ବାଲିଅନ୍ତା: ବାଲିଅନ୍ତା ବ୍ଲକ ଜୟଦେବ ପଞ୍ଚାୟତ ଅଧୀନ ମହୁଖଣ୍ଡା ଗ୍ରାମର ଜ୍ୟୋତ୍ସ୍ନାରାଣୀ ମୁଦୁଲି (୩୨) ନାମକ ଜଣେ ଦିବ୍ୟାଙ୍ଗ ମହିଳା ଦୀର୍ଘ ୧୦ ମାସ ହେଲା ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ରାସନକାର୍ଡ଼ରେ ତାଙ୍କର ଆଧାର ଲିଙ୍କ ହୋଇପାରି ନଥିବାରୁ ରାସନକାର୍ଡ଼ କଟିଯାଇଥିବା ଜଣାପଡ଼ିଛି । ତେଣୁ ସରକାରୀ ଯୋଜନାରେ ଏହି ସୁବିଧା ପାଇବାରୁ ବାଦ ପଡ଼ିଯାଇଥିବା ସୂଚନା ମିଳିଛି । ଜ୍ୟୋତ୍ସ୍ନା ଜଣେ ଦୃଷ୍ଟିବାଧିତ ମହିଳା । ସେ ୮୦ ପ୍ରତିଶତ ଦୃଷ୍ଟିବାଧିତ ହୋଇଥିବା ଯୋଗୁ ତାଙ୍କର ଆଧାରକାର୍ଡ଼ ହେବା ସମ୍ଭବ ନୁହେଁ । ବାର୍ଦ୍ଧକ୍ୟ ଭତ୍ତା ୫୦୦ ଟଙ୍କା ଓ ୧୦ କିଲୋ ରାସନ ସାମଗ୍ରୀ ପାଉଥିବା ବେଳେ କଷ୍ଟେମଷ୍ଟେ ଚଳିଯାଉଥିଲେ ।

Advertisment

ରାସନ ଚାଉଳ ବନ୍ଦ ହୋଇଯିବା ପରେ ବର୍ତ୍ତମାନର ମହଙ୍ଗା ବଜାରରେ ଆବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ସମ୍ଭବ ହେଉନାହିଁ । ତେଣୁ ସେ ବଡ଼ ଅସହାୟ ଅବସ୍ଥାରେ ଗୁଜୁରାଣ ମେଣ୍ଟାଉଥିବା କହିଛନ୍ତି । ରାସନ ସାମଗ୍ରୀ ପାଇଁ ସେ ବାରମ୍ବାର ପଞ୍ଚାୟତ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ଏମିତିକି ରାସନ ଚାଉଳ ପାଇବା ପାଇଁ ସେ ବ୍ଲକ ସଭା କକ୍ଷରେ ଅନୁଷ୍ଠିତ ଗତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜଣାଇଥିଲେ ।

ହେଲେ କୌଣସି ଅଧିକାରୀ ଓ ଜନ ପ୍ରତିନିଧିବୃନ୍ଦ କିଛି କର୍ଣ୍ଣପାତ କରୁନଥିବା ସେ କ୍ଷୋଭର ସହ ଜଣାଇଛନ୍ତି । ବାପ ମା’ କେବେଠୋରୁ ଆରପାରିକୁ ଚାଲିଗଲେଣି । ନିଜର କହିଲେ ବାହାର ରାଜ୍ୟରେ ରହୁଥିବା ତାଙ୍କର ଏକମାତ୍ର ବିବାହିତ ବଡ଼ ଭଉଣୀକୁ ଛାଡ଼ିଦେଲେ ଆଉ କେହି ନାହାନ୍ତି । ଏବେ ସେ ସଂପର୍କୀଙ୍କ ପାଖରେ ଆଶ୍ରୟ ନେଇଛନ୍ତି । କହିବାକୁ ଗଲେ ସରକାରୀ ଅର୍ଥରେ ବଞ୍ଚିବା ଛଡ଼ା ତାଙ୍କର ଆଉ ଅନ୍ୟ ଉପାୟ କିଛି ନାହିଁ । ଏଭଳି ସ୍ଥିତିରେ ସହୃଦୟତାର ବିଚାର ସହ ଜ୍ୟୋତ୍ସ୍ନାଙ୍କୁ ତୁରନ୍ତ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତଭୁର୍କ୍ତ କରି ତୁରନ୍ତ ଚାଉଳ ଯୋଗାଇ ଦେବାକୁ ଦାବି ହେଉଛି ।