ଓଡ଼ଗାଁ : ବୃଦ୍ଧା ଅକର୍ମଣ୍ୟ ମା’କୁ ହତ୍ୟା କଲା ପୁଅ। ଏହି ଘଟଣା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରାବେରା ଗାଁ ତଥା ଆଖପାଖ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମିଳିଥିବା ସୂଚନା ମୁତାବକ, ରାବେରା ଗ୍ରାମର ବୃଦ୍ଧା ହେମଲତା ସାମଲ (୭୫) ପାହାଚରୁ ପଡ଼ି ଦୁଇ ଗୋଡ଼ ଭାଙ୍ଗିଯିବାରୁ ଅକର୍ମଣ୍ୟ ହୋଇଯାଇଥିଲେ। ଏହି କାରଣରୁ ସେ ଘରେ ବସି ରହିବା ଫଳରେ ପୁଅ ପଦ୍ମନାଭ ବିଭିନ୍ନ ସମୟରେ ମା’କୁ ଖାଇବାକୁ ଦେଉନଥିଲା ଏବଂ ଗାଲିଗୁଲଜ କରି ମାଡ଼ ମାରୁଥିଲା।
ଶନିବାର ସକାଳେ କୌଣସି କାରଣରୁ ପୁଅ ପଦ୍ମନାଭ ମା’କୁ ବାରିପଟେ ମାଡ଼ ମାରିଥିଲେ। ଯେତେ ଆକୁଳ ବିକଳ ହୋଇଥିଲେ ମଧ୍ୟ ପୁଅ ଛାଡ଼ିନଥିଲା। ଶେଷରେ ମାଆକୁ ଜୀବନରେ ମାରି ଦେଇଥିଲା। ମା’ ମରିଯିବା ପରେ ଛାତ ଉପରକୁ ନେଇ ଏକ ବାଉଁଶରେ ଶବକୁ ଲୁଗାରେ ବାନ୍ଧି ଝୁଲାଇ ଦେଇଥିଲା। ଏହା ପରେ ନୃଶଂସ ପୁଅ କାରନାମା ଘୋଡ଼ାଇବାକୁ ଯାଇ ଘରେ ତାଲା ପକାଇ କେଉଁଆଡ଼େ ଚାଲି ଯାଇଥିଲା। ସାହି ପଡ଼ିଶା ଲୋକେ ଲୋକେ ପଦ୍ମନାଭକୁ ଫୋନ୍ କରି ଜଣାଇବା ପରେ ସେ କିଛି ଜାଣିନଥିବା ଅଭିନୟ କରି ଆସି ଘରେ ପହଞ୍ଚିଥିଲା।
ଖବର ପାଇ ବନ୍ଧୁବାନ୍ଧବ ଲୋକେ ଆସି ମଧ୍ୟ ପହଞ୍ଚିଥିଲେ। କାଳେ ପୁଲିସ ପହଞ୍ଚି ଏହାର ଖୋଳତାଡ଼ କରିବ ସେହି ଭୟରେ ତରବରିଆ ଭାବେ ମଶାଣିରେ ନେଇ ଶବଦାହ କରି ଦେଇଥିଲେ। ପଦ୍ମନାଭ ବୁଢ଼ୀ ମା’କୁ ମାରିଥିବା ଏବଂ ସେଥିରେ କୌଣସି ସନ୍ଦେହ ନଥିବା ସାହି ପଡ଼ିଶା ଲୋକେ ନିଜ ନାଁ ଗୋପନ ରଖି ସୂଚନା ଦେଇଛନ୍ତି। ଏହାର ଖୋଳତାଡ଼ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି। ନୟାଗଡ଼ ଏସ୍ପି ସିଦ୍ଧାର୍ଥ କଟାରିଆଙ୍କୁ ପଚାରିବାରୁ ଆମକୁ ସେମିତି କିଛି ଅଭିଯୋଗ ଆସିନି, ତଥାପି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।
ପୁଅ ଧକ୍କାରେ ବାପାର ମୃତ୍ୟୁ
ନବରଙ୍ଗପୁର : ପୁଅ ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ କରିବା ପ୍ରସଙ୍ଗକୁ ନେଇ ଗତ ୯ ବର୍ଷ ହେଲା ବାପା-ପୁଅ ମଧ୍ୟରେ ଚାଲିଥିଲା ବିବାଦ। ଏହା ଗତକାଲି ରାତିରେ ବାପା ମୃତ୍ୟୁର କାରଣ ହୋଇଛି। ସୂଚନା ମୁତାବକ, ନବରଙ୍ଗପୁର ଥାନା ଅନ୍ତର୍ଗତ ବାଘସିଉନି ଗାଁର କମଳ ଲୋଚନ ଅମାନାତ୍ୟଙ୍କ ପୁଅ କେଶବ ଅନ୍ୟ ଜାତିରେ ବିବାହ କରିଥିଲା। ଏହି ଘଟଣା ପରେ କେଶବକୁ ଗାଁରୁ ବାସନ୍ଦ କରାଯାଇଥିଲା। ସେ ପତ୍ନୀ ସହ ଶ୍ବଶୁର ଘରେ ରହୁଥିଲା। ୩ ଦିନ ତଳେ କେଶବ ନିଜ ଘରକୁ ଆସିଥିଲା।
ଗତକାଲି ରାତିରେ ଅନ୍ୟ ଜାତିରେ ବିବାହ ପ୍ରସଙ୍ଗକୁ ନେଇ ବାପା-ପୁଅ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କେଶବ ବାପା କମଳ ଲୋଚନଙ୍କୁ ଶକ୍ତ ଧକ୍କା ଦେଇଥିଲା। ଯାହା ଫଳରେ ପଛପଟେ ଥିବା କାନ୍ଥରେ ପିଟି ହୋଇ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣା ସ୍ଥଳରେ ହିଁ କମଳ ଲୋଚନଙ୍କ ମୃତ୍ୟୁ ହୋଇଥିଲା। କମଳ ଲୋଚନଙ୍କ ସାନପୁଅ ତୁଳାରାମ ଆଜି ନବରଙ୍ଗପୁର ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ କେଶବକୁ ଥାନାରେ ଅଟକ ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/dead-bbc-1.jpg)