ଭୁବନେଶ୍ବର: ଦୁଃଖ ଯେତେବେଳେ ଆସେ କିଛି କହିକି ଆସେନି । ସମୟ ସୁଅରେ ଦୁଃଖୀ ଲୋକଟିକୁ ଆହୁରି ଦୁଃଖ ଆଡକୁ ଠେଲିଦିଏ । ସକାଳୁ ସକାଳୁ ବାପ ଛେଉଣ୍ଡ ଝିଅଟି ନିଜ ପରିବାର ପ୍ରତିପୋଷଣ ପାଇଁ ଅଫିସ୍ ଯାଉଥିବା ସମୟରେ ଘଟିଯାଏ ଦୁଃଖଦ ଘଟଣା । ହଠାତ୍ ସାମନାରୁ ଦ୍ରୁତ ଗତିରେ ମାଡି ଆସୁଥିବା ଗାଡିଟି ଗୋଟିଏ ହସଖୁସି ପରିବାରରେ ଆଣିଦିଏ ଅକାଳ ବିପତ୍ତି । ବାପାଙ୍କ ମୃତ୍ୟୁ ପରେ ବିଧବା ମାଆ, ସାନ ଭଉଣୀ , ଗୋଟେ କୁନିଭାଇର ପେଟରେ ଦାନା ଗଣ୍ଡେ ଯୋଗାଡ କରିବାକୁ ଅଣ୍ଟା ଭିଡିଥିବା ଇନ୍ଦ୍ରାଣୀ ସିଂ ଆଜି ଜୀବନ ମୃତ୍ୟୁର ଲୁଚକାଳି ଖେଳ ଭିତରେ କଟକର ଏକ ଘରୋଇ ହସ୍ପିଟାଲରେ ଦୟନୀୟ ଅବସ୍ଥାରେ ସଂଗ୍ରାମ କରି ଚାଲିଛନ୍ତି ।
ଚିକିତ୍ସାଧୀନ ଇନ୍ଦ୍ରାଣୀଙ୍କ ପରିବାର ପାଖରେ ଚିକିତ୍ସା ଲାଗି ସମ୍ବଳ ନାହିଁ। ତାଙ୍କ ପରିବାର ସାମାଜିକ ସଂଗଠନ ଓ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ କିଛି ସାହାଯ୍ୟ ସହଯୋଗ ଆଶା କରୁଛନ୍ତି । ଇନ୍ଦ୍ରାଣୀଙ୍କ ଗରିବ ପରିବାର ଲାଗି ୭/୮ ଲକ୍ଷ ଟଙ୍କା ଯୋଗାଡ଼ କରିବା କଷ୍ଟକର ବ୍ୟାପାର। ଏଣୁ ସମସ୍ତଙ୍କୁ ସାହାଯ୍ୟର ହାତ ବଢ଼ାଇବା ଲାଗି ନିବେଦନ କରିଛନ୍ତି। ଇନ୍ଦ୍ରାଣୀ ସିଂଙ୍କ ଘର ଚଣ୍ଡିଖୋଲ ନିକଟସ୍ଥ ସୁଭଦ୍ରପୁର (ଚାରିବାଟିଆ)। ଏହି ଟେଲିଫୋନ ନମ୍ବରରେ 9178473973 ଇନ୍ଦ୍ରାଣୀଙ୍କ ପରିବାର ସହିତ ଯୋଗାଯୋଗ କରାଯାଇପାରିବ।