ଖୋର୍ଦ୍ଧା : କରୋନା କଟକଣା ହଟିଛି। କିନ୍ତୁ ଦୈନିକ ସହସ୍ରାଧିକ ଲୋକଙ୍କ ‘ଜୀବନରେଖା’ ପାଲଟିଥିବା ଟ୍ରେନ୍ ଚଳାଚଳ ଏଯାଏ ସ୍ବାଭାବିକ ହୋଇନାହିଁ। ଖୋର୍ଦ୍ଧା ରୋଡ୍‌(ଜଟଣୀ)ରୁ କେନ୍ଦୁଝର, ନୟାଗଡ଼, ଖଡ଼ଗପୁର, ପୁରୀ ଆଦିକୁ ପୂର୍ବେ ଚଳାଚଳ କରୁଥିବା ୫ଟି ଟ୍ରେନ୍ ମଧ୍ୟରୁ ବର୍ତ୍ତମାନ କେବଳ ୩ଟି ପାସେଞ୍ଜର ଟ୍ରେନ୍‌ ଚାଲୁଛି। କରୋନା ପ୍ରଥମ ଲହର କଟକଣା ପରେ ଖୋର୍ଦ୍ଧା ରୋଡ୍ ଷ୍ଟେସନରୁ ବିଭିନ୍ନ ସ୍ଥାନକୁ ଚାଲୁଥିବା ୫ଟି ଟ୍ରେନ୍‌ର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା। କିନ୍ତୁ ଆରମ୍ଭ ହେବାର ମାତ୍ର କିଛି ମାସ ମଧ୍ୟରେ ଉଭୟ ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିଲା।

Advertisment

ଖୋର୍ଦ୍ଧା ରୋଡ୍ ଡିଆର୍‌ଏମ୍‌ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବେ ଖୋର୍ଦ୍ଧା ରୋଡ୍‌ ଖଡ଼ଗପୁର ମଧ୍ୟରେ ୨ଟି ପାସେଞ୍ଜର ଟ୍ରେନ୍‌ ଚଳାଚଳ କରୁଥିଲା, ଯାହାକି ଏବେ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ଖୋର୍ଦ୍ଧା ରୋଡ୍‌ରୁ ପୁରୀ ଚଳାଚଳ କରୁଥିବା ୪ଟି ଟ୍ରେନ୍‌ ମଧ୍ୟରୁ ଏବେ ୨ଟି ଟ୍ରେନ୍ ଚାଲୁଛି। ସେହିପରି ଖୋର୍ଦ୍ଧା ରୋଡ୍‌-ନୟାଗଡ଼ ଓ ଭୁବନେଶ୍ବରରୁ ଭାୟା ଖୋର୍ଦ୍ଧା ରୋଡ୍ ଦେଇ ନୟାଗଡ଼ ଯାଉଥିବା ଦୁଇଟି ଟ୍ରେନ୍ ମଧ୍ୟରୁ ବର୍ତ୍ତମାନ କେବଳ ଭୁବନେଶ୍ବର-ନୟାଗଡ଼ ସେବା ଏକ୍ସପ୍ରେସ ହିଁ ଗୋଟିଏ ବେଳା ଚଳାଚଳ କରୁଛି। ବର୍ତ୍ତମାନ ଏହା ମଧ୍ୟରୁ ୨ଟି ଟ୍ରେନ୍ ସକାଳୁ ନୟାଗଡ଼ରୁ ଛାଡ଼ି ପୂର୍ବାହ୍ଣରେ ଖୋର୍ଦ୍ଧା ରୋଡ୍‌ରେ ପହଞ୍ଚୁଛି। ତେବେ ପୂର୍ବେ ଚାଲୁଥିବା ଅପରାହ୍ଣ ଟ୍ରେନ୍‌ଟି ବାତିଲ ହୋଇଯାଇଥିବାରୁ ଖୋର୍ଦ୍ଧାରୁ ଫେରିବାକୁ ଚାହୁଁଥିବା ଲୋକଙ୍କୁ ବସ୍‌କୁ ଅପେକ୍ଷା କରିବାକୁ ପଡ଼ୁଛି। ତେବେ ପୂର୍ବେ ଭୁବନେଶ୍ବରରୁ କେନ୍ଦୁଝରଗଡ଼ ଯାଉଥିବା ପାସେଞ୍ଜର ଟ୍ରେନ୍‌କୁ କରୋନା କଟକଣା ହଟିବା ପରେ ଆଜିଠାରୁ ଖୋର୍ଦ୍ଧା ରୋଡ୍ ଯାଏ ସଂପ୍ରସାରଣ କରାଯାଇଥିବା ଜଣାଯାଇଛି।

ଗଡ଼ୁନି ପା‌ସେଞ୍ଜର୍‌, ହନ୍ତସନ୍ତ ନୟାଗଡ଼ବାସୀ
ନୟାଗଡ଼ : କରୋନା ପାଇଁ ପ୍ରାୟ ଦେଢ଼ ବର୍ଷ ହେଲା ନୟାଗଡ଼କୁ ଦୁଇଟି ଟ୍ରେନ୍‌ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଗତ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇଥିବା ସେବା ଏକ୍ସପ୍ରେସ୍‌ ଏବେ କେବଳ ନୟାଗଡ଼ ଟାଉନ୍‌ ଷ୍ଟେସନ୍‌ରୁ ଭୁବନେଶ୍ବରକୁ ଚଳାଚଳ କରୁଛି। କିନ୍ତୁ ଅନ୍‌ଲାଇନ୍‌ ମାଧ୍ୟମରେ ଏଥିପାଇଁ ସଂରକ୍ଷିତ ଟି‌କେଟ୍‌ ଆବଶ୍ୟକ ହେଉଛି। ମହାମାରୀ ପୂର୍ବରୁ ନୟାଗଡ଼କୁ ନିୟମିତ ୩ଟି ଟ୍ରେନ୍‌ ଚଳାଚଳ କରୁଥିବା ବେଳେ, ଏବେ ମାତ୍ର ଗୋଟିଏ ଟ୍ରେନ୍‌ ଚାଲୁଛି। ମହିପୁର-ପୁରୀ ପାସେଞ୍ଜର ଓ ମହିପୁର-ଖୋର୍ଦ୍ଧା ପାସେଞ୍ଜର ଏପର୍ଯ୍ୟନ୍ତ ଚଳାଚଳ କରି ନ ଥିବାରୁ ନୟାଗଡ଼ବାସୀ ହନ୍ତସନ୍ତ ହେଉଛନ୍ତି।

ଏବେ ଚଳାଚଳ କରୁଥିବା ସେବା ଏକ୍ସପ୍ରେସ୍‌ ପୂର୍ବଭଳି ଯଥେଷ୍ଟ ସେବା ଯୋଗାଇବାକୁ ସକ୍ଷମ ହୋଇପାରୁନି। ଏଥି ନିମନ୍ତେ କେବଳ ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଟିକେଟ୍‌ ସୁବିଧା ଷ୍ଟେସନ୍‌ରେ ଉପଲବ୍ଧ ହେଉଛି। ଅନ୍‌ଲାଇନ୍‌ରେ ଜଣେ ବ୍ୟକ୍ତି କେବଳ ୬ଟି ଟିକେଟ୍‌ ସଂରକ୍ଷିତ କରିପାରିବେ। ଏହି ଟ୍ରେନ୍‌ର ଯାତ୍ରୀ କ୍ଷମତା ୬୦୦ ରହିଥିବା ବେଳେ, ଟିକେଟ୍‌ ସହଜରେ ମିଳିପାରୁନଥିବାରୁ ଦୈନିକ ୫୦ ରୁ ୬୦ ଯାତ୍ରୀ ଯିବା ଆସିବା କରୁଛନ୍ତି। କେବଳ ନୟାଗଡ଼ ଟାଉନ୍‌ ଷ୍ଟେସନ୍‌ ଓ ଭୁବନେଶ୍ବରରେ ଷ୍ଟେସନ୍‌ରେ ଟିକେଟ୍‌ ସୁବିଧା ଏହି ଟ୍ରେନ୍‌ ନିମନ୍ତେ ରହିଛି। ଏହା ମଧ୍ୟରେ ଥିବା ଖୋର୍ଦ୍ଧା, ବୋଲଗଡ଼ ଆଦି କୌଣସି ‌ଷ୍ଟେସନ୍‌ରେ ଟିକେଟ୍‌ କରାଯାଉ ନାହିଁ। ନୟାଗଡ଼ରେ ଅନେକ ଶ୍ରମିକ ଶ୍ରେଣୀର ଲୋକ ଦୈନିକ ଉକ୍ତ ଟ୍ରେନ୍‌ ମାଧ୍ୟମରେ ଭୁବନେଶ୍ବରରେ ଯାଇ କାମ କରି ପୁଣି ଘରକୁ ଫେରି ପାରୁଥିଲେ। ବର୍ତ୍ତମାନ ଏସବୁ ଆଉ ସମ୍ଭବ ହୋଇପାରୁନି। ଏଭଳି ସ୍ଥିତିରେ ସ୍ବାଭାବିକ ଟ୍ରେନ୍‌ ସେବା ଆରମ୍ଭ କରିବାକୁ ବିଭିନ୍ନ ବର୍ଗର ଲୋକେ ଦାବି କରୁଛନ୍ତି।