ଦଶପଲ୍ଲା: ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିବା ଜଣେ ଦଳିତ ଛାତ୍ର ୟୁନିଫର୍ମ ପ୍ୟାଣ୍ଟ ପିନ୍ଧି ନଥିବା ହେତୁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ବାରଣର ଶିକାର ହୋଇ ନିଖୋଜ ଅଛନ୍ତି। ନିଖୋଜ ଛାତ୍ର ହେଲେ ଦଶପଲ୍ଲା ଥାନା ଅଧୀନସ୍ଥ କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମର ପ୍ରମୋଦ ନାଏକଙ୍କ ପୁଅ ପ୍ରଦୀପ ନାଏକ। ପ୍ରଦୀପ ରାଧାମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାଠ ପଢନ୍ତି। ସେ ପରୀକ୍ଷା ଦେବାପାଇଁ ପରୀକ୍ଷାକେନ୍ଦ୍ର ହୋଇଥିବା ଦଶପଲ୍ଲା ଉଚ୍ଚ ବିଦ୍ୟାଳୟକୁ ଯାଇଥିଲେ। ସେ ଧଳା ସାର୍ଟ ପିନ୍ଧିଥିବା ବେଳେ ୟୁନିଫର୍ମ ପ୍ୟାଣ୍ଟ ନଥିବା ହେତୁ ଏକ କଳା ରଙ୍ଗର ଜିନ୍ ପ୍ୟାଣ୍ଟ ପିନ୍ଧିଥିଲେ। ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ ସମୟରେ ଗେଟ୍ ସମ୍ମୁଖରେ ଥିବା ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାପାତ୍ର ତାଙ୍କୁ ବାରଣ କରିଥିଲେ।

Advertisment

publive-image

ବଡ଼କଥା ହେଉଛି ସାଥୀରେ ଯାଇଥିବା ରାଧା ମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟର ଗାଇଡ୍ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର କହଁର ଛାତ୍ରକୁ ପରୀକ୍ଷା ଦେବାକୁ କେନ୍ଦ୍ର ମଧ୍ୟକୁ ଯିବାକୁ କହିଥିଲେ ମଧ୍ୟ ଶିକ୍ଷୟିତ୍ରୀ କାହାରି କଥା ଶୁଣିବାକୁ ରାଜି ନଥିଲେ। ଫଳରେ ବିଦ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହିଥିବା ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଛାତ୍ର ଜଣଙ୍କ ଅପମାନ ସହ୍ୟ ନକରି ସେଠାରୁ କେଉଁଆଡେ ନିଖୋଜ ହୋଇ ଯାଇଛନ୍ତି। ଛାତ୍ରଜଣଙ୍କ ନିଖୋଜ ଖବରପାଇ ପୁଲିସ ବିଦ୍ୟାଳୟ ଏବଂ ସଂପୃକ୍ତ ଛାତ୍ରଙ୍କ ଘରେ ପହଁଚି ଛାନଭିନ୍ କରିଥିଲେ ମଧ୍ୟ ମଧ୍ୟାହ୍ନ ସୁଦ୍ଧା କୈାଣସି ଖବର ମିଳିନାହିଁ।

ଏପଟେ ରାଧାମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ନାୟକ ଏବଂ ସହକାରୀ ଶିକ୍ଷକ ରାଜେନ୍ଦ୍ର କୁମାର ସାହୁ ମଧ୍ୟ ଘରଠାରେ ପହଁଚି ପଚରାଉଚରା କରି ଫେରିଛନ୍ତି। ହେଲେ ଛାତ୍ରର କୌଣସି ସନ୍ଧାନ ନପାଇ ପରିବାର ଲୋକ ଚିନ୍ତାରେ ରହିଥିବା ବେଳେ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବଡ଼କଥା ହେଉଛି ଉକ୍ତ ବିଦ୍ୟାଳୟଟି ନୋଡାଲ ସେଣ୍ଟର ହୋଇଥିବା ବେଳେ ଉକ୍ତ କେନ୍ଦ୍ର ମଧ୍ୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ବ୍ଲକ ଶିକ୍ଷା ଅଧିକାରୀ ରାଜକିଶୋର ମହାରଣା ଉପସ୍ଥିତ ଥିଲେ ମଧ୍ୟ ଏହି ଘଟଣା ପ୍ରତି କୈାଣସି ଗୁରୁତ୍ବ ଦେଇନଥିବା ଅଭିଯୋଗ ହେଉଛି। ତେବେ ଜଣେ ଦଳିତ ଛାତ୍ରଙ୍କୁ ୟୁନିଫର୍ମ ପ୍ୟାଣ୍ଟ ପାଇଁ ପରୀକ୍ଷା କେନ୍ଦ୍ରରୁ ବାସନ୍ଦ କରିବା ଘଟଣା ସାଧାରଣରେ ଏବେ ଆଲୋଡ଼ନ ସୃଷ୍ଟି କରିଛି।