ବୀରମହାରାଜପୁର: ନିକଟରେ ପ୍ରକାଶିତ ହୋଇଥିବା ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର କମଳପୁର ଗ୍ରାମର ଶାଶ୍ୱତ କୁମାର ପଣ୍ଡା ୭୨୦ ରୁ ୬୨୭ ମାର୍କ ହାସଲ କରି ପ୍ରମୁଖ ସରକାରୀ ଭେଷଜ ମହାବିଦ୍ୟାଳୟରେ ଡାକ୍ତରୀ ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ବୁର୍ଲା ଡିଏଭି ସ୍କୁଲରୁ ଦଶମ ଶ୍ରେଣୀରେ ୯୭ ପ୍ରତିଶତ ଏବଂ ଭୁବନେଶ୍ଵର ୟୁନିଟ-୮ ଡିଏଭି ସ୍କୁଲରୁ ଦ୍ଵାଦଶ ଶ୍ରେଣୀରେ ୯୪ ପ୍ରତିଶତ ମାର୍କ ରଖି ଜଣେ ମେଧାବୀ ଛାତ୍ର ହିସାବରେ ସେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିଲେ ଓ ଏହାପରେ ଏକ ବର୍ଷ ସେ ନିଟ୍ ପାଇଁ ପ୍ରଗାଢ଼ ଉଦ୍ୟମ କରିଥିଲେ। ତାଙ୍କ ପିତା ବିଶ୍ଵପତି ପଣ୍ଡା ଓଡ଼ିଶା ପୁଲିସର ଗୁଇନ୍ଦା ବିଭାଗ ମୁଖ୍ୟାଳୟ ଭୁବନେଶ୍ଵରରେ ଡିଏସପି ଭାବରେ କାର୍ଯ୍ୟରତ ଏବଂ ମା’ ହେମଲତା ପଣ୍ଡା ଜଣେ ସୁଗୃହିଣୀ।

Advertisment

ତାଙ୍କ ଜେଜେବାପା ସ୍ଵର୍ଗତ ଗଣପତି ପଣ୍ଡା ବୀରମହାରାଜପୁର ଅଞ୍ଚଳର ଜଣେ ସ୍ୱନାମଧନ୍ୟ ଶିକ୍ଷାବିତ୍ ତଥା ଏଠାକାର ବାଳକ ଉଚ୍ଚବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ଥିଲେ। ତାଙ୍କ ଅଜା ସ୍ଵର୍ଗତ ଉଦୟନାଥ ବଡପଣ୍ଡା ମଧ୍ୟ ରାମପୁର ଅଞ୍ଚଳର ଜଣେ ବିଶିଷ୍ଟ ବ୍ୟକ୍ତି ଓ ଆଦର୍ଶ ଶିକ୍ଷକ ହିସାବରେ ପ୍ରସିଦ୍ଧ ଥିଲେ। ଜଣେ ପ୍ରତିଷ୍ଠିତ ବିଶେଷଜ୍ଞ ଡାକ୍ତର ହିସାବରେ ଜନସାଧାରଣଙ୍କ ସେବା କରି ସେମାନଙ୍କ ଦୁଃଖ ମୋଚନ କରିବା ହିଁ ତାଙ୍କ ଜୀବନର ଲକ୍ଷ୍ୟ ବୋଲି ଶାଶ୍ୱତ କୁହନ୍ତି। ତାଙ୍କର ସଫଳତାରେ ତାଙ୍କ ଗ୍ରାମ କମଳପୁର ଗ୍ରାମବାସୀ ଏବଂ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି।