ଖଣ୍ଡପଡ଼ା (ସୁବ୍ରତ ଦାସ) : ଏଥର ରାଜ୍ୟର ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ପ୍ରଦିନ୍ଦ୍ୱନ୍ଦ୍ୱିତା ହେଉଥିଲେ ହେଁ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବସ୍ତୁତଃ ଳଢ଼େଇ ଏକପାଖିଆ ହେଉଥିବାର ପରିଲକ୍ଷିତ ହେଉଛି। ସାରା ନିର୍ବାଚନ ମଣ୍ଡଳୀ ସବୁଜ ରଂଗର ପୋଷ୍ଟର, ବ୍ୟାନର ଓ ପତାକାରେ ଛାଇ ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଖଣ୍ଡପଡ଼ା ବିଧାନସଭା ମଣ୍ଡଳୀ ସହିତ ଦୀର୍ଘ ଦୁଇ ଦଶନ୍ଧି ଧରି ସୁପରିଚିତ ସୌମ୍ୟରଂଜନ ପଟ୍ଟନାୟକ ଏଥର ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଗତ ୨୦୧୪ ବିଧାନସଭା ନିର୍ବାଚନରେ ସେ ତାଙ୍କ ଦ୍ୱାରା ଗଠିତ ଆମ ଓଡ଼ିଶା ପାର୍ଟିର ପ୍ରାର୍ଥୀ ଭାବେ ଖଣ୍ଡପଡ଼ାରେ ଜୋର୍ଦାର ଲଢ଼େଇ କରି ମାତ୍ର ୬୦୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୁ ଜନତା ଦଳର ପ୍ରାର୍ଥୀ ଅନୁଭବ ପଟ୍ଟନାୟକଙ୍କ ଠାରୁ ହାରିଯାଇଥିଲେ। ଏଥର ଉଭୟ ପଟ୍ଟନାୟକ ଗୋଟିଏ ଶିବିରରେ। ଅନୁଭବ ସୌମ୍ୟରଂଜନଙ୍କ ସପକ୍ଷରେ ପ୍ରଚାରରେ ଲାଗି ପଡ଼ିଛନ୍ତି।
ଗତ ଥର ମୋ ବାପା-ମା’ ସୌମ୍ୟବାବୁଙ୍କୁ ମାଠିଆ ଚିହ୍ନରେ ଭୋଟ ଦେଇଥିଲେ। କିନ୍ତୁ ମୁଁ ଅନୁଭବ ପଟ୍ଟନାୟକଙ୍କୁ ଶଂଙ୍ଖ ଚିହ୍ନରେ ଭୋଟ ଦେଇଥିଲି। ମାତ୍ର ଏଥର ସେ ଦ୍ୱନ୍ଦ୍ୱ ନାହିଁ। ଏଥର ଆମେ ପୂରା ପରିବାର ଗୋଟିଏ ଚିହ୍ନରେ ଭୋଟ ଦେବୁ’’ କହିଲେ ଭାପୁର ଅଂଚଳର ଯୁବ ଭୋଟର ପବିତ୍ର କୁମାର ସ୍ୱାଇଁ।
ସୌମ୍ୟରଂଜନ ଗତ ୧୯୯୬ ମସିହାରେ ଭୁବନେଶ୍ୱର ସାଂସଦ ହେବା ଦିନଠାରୁ ଖଣ୍ଡପଡ଼ା ସହିତ ପରିଚିତ। ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପୂର୍ବରୁ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ଏକ ଅଂଶ ବିଶେଷ ଥିବାରୁ ଶ୍ରୀ ପଟ୍ଟନାୟକ ସାଂସଦ ପ୍ରାର୍ଥୀ ଭାବେ ଏହାର ଭୋଟରଙ୍କ ମଧ୍ୟରେ ବେଶ୍ ପରିଚିତ ହେଲେ। ତା’ପରେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନ ଖଣ୍ଡପଡ଼ାରୁ ଲଢି ସେ ଏହି ନିର୍ବାଚନ ମଣ୍ଡଳୀ ସହିତ ପ୍ରତ୍ୟେକ୍ଷ ଭାବେ ଯୋଡ଼ି ହୋଇଯାଇଛନ୍ତି।
ତାଙ୍କ ବିପକ୍ଷରେ ଏଥର ଲଢ଼ୁଛନ୍ତି ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ସିଦ୍ଧାର୍ଥ ଶେଖର ସିଂହ। ବିଜୁ ଜନତା ଦଳ ଟିକେଟରେ ୨୦୦୯ ନିର୍ବାଚନ ଜିତିଥିବା ଶ୍ରୀ ସିଂହ ଏଥର ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାବେ ଲଢୁଛନ୍ତି। ‘ସିଦ୍ଧାର୍ଥ ବାବୁ ପୂର୍ବରୁ ଶଂଙ୍ଖ ଚିହ୍ନରେ ଲଢ଼ି ଜିତିଥିଲେ। କିନ୍ତୁ ଏଥର ସେ ପଦ୍ମ ଚିହ୍ନରେ ଲଢ଼ୁଛନ୍ତି। ମାତ୍ର ଖଣ୍ଡପଡ଼ାରେ ଏହି ଚିହ୍ନର କାଟତି ବେଶୀ ନାହିଁ ବୋଲି ମୋର ମନେ ହୁଏ ’’ ବୋଲି କହନ୍ତି ଆଉ ଜଣେ ଭୋଟର ରମେଶ ପ୍ରଧାନ।
ସୂଚନା ଯୋଗ୍ୟ ଯେ, ୨୦୦୯ ମସିହାରେ ପୂର୍ବତନ ବିଧାୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକ ଏବଂ ୨୦୧୪ ମସିହାରେ ଶିବ ପ୍ରସାଦ ଭଞ୍ଜ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାବେ ଲଢିଥିଲେ ଓ ସେମାନେ ଯଥାକ୍ରମେ ମାତ୍ର ୩୩୩୨ ଏବଂ ୩୮୯୫ ଖଣ୍ଡ ଭୋଟ ପାଇଥିଲେ।
ଅନ୍ୟପକ୍ଷରେ କଂଗ୍ରେସ ଏଥର ପ୍ରାର୍ଥୀ କରିଛି ନବାଗତ ବସନ୍ତ ମହାରଣାଙ୍କୁ। ନିର୍ବାଚନ ମଣ୍ଡଳୀ ସାରା କୌଣସି ସ୍ଥାନରେ ତାଙ୍କର ବିଶେଷ ପ୍ରଭାବ ଥିବାର ଦେଖିବାକୁ ମିଳୁନାହିଁ। ତେବେ, ସ୍ୱାଧୀନ ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ କିଛିଟା ଟକ୍କର ଦେଉଥିଲେ ମଧ୍ୟ ତାଙ୍କର ପ୍ରଭାବ କେତେକ କ୍ଷୁଦ୍ର ଅଂଚଳରେ ସୀମାବଦ୍ଧ ଥିବାର ପରିଲକ୍ଷିତ ହୋଇଥିଲା।
ତା’ସତ୍ତ୍ୱେ ସୌମ୍ୟରଂଜନ ଆତ୍ମସନ୍ତୋଷ ଲାଭ କରି ଚୁପ୍ ବସି ନ ଥିବାର ଦେଖିବାକୁ ମିଳିଥିଲା। ଆଜି ସେ ବେଣାଗଡ଼ିଆ ଏବଂ କଣ୍ଟିଲୋ ଅଂଚଳରେ ପ୍ରଚାର କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ସପକ୍ଷରେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଏବଂ ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ା ପ୍ରଚାର କରୁଛନ୍ତି।