ଖଣ୍ଡପଡ଼ା: ସରକାରୀ ଅନୁଦାନପ୍ରାପ୍ତ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାସ୍ଥିତ ପଠାଣି ସାମନ୍ତ ମହାବିଦ୍ୟାଳୟକୁ ଗତକାଲି ନାକ୍‌ ପକ୍ଷରୁ ବି-ଗ୍ରେଡ୍‌ ମାନ୍ୟତା ମିଳିଛି। ଓଡ଼ିଶାର ୮ଗୋଟି ମହାବିଦ୍ୟାଳୟ ମଧ୍ୟରେ ନୟାଗଡ଼ ଜିଲ୍ଲାର ଏକମାତ୍ର ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଭଳି କେନ୍ଦ୍ର ସରକାରଙ୍କ ନିଜସ୍ୱ ସଂସ୍ଥା ପକ୍ଷରୁ ସ୍ୱୀକୃତି ମିଳିପାରିଛି। ପଠାଣି ସାମନ୍ତ ମହାବିଦ୍ୟାଳୟକୁ ସଫଳତା ମିଳିଥିବାରୁ ଅଂଚଳବାସୀଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଖୁସିର ଲହରୀ ଖେଳି ଯାଇଛି। ଏପରିକି କେନ୍ଦ୍ର ସରକାରଙ୍କ ତରଫରୁ ଶିକ୍ଷାକ୍ଷେତ୍ରରେ ବର୍ଷକୁ ଦେଢ କୋଟିରୁ ଅଧିକ ଟଙ୍କାର ଅନୁଦାନ ମିଳିପାରିବ ବୋଲି ଜଣାପଡ଼ିଛି। ପ୍ରକାଶ ଥାଉ କି, କିଛି ଦିନ ତଳେ କେନ୍ଦ୍ର ସରକାରଙ୍କ ନିଜସ୍ୱ ସ୍ୱାୟତ୍ତ ସଂସ୍ଥା ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଓ ପ୍ରତ୍ୟାୟନ ପରିଷଦ ଅର୍ଥାତ୍‌ ଏନ୍‌ଏଏସି ପକ୍ଷରୁ ଏକ ତିନି ଜଣିଆ ଟିମ୍‌ ପଠାଣି ସାମନ୍ତ ମହାବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ସେମାନେ ମହାବିଦ୍ୟାଳୟର ଶିକ୍ଷାକ୍ଷେତ୍ରରେ ଉନ୍ନତ ମାନଦଣ୍ଡ  ନିମନ୍ତେ ଶିକ୍ଷାଦାନ, ପାଠପଢ଼ା, ଭିତ୍ତିଭୂମି, ପରୀକ୍ଷା ଫଳ ପ୍ରଦର୍ଶନ, ମୂଲ୍ୟ ନିର୍ଦ୍ଧାରଣ, ସାମର୍ଥ୍ୟ, ଗବେଷଣା, ଶିକ୍ଷା ସାଧନ, ଶିକ୍ଷା ପ୍ରଣାଳୀ ଓ ଶିକ୍ଷାନୀତି, ଆର୍ଥିକ କ୍ଷମତା ଓ ଛାତ୍ର ସେବା  ଆଦି ବିଭିନ୍ନ କ୍ଷେତ୍ରରେ ଅନୁଧ୍ୟାନ କରିଥିଲେ ଏବଂ ଶେଷରେ ଆଜି ଏନ୍‌ଏଏସି ପକ୍ଷରୁ ସରକାରୀ ସ୍ତରରେ ପଠାଣି ସାମନ୍ତ ମହାବିଦ୍ୟାଳୟକୁ ସ୍ୱୀକୃତି ପ୍ରଦାନ କରିବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧିକ ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ ହେବାର ଗୌରବ ଲାଭ କରିଥିବା ଜଣାପଡ଼ିଛି। ଏହି ଅବସରରେ ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ମିଶ୍ର ମହାବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଅଂଚଳବାସୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

Advertisment