ନୂଆଗାଁ: ନୂଆଗାଁରେ ଜମିଜମା ପଟ୍ଟା ପାଇଁ ହିତାଧିକାରୀମାନେ ତହସିଲକୁ ଧାଇଁ ଧାଇଁ ନୟାନ୍ତ ହେଉଥିଲେ ମଧ୍ୟ ପଟ୍ଟା ପାଇବାରୁ ବଂଚିତ ହୋଇଛନ୍ତି। ତହସିଲ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଲୋକେ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ମାସେ କି ଦୁଇମାସ ନୁହେଁ ଦୁଇ ବର୍ଷ ଧରି ତହସିଲ୍କୁ ଆସି ହିତାଧିକାରୀମାନେ ନିରାଶ ହୋଇ ଫେରୁଛନ୍ତି। ସରକାରୀ ବାବୁମାନେ ବିଭିନ୍ନ ଆଳ ଦେଖାଇ ଆଜିକାଲି କହି ଦିନ ପରେ ଦିନ ଗଡ଼େଇ ଚାଲିଥିଲେ ମଧ୍ୟ ପଟ୍ଟା ମିଳିବାର ନାଁ-ଗନ୍ଧ ନାହିଁ। ଏହାକୁ ନେଇ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହିତ ଏକ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଶୁଣିବାକୁ ମିଳୁଛି। ଏହି ଘଟଣାରେ ନୂଆଗାଁ ତହସିଲଦାର ନେଟ୍ୱାର୍କ ଅସୁବିଧା ଥିବା ଦର୍ଶାଇ ଘଟଣାକୁ ଏଡାଇ ଯାଇଛନ୍ତି।
ଖବରରୁ ପ୍ରକାଶ, ନୂଆଗାଁ ତହସିଲ ଉପରେ ୪ ଗୋଟି ରାଜସ୍ବ କାର୍ଯ୍ୟାଳୟର ୨୨ଟି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରୁଛନ୍ତି। ଲୋକମାନଙ୍କ ବିଭିନ୍ନ ଜାତିଗତ ପ୍ରମାଣ ପତ୍ର ସହିତ ପଟ୍ଟାର ଅବିକଳ ନକଲ ଏବଂ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଲୋକେ ଏଠାରେ ଶୋଷଣର ଶିକାର ହେଉଛନ୍ତି। ବିନା ହାତଗୁଂଜାରେ କାର୍ଯ୍ୟ ହେଉନଥିବା ଅଭିଯୋଗ ହୋଇଛି। ବର୍ଷବର୍ଷ ଧରି ଏଭଳି ଅଚଳାବସ୍ଥା ଲାଗି ରହିଥିଲେ ମଧ୍ୟ କାହାରି ଟିକେ ଦୃଷ୍ଟି ନାହିଁ। ଯଦି କେହି ମୁହଁ ଖୋଲନ୍ତି ତାର ସବୁଦିନ ପାଇଁ କାର୍ଯ୍ୟ ପଡି ରହୁଛି। ସେହିପରି ଗତ ୨୦୧୬ ମସିହାଠାରୁ କାଁ ଭାଁ କେତେଜଣଙ୍କୁ ଛାଡିଦେଲେ ଆଜି ପର୍ଯ୍ୟନ୍ତ ପଟ୍ଟା କରାଯାଇନାହିଁ। ନୂଆଗାଁ ତହସିଲ କାର୍ଯ୍ୟାଳୟ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି। ଏଠାରେ ତହସିଲ କର୍ମଚାରୀମାନେ କାମ କରିବା ତ ଦୂରର କଥା କେତେବେଳେ କାର୍ଯ୍ୟାଳୟକୁ ଆସନ୍ତି ଫେରନ୍ତି ସେସବୁ କହିବା ମୁସ୍କିଲ ହୋଇଯାଇଛି। ଲୋକେ ବିଭିନ୍ନ କାମଧନ୍ଦା ଛାଡି ତହସିଲକୁ ଆସି ଘଣ୍ଟାଘଣ୍ଟା ଧରି ବସି ଫେରୁଥିବା କହିଛନ୍ତି। ବର୍ଷବର୍ଷ ଧରି ତହସିଲରେ ଶହଶହ ପଟା ପଡି ରହିଥିଲେ ମଧ୍ୟ ଏଥିପ୍ରତି କାହାରି ଆନ୍ତରିକତା ନଥିବା ଜଣାପଡିଛି। ନୂଆଗାଁ ତହସିଲଦାର ପ୍ରଭାକର ସେଠୀଙ୍କ ଅନ୍ୟତ୍ର ବଦଳି ହେବା ପରେ ନୟାଗଡ଼ ତହସିଲଦାର ମନୋରଜଂନ ସାହୁ ଦାୟିତ୍ବରେ ରହି ପଡି ରହିଥିବା ୭ ଶହ ପଟା ବାହାର କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଥରେ ନୂଆଗାଁ ତହସିଲଦାର ଭାବେ ପ୍ରଭାକର ସେଠୀଙ୍କୁ ଏଠାରେ ନିଯୁକ୍ତି ମିଳିବା ପରେ ପଟ୍ଟା ପାଇବା ଆଶା ଲୋକଙ୍କର ମଉଳି ଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ପଟ୍ଟା ବାହାରିବା ବନ୍ଦ ରହିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ତହସିଲଦାର ପ୍ରଭାକର ସେଠୀ ପଟ୍ଟା ଦେବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି। ନେଟ୍ୱାର୍କ ଅସୁବିଧା ଥିବା ଏବଂ ବିଭିନ୍ନ ସମସ୍ୟା କାରଣରୁ ପଟ୍ଟା ଦିଆଯାଇନଥିବା କହି ଘଟଣାକୁ ଏଡାଇ ଯାଇଛନ୍ତି। ଆସନ୍ତା ଏକ ମାସ ମଧ୍ୟରେ ଲୋକଙ୍କୁ ପଟ୍ଟା ପ୍ରଦାନ କରା ନଗଲେ ଏକ ଆନ୍ଦୋଳନ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ଜମିପଟ୍ଟା ପାଇଁ ଦୁଇବର୍ଷ ଅପେକ୍ଷା:ପ୍ରତିଦିନ ନିରାଶ ହୋଇ ଫେରିବାକୁ ପଡ଼ୁଛି
/sambad/media/post_attachments/wp-content/uploads/2019/01/naydg.jpg)