ରଣପୁର: ରଣପୁର ବ୍ଲକର ମୁଖ୍ୟ ଡାକ୍ତରଖାନା କୁହାଯାଉଥିବା ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଂପ୍ରତି ବହୁ ସମସ୍ୟା ଓ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଆବଶ୍ୟକ ଡାକ୍ତର ଓ ଫାର୍ମାସିଷ୍ଟ ନଥିବାରୁ ରୋଗୀସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ତୁରନ୍ତ ଡାକ୍ତର ଓ ଫାର୍ମାସିଷ୍ଟ ପଦବି ପୂରଣ ନହେଲେ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ପ୍ରକାଶ ଯେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ରାଜସୁନାଖଳା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନୟାଗଡ ଜିଲ୍ଲା ସମେତ ଖୋର୍ଦ୍ଧା, କଟକ ଆଦି ଜିଲ୍ଲାର ଲୋକେ ନିର୍ଭର କରନ୍ତି। ତେବେ ଏଠାକୁ ଆସୁଥିବା ରୋଗୀମାନେ ଉପଯୁକ୍ତ ସେବା ନପାଇ ସାମାନ୍ୟ ରୋଗରେ ଅନ୍ୟତ୍ର ସ୍ଥାନାନ୍ତରିତ ହେଉଛନ୍ତି। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ୫ ଜଣ ଡାକ୍ତର ନିଯୁକ୍ତି ପାଇବାର ନିୟମ ରହିଥିବାବେଳେ ଅଛନ୍ତି ମାତ୍ର ୨ ଜଣ ।
ଭୌଗୋଳିକ ତଥା ଗମନାଗମନ ଦୃଷ୍ଟି କୋଣ ରୁ ଏହି ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ବିଭିନ୍ନ ସମୟରେ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ର ର ସ୍ତ୍ରୀ ଓ ପ୍ରସୂତୀ ଡାକ୍ତର ଏବଂ ପୁର୍ବରୁ ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟ ରୋଗୀ ସେବା ସମ୍ଭାଳୁଥିଲେ। ତେବେ ଏଠାକୁ ନୂତନ ଭାବେ ଆସିଥିବା ଫାର୍ମାସିଷ୍ଟଙ୍କୁ ପୁନର୍ବାର ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକୁ ବଦଳି କରାଯାଇଥିବାବେଳେ ତାଙ୍କ ସ୍ଥାନରେ କାହାରିକୁ ନିଯୁକ୍ତି ଦିଆଯାଇନାହିଁ । ଫଳରେ ଫାର୍ମାସିଷ୍ଟ ପଦବି ଖାଲି ପଡିଛି । ଡାକ୍ତର ଅଭାବ ବର୍ଷବର୍ଷ ଧରି ଲାଗି ରହିଥିବାବେଳେ ବ୍ଲକର ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ରେ ପୁନର୍ବାର ଫାର୍ମାସିଷ୍ଟ ପଦବି ଖାଲି ପଡିବାକୁ ନେଇ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏ ନେଇ ସୋମବାର ରାଜସୁନାଖଳା ପଞ୍ଚାୟତ ସମିତିସଭ୍ୟା ଙ୍କ ନେତୃତ୍ୱ ରେ ଏକାଧିକ ବ୍ୟକ୍ତି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ନଉସଦ ଅଲ୍ଲୀ ଖାଁ ଙ୍କୁ ଭେଟି ସେମାନଙ୍କ ଦାବି ଅବଗତ କରିଥିବାବେଳେ ଆନ୍ଦୋଳନ ଚେତାବନୀ ଦେଇଥିବା ଜଣାପଡିଛି । ସେହିଭଳି ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀଙ୍କ ପରିଚାଳନାଗତ ତ୍ରୁଟି କାରଣରୁ ଏଠାରେ ସମସ୍ୟା ଦ୍ୱିଗୁଣିତ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ସେହିଭଳି ତାରିଆ, ମୟୁରଝାଲିଆ, ଦର୍ପନାରାୟଣପୁର ଆଦି ସ୍ୱାସ୍ଥ୍ୟକେନ୍ଦ୍ର ରେ ଆଦୌ ଡାକ୍ତର ନାହାଁନ୍ତି। ଏହି ସବୁ ସ୍ୱସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ହିଁ ରୋଗୀଙ୍କ ଭରସା । ଦିନ କୁ ଦିନ ଡାକ୍ତରଖାନା ମାନଙ୍କରେ ରୋଗୀ ସଂଖ୍ୟା ବଢୁଥିବାବେଳେ ସେହି ଅନୁସାରେ ଡାକ୍ତର ମାନଙ୍କ ସଂଖ୍ୟା କମି ଚାଲିଥିବାରୁ ରୋଗୀ ସେବା ରେ ବ୍ୟାଘାତ ସୃଷ୍ଟି ହୋଇଛି । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁରେଶ ମିଶ୍ରଙ୍କ ସହ ଯୋଗାଯୋଗ ପରେ ଫାର୍ମାସିଷ୍ଟ ସମସ୍ୟା ର ସମାଧାନ ନିମନ୍ତେ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଯାଇଥିବା ସେ କହିଛନ୍ତି।