ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦିନକୁ ଦିନ କାଠ ସଂକଟ ଦେଖାଯାଉଛି। ଦିନେ ଦଶପଲ୍ଲା ବନାଞ୍ଚଳରୁ ଆବଶ୍ୟକ ସମସ୍ତ କାଠ ଯୋଗାଣ ହେଉଥିବା ବେଳେ ଏବେ ତାହା ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି। ରଥଖଳାରେ ଯେଉଁ ସମୟ ମଧ୍ୟରେ ଆବଶ୍ୟକ ସଂଖ୍ୟକ କାଠ ପହଞ୍ଚିବା କଥା ସେଥିରେ ବ୍ୟତିକ୍ରମ ଦେଖାଯାଉଛି। ଗତ କିଛିବର୍ଷ ହେଲା ଏଭଳି ବ୍ୟତିକ୍ରମ ଦେଖା ଦେଉଥିବା ହେତୁ ଏବେ ନୟାଗଡ଼ ବନଖଣ୍ଡ ସମେତ ଘୁମୁସରର ନର୍ଥ ଓ ସାଉଥ୍, ବୈାଦ୍ଧ ଓ ରେଢ଼ାଖୋଲ ଆଦି ବନଖଣ୍ଡରୁ କାଠ ଦିଆଯାଉଛି।
ଆବାହମାନ କାଳରୁ ଦଶପଲ୍ଲା ବନାଞ୍ଚଳରୁ ଆବଶ୍ୟକ ହେଉଥିବା ସମସ୍ତ ୮୬୫ ଖଣ୍ଡ କାଠକୁ ଯୋଗାଇ ଦିଆଯାଉଥିଲା। ଏହି ଜଙ୍ଗଲରୁ ନିୟମିତ ଶହଶହ ସଂଖ୍ୟାରେ ଗଛ କଟାଯିବା ଦ୍ବାରା ଜଙ୍ଗଲ ଧ୍ବଂସ ହେବା ସାଙ୍ଗକୁ ଆବଶ୍ୟକ ରଥକାଠ ସଂକଟ ଦେଖା ଦେଇଛି। ବଡ଼କଥା ହେଉଛି ଯେତିକି ସଂଖ୍ୟକ ଗଛ କଟାଯାଉଛି ସେହି ଅନୁପାତରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଗଛ ଲଗା ଯାଉନାହିଁ। ଫଳରେ ୨୦୧୮ ମସିହାରୁ ଦଶପଲ୍ଲା ବନାଞ୍ଚଳରେ ଏଭଳି ରଥକାଠ ସଂକଟ ଦେଖା ଦେଇଛି।
ବିଶେଷକରି ଘୋଷଯାତ୍ରା ନିମନ୍ତେ ଦଶପଲ୍ଲା ବନାଞ୍ଚଳର ପୋଖରୀଗୋଛା, ନଅସଘର, ଚଡ଼େୟାପଲ୍ଲୀ ଓ ସେଣ୍ଟ୍ରାଲ ରିଜର୍ଭ ଜଙ୍ଗଲରେ ପର୍ଯ୍ୟାପ୍ତ ଥିବା ଧଉରା, ଅସନ, ଫାଶି ଓ ଶିମିଳି ଆଦି ଆବଶ୍ୟକ କାଠ ସଂଗ୍ରହ କରାଯାଉଛି। ଏସବୁ ଜଙ୍ଗଲ ମଧ୍ୟରେ ପୋଖରୀଗୋଛାରେ ୪୨୯୨ ହେକ୍ଟର, ନଅସଘରରେ ୧୮୫୭ ହେକ୍ଟର, ଚଡ଼େୟାପଲ୍ଲୀରେ ୬୦୬୧ ହେକ୍ଟର ଓ ସେଣ୍ଟ୍ରାଲ୍ ରିଜର୍ଭରେ ୯୨୯୨ ହେକ୍ଟର ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ରହିଥିଲା। ପୂର୍ବରୁ ଦଶପଲ୍ଲା ବନାଞ୍ଚଳର ବିଭିନ୍ନ ସ୍ଥାନରେ ଜଗନ୍ନାଥ ବନପ୍ରକଳ୍ପ ନାମରେ ଧଉରା, ଅସନ ଓ ଫାଶି ଗଛ ଲଗାଯାଇଛି। ହେଲେ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ହେତୁ ଏବେ ଏସବୁ ଜଙ୍ଗଲ ମାଟିରେ ମିଶିବାରେ ଲାଗିଛି।
ପର୍ଯ୍ୟାୟକ୍ରମେ ଦଶପଲ୍ଲା ବନାଞ୍ଚଳରୁ ଏହି କାଠ ଯୋଗାଣ ହ୍ରାସ ପାଉଥିବା ବେଳେ ଯେଉଁ ପରମ୍ପରା ରହିଛି ତାହା ଧୀରେଧୀରେ ଏବେ ଲୋପ ପାଇବାକୁ ବସିଲାଣି। ଗତ ୩ ବର୍ଷର ପରିସଂଖ୍ୟାନ ଉପରେ ନଜର ପକାଇଲେ ଦଶପଲ୍ଲା ବନାଞ୍ଚଳରୁ ୨୦୨୩ ମସିହାରେ ୨୨୦, ୨୦୨୪ରେ ୧୭୭ ଓ ୨୦୨୫ରେ ୨୦୧ ଖଣ୍ଡ କାଠ ଯୋଗାଣ ହୋଇଥିବା ବେଳେ ଚଳିତବର୍ଷ ୨୫୦ ଖଣ୍ଡ କାଠ ପଠାଯିବା ନେଇ ଲକ୍ଷ୍ୟ ରଖାଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀନିବାସ ଦାଶ କହିଛନ୍ତି। ତାଙ୍କ କହିବାନୁଯାୟୀ ଏବେ ରଥ ପାଇଁ ଆବଶ୍ୟକ ହେଉଥିବା ଗଛ ଲଗାଯାଉ ନାହିଁ। ଗଛ ଲଗାଯିବା ପରେ ଏହାର ରକ୍ଷଣାବେକ୍ଷଣ ପାଇଁ ୨/୩ ବର୍ଷ ରହିଥାଏ। ପୂର୍ବରୁ ରିଜର୍ଭ ଏରିଆରେ ଯାହା ଗଛ ଲଗା ଯାଇଥିଲା ତାହା ସୁରକ୍ଷିତ ଥିବାବେଳେ ଆଉଟ୍ ସାଇଡ଼ ଫରେଷ୍ଟ ଏରିଆରେ ଲଗା ଯାଇଥିବା ଗଛ ସେତେଟା ସୁରକ୍ଷିତ ନଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/01/dasapalla-2026-02-01-22-10-00.jpg)