ଯୁବକଙ୍କୁ ତଣ୍ଟି କାଟି ହତ୍ୟା: ବିଲରୁ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର

ନୟାଗଡ଼ : ରବିବାର ସକାଳେ ନୟାଗଡ଼ ବ୍ଲକ୍‌ ଇଟାମାଟି ଥାନା ଲାଠିପଡ଼ା ଜଗତିସାହି ବିଲ ମଧ୍ୟରୁ ପୁଲିସ୍‌ ଏକ ଅଜଣା ଯୁବକଙ୍କର ମୃତଦେହ ଉଦ୍ଧାର କରିଛି। ଏହି ଖବର ଲେଖାଯିବାବେଳକୁ ମୃତକଙ୍କ ପରିଚୟ ଜଣାପଡିନଥିଲା।

ଆଜି ସକାଳେ ବିଲକୁ କାମ କରିବା ପାଇଁ ଗାଁ’ର କିଛି ଲୋକ ଯାଇଥିବା ବେଳେ ତଣ୍ଟିକଟା ଅବସ୍ଥାରେ ଯୁବକଙ୍କ ମୃତଦେହ ଦେଖି ଚମ୍‌କି ପଡିଥିଲେ। ଗାଁ ଲୋକଙ୍କଠୁ ଖବର ପାଇ ଇଟାମାଟି ଥାନା ପୁଲିସ ସାଙ୍ଗରେ ସାଇଣ୍ଟିଫିକ୍‌ ଟିମ୍‌କୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ବୟସ ୪୦ରୁ ୪୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଇଛି। ତାଙ୍କ ତଣ୍ଟିକୁ କୌଣସି ଏକ ଧାରୁଆ ଅସ୍ତ୍ରରେ କଟାଯାଇ ହତ୍ୟା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅତିରିକ୍ତ ଏସ୍‌ପି ଦିଲ୍ଲୀପ କୁମାର ସାହାଣୀଙ୍କ ସୂଚନା ଅନୁଯାୟୀ, ଯୁବକଙ୍କୁ କୌଣସି ଜାଗାରେ ହତ୍ୟା କରାଯିବା ପରେ ଏଠାରେ ଆଣି ଫୋପାଡ଼ି ଦିଆଯାଇଛି। ଯୁବକଙ୍କ ଗୋଡ଼ର କିଛି ଆଙ୍ଗୁଠି ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ପୁଲିସ ଏକ ମାମଲା ରଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର