ଓଡ଼ଗାଁ: ଓଡ଼ଗାଁ ଥାନା ଅଂଚଳରେ ଲୁଟ୍ତରାଜ କରି ଆତଙ୍କ ସୃଷ୍ଟି କରିଥିବା ଅପରାଧୀ ଫକୀର ପ୍ରଧାନ (୨୩)କୁ ଗତକାଲି ଓଡ଼ଗାଁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ୍ ଆବେଦନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତ ଫକୀରର ଘର ଏହି ଥାନା ଅନ୍ତର୍ଗତ ଗୁଆନ୍ଦ ଗ୍ରାମରେ। ଆଜି ଭୋର ସାଢେ ୪ଟା ବେଳେ ପୁଲିସ୍ ପାଟ୍ରୋଲିଂ କରୁଥିବା ବେଳେ ସିନେମା ହଲ୍ ଛକ ନିକଟରୁ ତାକୁ ଗିରଫ କରାଯାଇଥିଲା। ତା’ ନିକଟରୁ ଗୋଟିଏ ମାଉଜର୍, ଏକ ଚୋରା ପଲ୍ସର୍, ଛୁରି ଓ ମୋବାଇଲ୍ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ଫକୀର ଓ ତାର ସହଯୋଗୀମାନେ ପଥରା ଛକଠାରୁ ଶ୍ରୀନୋଦ ପ୍ରଧାନ ନାମକ ଜଣେ କଲେଜ ଛାତ୍ର ଓ ତାଙ୍କ ସହପାଠୀଙ୍କଠାରୁ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ। ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ତାଙ୍କ ନେତୃତ୍ବରେ ଏସ୍ଆଇ ବିଡି ବିଶ୍ବାଳ, ଏଏସଆଇ ରମେଶ କୁମାର ବେହେରା ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲେ। ଗତକାଲି ଭୋର୍ ସମୟରେ ତାକୁ ଗିରଫ କରାଯିବା ପରେ ତା’ର ଅପରାଧମୂଳକ କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଥିଲା। ଓଡ଼ଗାଁ ଥାନା ସମେତ ନୟାଗଡ଼, ଶରଣକୁଳ, ରଣପୁର, ଟାଙ୍ଗି, ଚାନ୍ଦପୁର, ଭୁବନେଶ୍ବର ଇନ୍ଫୋସିଟି ଥାନାରେ ତା’ ନାମରେ ୨୫ରୁ ଊର୍ଦ୍ଧ୍ବ ଡକାୟତି ମାମଲା ରହିଛି। ଓଡ଼ଗାଁ ଥାନା ଅଂଚଳରେ ଗତ ଜାନୁୟାରୀ ମାସରେ ଶୁଣ୍ଢିଝୋଲା ଗ୍ରାମର ଦୃଷ୍ଟିହୀନ ଜିତେନ୍ଦ୍ର ବାହୁକଙ୍କୁ ଆକ୍ରମଣ କରି ଟଙ୍କା ଓ ମୋବାଇଲ୍ ଲୁଟ୍ କରିଥିଲା। ପରେ ସହଯୋଗୀଙ୍କ ସହିତ ଗତ ଅଗଷ୍ଟ ୬ ତାରିଖରେ ଜାରିଙ୍ଗି ସ୍କୁଲ୍ ନିକଟରେ ଠିକାଦାର ନରସିଂହ ପୃଷ୍ଟିଙ୍କଠାରୁ ବାଇକ୍ ଓ ଟଙ୍କା, ଅଗଷ୍ଟ ୨୦ରେ ପିମିଟ୍ କଲେଜ ନିକଟରେ ତପନ କୁମାର ପ୍ରଧାନ ନାମକ ଫାଇନାନ୍ସ କର୍ମଚାରୀଙ୍କଠାରୁ ୩୨ ହଜାର ଟଙ୍କା, ସେପ୍ଟେମ୍ବର ୨୦ ତାରିଖରେ ବୋଲଗଡ଼ ବେଲପଦର ଗ୍ରାମର ଏକ ତେଲ ଟ୍ୟାଙ୍କର୍କୁ ନନ୍ଦିଘୋରଠାରେ ଅଟକାଇ ଟଙ୍କା ଓ ମୋବାଇଲ ଲୁଟ୍, ଦୁତିକେଶ୍ବର ମନ୍ଦିର ନିକଟରୁ ସିଙ୍ଗାରପୁର ଗ୍ରାମର ସଦାସିବ ନାୟକଙ୍କଠାରୁ ବାଇକ୍, ମୋବାଇଲ୍, ଟଙ୍କା ଓ ଗତ ମାସ ୧୫ ତାରିଖରେ ଖବର କାଗଜ ବିତରକ ଦାଶରଥୀ ମହାକୁଡ଼ଙ୍କଠାରୁ ଢୋଲମସ୍କା ଗ୍ରାମ ନିକଟରୁ ଟଙ୍କା ଓ ମୋବାଇଲ୍ ଲୁଟ ଘଟଣାରେ ସେ ସଂପୃକ୍ତ ଥିବା ପୁଲିସ ନିକଟରେ ସ୍ବୀକାର କରିଛି। ତାର ଅନ୍ୟ ଚାରିଜଣ ସହଯୋଗୀ ଫେରାର ଥିବା ବେଳେ ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି।
ଦୁର୍ଦ୍ଦାନ୍ତ ଡକାୟତ ଗିରଫ୍, ମାଉଜର୍ ଓ ବାଇକ୍ ଜବତ
/sambad/media/post_attachments/wp-content/uploads/2018/12/nayagada.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)