ଶରଣକୁଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ରାସ୍ତାରେ ଯାଉଥିଲେ ପଛରୁ ଚଢ଼ିଗଲା ଟିପ୍ପର, ୨ ଶିଶୁଙ୍କ ସମେତ ୬ ମୃତ

ଶରଣକୁଳ: ମୃତ୍ୟୁ କେତେବେଳେ ଯେ ମାଡି ଆସିବ ତାହା ସମସ୍ତଙ୍କୁ ଅଜଣା । ଆଜି ଏମିତି ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି ଯାହା ଆପଣଙ୍କ ଛାତିକୁ ଥରାଇଦେବ । କେହି କିଛି ବୁଝିବା ଆଗରୁ ଗୋଟିଏ ନୁହଁ କି ଦୁଇଟି ନୁହଁ ଏକା ସାଙ୍ଗରେ ୬ଟି ନୀରିହ ଜୀବନର ଜୀବନଦ୍ୱୀପ ଲିଭିଯାଇଛି । ଲୁହ ଆଉ କୋହ ଭିତରେ ସ୍ତବ୍ଧ ପାଲଟିଯାଇଛି ଶରଣକୁଳ ।

ଆଜି ଅପରାହ୍ନ ୩ଟା ସମୟରେ ଏକ ହାଇୱା ଟ୍ରକ (ଓଡି ୦୨ ଇ ୬୧୬୫) ନୟାଗଡ ଆଡୁ କ୍ଷୀପ୍ର ଗତିରେ ଆସିଥିଲା । ନରେନ୍ଦ୍ରପୁର ମିଲସାହିର ଖୁଡି ସୁବାସିନି ସାହୁ(୪୨) ସ୍ୱା-ରଘୁସାହୁ ଓ ପୁତୁରାବୋହୁ ସରୋଜିନି ସାହୁ(୩୧) ସ୍ୱା-ସୋମନାଥ ସାହୁ ନିଜ ଘରସାମ୍ନାରେ ଛିଡାହୋଇଥିବା ସମୟରେ କ୍ଷୀପ୍ରଗତିରେ ଆସୁଥିବା ହାଇୱା ଟ୍ରକଟି ଉଭୟଙ୍କୁ ଧକ୍କା ଦେଇଥିଲା ଫଳରେ ସରୋଜିନି ଓ ସୁବାସିନି ଛିଟିକି ପଡି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଗାଡିଟି ଧକ୍କାଦେଇ ପୁଣି ରକେଟ୍ ବେଗରେ ଶରଣକୁଳ ବଜାର ଭିତରଦେଇ ଓଡଗାଁ ରାସ୍ତାରେ ଯାଉଥିବା ସମୟରେ ଶୁଆରସାହିଠାରେ ରାସ୍ତା କଡରେ ଠିଆ ହୋଇଥିବା ୧୭ବର୍ଷର ଯୁବକ ରାଜେଶ ମହାପାତ୍ର ପି-ରବିନାରାୟଣ ମହାପାତ୍ରଙ୍କୁ ଧକ୍କା ଦେଇଥିଲା। ଟ୍ରକ ଧକ୍କାରେ ରାଜେଶର ମୁଣ୍ଡଟି ପାଖରେ ଥିବା ଏକ ଟ୍ରାକ୍ଟରରେ ଆଘାତ ହୋଇ ମୁଣ୍ଡର ୭୦ ଭାଗ ଛିନ୍ନବିଛିନ୍ନ ହୋଇଯାଇଥିଲା ।

ସେତିକିରେ ଟ୍ରକଟି ମଧ୍ୟ ଅଟକି ନଥିଲା ସେଠାରୁ ମାତ୍ର ୧୦ଫୁଟ ଦୁରରେ ଥିବା ଏକ ଘରେ ନରପିଶାଚା ଟ୍ରକଟି ନିଳକଣ୍ଠ ମହାରଣାଙ୍କ ଘରେ ଚଢିଯାଇଥିଲା । ସେହି ସମୟରେ ରାସ୍ତାର ବାମପାର୍ଶ୍ୱଦେଇ ଏକ ହିରୋହୋଣ୍ଡା ମୋଟରସାଇକେଲ କେ ଏ ୦୧ ଜେ ୫୪୫୮ ଯୋଗେ ନରେନ୍ଦ୍ରପୁରର ପଦ୍ମଲୋଚନ ସାହୁ ନିଜ ଘରୁ ହରିହରପୁର ଆଡକୁ ଯାଉଥିବା ସମୟରେ ପଛପଟୁ ଟ୍ରକଟି ଚଢିଯାଇଥିଲା ଫଳରେ ସେଠାରେ ପଦ୍ମଲୋଚନ ପ୍ରାଣ ହରାଇଥିଲେ ।

ସେହି ସମୟରେ ଦୁଆର ମୁହଁରେ ଛିଡା ହୋଇଥିଲେ ଜେଜେ ନିଳକଣ୍ଠ ଓ ନାତୁଣୀ କାଜଲ । ଜେଜେ ନାତୁଣୀ କିଛି ଭାବିବା ପୁର୍ବରୁ ସେମାନଙ୍କ ଉପରେ ଆଖି ପିଛୁଳାକେ ଟ୍ରକଟି ଚଢି ଯାଇଥିଲା । ଫଳରେ ଜେଜେ ନାଉଣୀ ୨୦ ଫୁଟ ଏକ ଗୋଡିଗଦା ଉପରକୁ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ଜେଜେ ନିଳକଣ୍ଠ ମହାରଣା (୭୫)ପ୍ରାଣ ହରାଇଥିଲେ ଓ ନାତୁଣୀ କାଜଲ ମହାରଣାଙ୍କୁ (୧୫) ସଙ୍ଗେ ସଙ୍ଗେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ କାଜଲକୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ଟ୍ରକଟି ପାଖରେ ଥିବା ଗୋଟିଏ ଡ୍ରେଶ ଦୋକାନ,ପରିବା ଦୋକାନ ଓ ଦୁଇଟି ବନ୍ଦଥିବା କ୍ୟାବିନ ଉପରେ ମାଡିଯାଇଥିଲା । ସମସ୍ତଙ୍କ ଘର ଶରଣକୁଳବୋଲି ଜଣାପଡିଛି ।

ସେପଟେ ଦୁର୍ଘଟଣା ପରେ ଶରଣକୁଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ଟି ହାଇୱା ଟ୍ରକ ଜବତ କରିବା ସହିତ ଡ୍ରାଭରକୁ ଗିରଫ କରିଛି । ଉକ୍ତ ହାଇୱା ଗାଡିଡ୍ରାଇଭର ଦିନ ୨ ଟା ସମୟରେ କଟରାଝରୀ ପେଟ୍ରୋଲପମ୍ପ ନିକଟସ୍ଥ ମଦଦୋକାନ ପାଖରେ ଗାଡି ଲଗାଇ ମଦପିଉଥିବା ଅଞ୍ଚଳର ଲୋକମାନେ ଦେଖିଥିଲେ । ମଦ ପିଇ ବେପାରୁଆ ଗାଡିଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଛି । ମୃତକ ପରିବାରକୁ କ୍ଷତିପୁରଣ ଦାବିନେଇ ନୟାଗଡ ଭଞ୍ଜନଗର ମୁଖ୍ୟରାସ୍ତା ଅବରୋଧ କରିଥିବାବେଳେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଶରଣକୁଳ ଏସଡିପିଓ ଏସ୍ ଟପୋ,ଶରଣକୁଳ ଥାନା ଅଧିକାରୀ ବିମଳ ମଲ୍ଲିକଙ୍କ ସମେତ ପୁଲିସ ଫୋର୍ସ ମୃତୟନ ହୋଇଛନ୍ତି ।

ସମ୍ବନ୍ଧିତ ଖବର