ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ରେ ୱାର୍ଡମେମ୍ବର ପଦ ହେଲା ନିଲାମ

ଡିଗିରିରେ ୫୧ ହଜାର ଓ ଦଲକସାହିରେ ୬୨ ହଜାର ଟଙ୍କା

ଦଶପଲ୍ଲା : ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଚାରିଆଡ଼େ ଉଷ୍ମତା ଦେଖିବାକୁ ମିଳୁଛି। ଇତିମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିବସ। ଯାହାକୁ ନେଇ ଅପ୍ରତିଦ୍ବନ୍ଦ୍ବୀ ରହିବା ପାଇଁ ବିଭିନ୍ନ ପ୍ରାର୍ଥୀଙ୍କ ମଧ୍ୟରେ କିଣାବିକା ଚାଲିଥିବା ବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ରେ ଏପରି ଏକ ରୋଚକ ଘଟଣା ସାମ୍ନ‌ାକୁ ଆସିଛି। ଏଠି ସରପଞ୍ଚ କିମ୍ବା ସମିତି ସଭ୍ୟ ପଦ ନୁହେଁ, ସାମାନ୍ୟ ୱାର୍ଡମେମ୍ବର ପଦ ପାଇଁ ୫୦ ହଜାରରୁ ଊର୍ଦ୍ଧ୍ବ ଟଙ୍କାରେ ନିଲାମ ହୋଇଥିବା ଜଣାପଡିଛି। କିଛିଦିନ ତଳେ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ୍‌ ବିଲେଇସର୍ଡା ପଞ୍ଚାୟତରେ ସରପଞ୍ଚ ପଦ ନିଲାମ ହେବା ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ୱାର୍ଡମେମ୍ବର ପଦ ନିଲାମ ଘଟଣା ତାହାଠାରୁ ଅଧିକ ରୋଚକ ବୋଲି ଚର୍ଚ୍ଚା ହେଉଛି।

ସ୍ଥାନୀୟ କିଛି ଅଧିବାସୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଶପଲ୍ଲା ବ୍ଲକ୍‌ର ଡିହଗାଁ ପଞ୍ଚାୟତସ୍ଥିତ ଡିଗିରି ଗ୍ରାମରେ ୱାର୍ଡମେମ୍ବର ପାଇଁ ଗ୍ରାମର ୫ ଜଣ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥିଲେ। ଏହି ପଦବି ପାଇଁ ଗାଁରେ ବିବାଦ ସୃଷ୍ଟି ହେବାରୁ ଗ୍ରାମରେ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କୁ ମଧ୍ୟ ଏହି ବୈଠକକୁ ଡକାଯାଇଥିଲା। ସମସ୍ତଙ୍କ ସହମତି କ୍ରମେ ନିଲାମ କରାଯାଇ ଘଟଣାର ସମାଧାନ ନିଷ୍ପତ୍ତି ହୋଇଥିଲା। ଯେଉଁଥିରେ ୩୦ ହଜାର ଟଙ୍କାରୁ ନିଲାମ ଆରମ୍ଭ ହୋଇଥିଲା। ଏହା ଧୀରେ ଧୀରେ ବୃଦ୍ଧି ପାଇ ୫୧ ହଜାର ଟଙ୍କାରେ ପହଞ୍ଚିଥିଲା। ଏହାପରେ ସେହି ବ୍ୟକ୍ତିଙ୍କ ବ୍ୟତୀତ ଆଉ କୈାଣସି ବ୍ୟକ୍ତି ୱାର୍ଡମେମ୍ବର ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ଉପରେ ବାରଣ କରାଯାଇ ନିଷ୍ପତ୍ତି ନିଆଯାଇଥିଲା।

ସେହିଭଳି ଏହି ପଞ୍ଚାୟତର ଦଲକସାହିରେ ମଧ୍ୟ ସମାନ ଅବସ୍ଥା ଘଟିଥିବା କୁହାଯାଇଛି। ୨ ଜଣ ବ୍ୟକ୍ତି ୱାର୍ଡମେମ୍ବର ହେବା ଆଗ୍ରହୀ ଥିବା ବେଳେ ଏହି ନିଲାମ ୬୨ ହଜାର ଟଙ୍କାରେ ଛିଣ୍ତିଥିଲା। ଯାହାକୁ ନେଇ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଖାଲି ସେତିକି ନୁହେଁ ସରପଞ୍ଚ ଏବଂ ସମିତିସଭ୍ୟ ପଦ ପାଇଁ ପ୍ରାର୍ଥୀମାନେ ଏସବୁ ଗାଁରେ ପହଞ୍ଚି ମୋଟା ଅଙ୍କର ଟଙ୍କା ଦେଇ ଭୋଟ୍‌ କିଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର