ଦଶପଲ୍ଲା: ବିନା କାଗଜପତ୍ରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ବର୍ଷବର୍ଷ ଧରି ଚାଲିଆସୁଛି ଏକାଧିକ ଗାଡ଼ି। କେଉଁ ଗାଡ଼ିର ଫିଟ୍ନେସ୍ ନାହିଁ ତ ପୁଣି କାହାର ଇନ୍ସ୍ୟୁରାନ୍ସ ନାହିଁ। ବିଭାଗୀୟ ଅଧିକାରୀଙ୍କ ଖିଆଲି ତଥା ମନମୁଖୀ କାର୍ଯ୍ୟକୁ ନେଇ ନକଲି କାଗଜପତ୍ରରେ ଏଭଳି ଏକାଧିକ ଗାଡ଼ି ଚାଲିଆସୁଥିବାର ଗୁରୁତର ଅଭିଯୋଗ ହେଉଛି। କିଛି ଗାଡ଼ି ମାଲିକ ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାକୁ ନେଇ ବିନା କାଗଜପତ୍ରରେ ଅନେକ ଗାଡ଼ି ଚାଲି ଆସୁଥିବା ବେଳେ କର୍ମଚାରୀମାନଙ୍କୁ ମରଣମୁହଁକୁ ଠେଲି ଦିଆଯାଉଛି। ଯାହାକୁ ନେଇ ଆଜି ମଧ୍ୟଖଣ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଆର୍ବିଏସ୍କେ–୨ ଗାଡ଼ି ଦୁର୍ଘଟଣା ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡାକ୍ତର ଓ କର୍ମଚାରୀମାନେ। ଆଜି ପୂର୍ବାହ୍ଣ ପ୍ରାୟ ସାଢ଼େ ୯ଟାରେ ଆର୍ବିଏସ୍କେରେ ଲାଗିଥିବା (ଓଆର୍୦୨ବିବି-୬୧୬୫) ବୋଲେରୋ କଳସାଖମଣ ଯାଉଥିବା ବେଳେ ପୋଖରୀଗୋଛା ନିକଟରେ ଏକ ବସ୍ ସହ ଧକ୍କା ହୋଇଥିଲା। ଆର୍ବିଏସ୍କେ ଡାକ୍ତର ଚିନ୍ମୟ ବେହେରା ଓ ଡ୍ରାଇଭର୍ ସନ୍ତୋଷ ନାୟକ ଆହତ ହୋଇଥିବା ବେଳେ ସ୍ବାସ୍ଥ୍ୟକର୍ମୀ ଚିତ୍ତରଞନ ପାତ୍ର ଗୁରୁତର ଆହତ ହୋଇଥିଲେ। ପରେ ସମସ୍ତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି। ସମସ୍ତଙ୍କ ଅବସ୍ଥା ଏବେ ଭଲ ଥିବା ବେଳେ ଏକ ବଡ଼ ଧରଣର ଦୁର୍ଘଟଣାରୁ କର୍ମଚାରୀମାନେ ବର୍ତ୍ତିଯାଇଥିବା କୁହାଯାଉଛି। ମାତ୍ର ବଡ଼ କଥା ହେଉଛି ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଫିଟ୍ନେସ୍ ଓ ଇନ୍ସ୍ୟୁରାନ୍ସ ନଥିବା ଅଭିଯୋଗ ହେଉଛି। ଗାଡ଼ିର ଫିଟ୍ନେସ୍ ୨୦୧୮ ଅକ୍ଟୋବର ୧୯ ତାରିଖରୁ ଶେଷ ହୋଇଥିବା ବେଳେ ଇନ୍ସ୍ୟୁରାନ୍ସ ୨୦୧୦ ଡିସେମ୍ବର ୧୦ ତାରିଖରୁ ଶେଷ ହୋଇଯାଇଥିବା ପରିବହନ ବିଭାଗର ଓ୍ବେବ୍ସାଇଟ୍ରୁ ଜଣାପଡିଛି। କିନ୍ତୁ ବଡ଼ କଥା ହେଉଛି ସ୍ବାସ୍ଥ୍ୟ ବିଭାଗରେ ଲାଗିଥିବା ଅନେକ ଗାଡ଼ିର ଏବେ କାଗଜପତ୍ର ଠିକ୍ ନଥିବା ଓ୍ବେବ୍ସାଇଟ୍ରୁ ଜଣାପଡ଼ିବା ପରେ ଏସବୁ ଗାଡ଼ି କିଭଳି ଓ କାହା ଇଙ୍ଗିତରେ ବର୍ଷବର୍ଷ ଧରି ସ୍ବାସ୍ଥ୍ୟ ବିଭାଗରେ ଚାଲି ଆସୁଛି ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ବେତ କୁମାର ମହାପାତ୍ର କହିଛନ୍ତି ଏହାର ତଦନ୍ତ ହେବ, କେଉଁ ଗାଡ଼ିର କାଗଜପତ୍ର ନାହିଁ ଓ ଏସବୁ ଗାଡ଼ି କିଭଳି ଲାଗିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି।
ଆର୍ବିଏସ୍କେ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ବର୍ତ୍ତିଲେ କର୍ମଚାରୀ :ବିନା କାଗଜପତ୍ରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ଚାଲିଛି ଏକାଧିକ ଗାଡ଼ି
/sambad/media/post_attachments/wp-content/uploads/2019/03/nayagad-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)