ଜମି ବିବାଦରୁ ଗୁଳି, ବୋମାମାଡ଼ : ଯୁବକଙ୍କୁ ବୀଭତ୍ସ ହତ୍ୟା

ନୟାଗଡ଼/ରଣପୁର/ରାଜସୁନାଖଳା : ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ରାଜସୁନାଖଳା ମେଡିକାଲ୍‌ ଛକରେ ଜମି ବିବାଦକୁ କେନ୍ଦ୍ର କରି ଗୁଳି ଓ ବୋମାମାଡ଼ ହୋଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ତୁଳସୀଦେଇପୁରର ଶଙ୍କର ବାରିକଙ୍କ ପୁଅ ଟୁଲୁ (୩୩)ଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବୋମାମାଡ଼ ଅତି ନିକଟରୁ ହୋଇଥିବାରୁ ମୃତ ଟୁଲୁଙ୍କ ଅନ୍ତବୁଜୁଳା ବାହାରକୁ ବାହାରି ଆସିଛି। ଏହି ଘଟଣା ପରେ ରଣପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଫରେନ୍‌ସିକ୍‌ ଟିମ୍‌ ବି ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛି। ଗୁଳି ଓ ବୋମାମାଡ଼ରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କ ପରିଚୟ ମିଳିସାରିଛି ଓ ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ରଣପୁର ଥାନା ଅଧିକାରୀ ଗିରିଜା ଶଙ୍କର ରଥ କହିଛନ୍ତି। ସେପଟେ ମୃତ ଟୁଲୁ ନାଁରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଓ ନିକଟରେ ସେ ଜେଲ୍‌ରୁ ଫେରିଥିବା ଥାନା ଅଧିକାରୀ ଶ୍ରୀ ରଥ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ଟୁଲୁ ସପରିବାର ରାଜସୁନାଖଳା ଗୋପପୁରସାହିରେ ଭଡ଼ା ସୂତ୍ରରେ ରହିଆସିବା ସହ ସ୍ଥାନୀୟ ଅଂଚଳରେ ଅଟୋ ଚଲାଚଲି କରନ୍ତି। ଏ ସହିତ ସେ ଜମିବାଡ଼ି କିଣାବିକାର ବି ମଧ୍ୟସ୍ଥି କରନ୍ତି। ଏକ ଜମିବାଡ଼ି କିଣାବିକାକୁ କେନ୍ଦ୍ର କରି କିଛି କ୍ରେତାଙ୍କ ସହ ବହୁଦିନରୁ ତାଙ୍କର ବିବାଦ ଲାଗି ରହିଥିଲା। ଏମାନେ ବାରମ୍ବାର ଟୁଲୁଙ୍କୁ ଧମକଚମକ ଦେଇ ଆସୁଥିଲେ। ଆଜି ରାଜସୁନାଖଳା ମେଡିକାଲ୍‌ଠାରୁ ମାତ୍ର ୧୦୦ ମିଟର ଦୂରରେ ଏକ ଚା ଦୋକାନରେ ଚା ପିଉଥିବା ସମୟରେ ୪ ଜଣ ବ୍ୟକ୍ତି ବାଇକ୍‌ରେ ଆସି ଟୁଲୁଙ୍କ ସହ ପାଟିତୁଣ୍ଡ କରିଥିଲେ। ଦୁଇପକ୍ଷଙ୍କ ବଚସା ପରେ ବାଇକ୍‌ରେ ଆସିଥିବା ବ୍ୟକ୍ତିମାନେ ଟୁଲୁଙ୍କୁ ଗୁଳି କରିବାକୁ ଚେଷ୍ଟା କରୁଥିବାବେଳେ ସେ ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବାଇକ୍‌ରେ ଆସିଥିବା ବ୍ୟକ୍ତିମାନେ ଟୁଲୁ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ମାଡ଼ କରିଥିଲେ। କିନ୍ତୁ ଗୁଳିଟି ଟୁଲୁଙ୍କ ଦେହରେ ବାଜିନଥିଲା।

ପରେ ଘଟଣାସ୍ଥଳରୁ ଦୌଡ଼ି ପଳାଉଥିବା ବେଳେ ଆକ୍ରମଣକାରୀମାନେ ପଛପଟୁ ଏକ ବୋମାମାଡ଼ କରିଥିଲେ। ବୋମାଟି ଟୁଲୁଙ୍କ ଅଣ୍ଟା ପଛପାଖରେ ବାଜିଥିଲା। ବୋମାମାଡ଼ରେ ଟୁଲୁ ଘଟଣାସ୍ଥଳରେ ହିଁ ମୁହଁମାଡ଼ି ତଳେ ପଡ଼ିଯାଇଥିଲା। ବୋମା ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଆଗପଟ ପେଟ କଣା ହୋଇ ଅନ୍ତବୁଜୁଳା ବାହାରି ଆସିଥିଲା। ପରେ ଆକ୍ରମଣକାରୀମାନେ ସେଠାରୁ ଖସି ପଳାଇଥିଲେ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ରାଜସୁନାଖଳା ଡାକ୍ତରଖାନାରେ ଟୁଲୁଙ୍କୁ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ରଣପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋକା ଓ ବୋମାର ଅଂଶ ସବୁ ସଂଗ୍ରହ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଟୁଲୁଙ୍କ ସ୍ତ୍ରୀ ମଧୁସ୍ମିତାଙ୍କ ଅଭିଯୋଗ, ଜମିବାଡ଼ି କିଣାବିକାକୁ କେନ୍ଦ୍ର କରି ରବି ଦୋରା ଓ ତାର ସହଯୋଗୀଙ୍କ ସହ ତାଙ୍କ ସ୍ୱାମୀଙ୍କ ବାଦବିବାଦ ଲାଗି ରହିଥିଲା। ରବି ଏ ନେଇ ତାଙ୍କୁ ହତ୍ୟା ଧମକ ଦେଇ ଆସୁଥିଲା। ରବି ହିଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ହତ୍ୟାକାଣ୍ଡ ପୂର୍ବରୁ ଟୁଲୁ ତାଙ୍କୁ ଫୋନ୍‌ କରିଥିବା ମଧୁସ୍ମିତା କହିଛନ୍ତି। ଏହି ଘଟଣାରେ ବିଳମ୍ବିତ ରାତି ସୁଧା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସମର୍ଥ ହୋଇନାହିଁ।

ସମ୍ବନ୍ଧିତ ଖବର