ଓଡ଼ଗାଁରେ ବାଇକ ଚାଳକଙ୍କ ଉପ‌ରେ ମାଡ଼ିଗଲା ଟ୍ରକ୍‌, ଜଣେ ମୃତ

ଓଡ଼ଗାଁ : ଶନିବାର ରାତି ୮ଟା ୩୦ମିନିଟ୍ ସମୟରେ ନୟାଗଡ଼ ଜିଲ୍ଲା ଭଂଜନଗର ୨୧ନଂ ଜାତୀୟ ରାଜପଥର ଓଡ଼ଗାଁ ଥାନା ଦଲକସାହି ନିକଟରେ ଏକ ମର୍ମଦୁନ୍ତ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ଜଣେ ଗୁରୁତର ଆହତ ହୋଇ ଓଡ଼ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରୁ ଟ୍ରକର ଡ୍ରାଇଭର ଏବଂ ହେଲପର ଫେରାର ହୋଇ ଯାଇଥିବା ଜଣାପଡିଛି ।

ମିଳିଥିବା ଖବରରୁ ପ୍ରକାଶ, ନୟାଗଡ଼ ପଟୁ ଓଡ଼ଗାଁ ଅଭିମୁଖେ ଯାଉଥିବା ଏକ ଧାନ ବୋଝେଇ ଟ୍ରକ (ଗାଡ଼ିନଂ ଓଆର୦୨ଇ-୪୨୮୨) ଓଡ଼ଗାଁ ଥାନା ଦଲକସାହି ନିକଟରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ଧକ୍କା ଦେଇ ଖସି ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ବାଇକ୍‌କୁ ଧକ୍କା ଦେଇଥିଲା । ଗାଡ଼ି ଦ୍ରୁତ ଗତିରେ ଯାଉଥିବାରୁ ବାଇକ୍ ଚାଳକକୁ ଶହେ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା । ବାଇକ୍ ଚାଳକ ଉପରେ ଟ୍ରକ ଚଢି ଯିବାରୁ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ରାସ୍ତା ସାରା ରକ୍ତାକ୍ତ ହୋଇଥିଲା । ସେହି ରାସ୍ତାରେ ଚାଲି ଚାଲି ଯାଉଥିବା ଆଉ ଜଣେ ବ୍ୟକ୍ତିଙ୍କୁ ଟ୍ରକ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ଖବରପାଇ ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଂଚି ବାଇକ୍ ଚାଳକଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏପଟେ ବାଇକ୍ ଚାଳକର ମୃତ୍ୟୁକୁ ନେଇ ଚାପା ଉତ୍ତେଜନା ଦେଖା ଦେଇଥିଲା । ଘଟଣା ସ୍ଥଳରେ ଓଡ଼ଗାଁ ପୁଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଟ୍ରକ ଏବଂ ବାଇକ୍‌କୁ ଅଟକ ରଖିଛନ୍ତି । ଟ୍ରକ ଧକ୍କାରେ କିଛି ସମୟ ପାଇଁ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା । ତେବେ ଘଟଣା ସ୍ଥଳରୁ ଟ୍ରକର ଡ୍ରାଇଭର ଏବଂ ହେଲପର କୈାଣସିମତେ ଫେରାର ହୋଇ ଯାଇଛନ୍ତି । ବାଇକ୍ ଚାଳକର ପରିଚୟ ମିଳିନଥିବା ବେଳେ ହିରୋ ପ୍ୟାସନ୍ ଗାଡ଼ିନଂ ଓଡି୨୫-୮୭୪୩ ବୋଲି ଜଣାପଡିଛି । ଗାଡ଼ି ନମ୍ବର ଅନୁଯାୟୀ ଗାଡ଼ିର ମାଲିକ ଅନ୍ତର୍ଯ୍ୟାମୀ ସ୍ୱାଇଁ ଇଟାମାଟି ଅଂଚଳର ବୋଲି ପୁଲିସ କହିଛି । ତେବେ ପରିବହନ ବିଭାଗ ସଡ଼କ ସୁରକ୍ଷା ସପ୍ତାହ ପାଳନ କରୁଥିବା ବେଳେ ବେପରୁଆ ଗାଡ଼ି ଚାଳନା ଲୋକଙ୍କ ପାଇଁ କାଳ ହେଉଛି ବୋଲି ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର