ଖଣ୍ଡପଡ଼ାରେ ମାତିଛନ୍ତି ରାଜପଥ ଲୁଟେରା
ଭୁବନେଶ୍ୱରର ଦୁଇ ବ୍ୟବସାୟୀ ଗୁରୁତର

Advertisment

କଣ୍ଟିଲୋ : ଖଣ୍ଡପଡ଼ା ଥାନା ବାଣପୁର ପଞ୍ଚାୟତ କୁମୁଣ୍ଡି ଗ୍ରାମ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି ୦୨ଜି ୦୮୮୪)କୁ ବୋମାମାଡ଼ କରି ଲୁଟେରାମାନେ ସେଥିରେ ଯାଉଥିବା ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟେରାଙ୍କ ଆକ୍ରମଣରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ବ୍ୟବସାୟୀ ମିହିର ନିଜାମୁଦ୍ଦିନ (୪୫) ଓ ୟୁସୁଫ ଖାନ (୩୧)ଙ୍କ ସହ ଗାଡ଼ି ଡ୍ରାଇଭର୍‌ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୟୁସୁଫଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ନୟାଗଡ ଏସ୍‌ପି ଆଶିଷ କୁମାର ସିଂହ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବା ସହ ଜିଲ୍ଲାର ସମସ୍ତ ଥାନାକୁ ଆଲର୍ଟ କରିଛନ୍ତି। ତେବେ ଅପରାଧୀଙ୍କ ସମ୍ପର୍କରେ କୌଣସି ସୁରାକ ମିଳିନଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

ଘଟଣାରୁ ପ୍ରକାଶ ଯେ, ଶନିବାର ଭୋର୍‌ ୩ଟା ସମୟରେ ଛେଳି ବ୍ୟବସାୟୀ ମିହିର ନିଜାମୁଦ୍ଦିନ ଓ ୟୁସୁଫ ଖାନ୍‌ ଭୁବନେଶ୍ୱରରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ଛେଳି କିଣିବା ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲା ଗଣିଆ ଦଶିପୁର ହାଟକୁ ଆସୁଥିଲେ। ଖଣ୍ଡପଡ଼ା ଥାନା ବାଣପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମୁଣ୍ଡି ଗ୍ରାମ ନିକଟରେ ଲୁଟେରାମାନେ ଗାଡ଼ି ଉପରକୁ ଅଚାନକ ବୋମା ମାଡ଼ କରିଥିଲେ। ଗାଡ଼ିର ସାମନା କାଚ ଭାଙ୍ଗିଯାଇଥିଲା। ଗାଡ଼ି ଡ୍ରାଇଭର ଆହତ ହୋଇଥିଲେ। ଗାଡ଼ି ଅଟକିଯିବା କ୍ଷଣି ଦୁର୍ବୃତ୍ତମାନେ ମାରଣାସ୍ତ୍ର ସାହାଯ୍ୟରେ ସେମାନଙ୍କୁ ଆକ୍ରମଣ କରି ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଖବର ପାଇ ଖଣ୍ଡପଡା ଥାନା ଆଇଆଇସି ବିମଳ ମଲ୍ଲିକ, କଣ୍ଟିଲୋ ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ସମ୍ପତି ଘଟଣାସ୍ଥଳରେ ପହଞ୍ଚ ଗୁରୁତର ବ୍ୟବସାୟୀ ଦ୍ୱୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରୁ ସେମାନଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।