେ ମତପ୍ରକାଶ ପାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ରୁ ମିଳିଥିବା ସୂଚନା ମୁତାବକ, କାନ୍ଦ ଶୁଣି ବଢ଼ିଆସାହିର ପୂର୍ଣ୍ଣଚନ୍ଦ୍ର ପୃଷ୍ଟି କଲ୍ୟାଣମଣ୍ଡପ ନିକଟକୁ ଯିବା ପରେ ଏକ ପରିତ୍ୟକ୍ତ ସ୍ଥାନରୁ ଲୁଗାଗୁଡ଼ା ଅବସ୍ଥାରେ ଶିଶୁକନ୍ୟାଟିକୁ ପାଇଥିଲେ। ପରେ ଶିଶୁକନ୍ୟାକୁ ଆଣି ଘରେ ରଖିଥିଲେ। ଆଜି ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଛନ୍ତି। ଶିଶୁଟିର ଅବସ୍ଥା ଭଲ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର