ବ୍ରହ୍ମପୁର : ପ୍ରସ୍ତାବିତ ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀ ସ୍ଥିତ ରେଳଡବା କାରଖାନା ବିଷୟରେ ବଜେଟ୍‌ରେ ପଦେ ଉଲ୍ଲେଖ କରାଯାଇ ନାହିଁ। ଏ ପ୍ରକଳ୍ପ ଶୀତଳଭଣ୍ଡାରରେ ପଡ଼ି ରହିଗଲା। ପ୍ରସ୍ତାବିତ ଦୁଇଟି ପ୍ରକଳ୍ପ ଗୋପାଳପୁର-ତାଳଚେର ଓ ଗୋପାଳପୁର-ରାୟଗଡ଼ା ଆଗକୁ ବଢ଼ିପାରି ନାହିଁ। ଏହି ଦୁଇଟି ରେଳଲାଇନ୍‌ ପାଇଁ ଟଙ୍କାଟିଏ ସ୍ବତନ୍ତ୍ର ବ୍ୟୟବରାଦ ‌କରାଯାଇ ନାହିଁ।

Advertisment

ଦକ୍ଷିଣ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହିତ ଯୋଡ଼ିବା ପାଇଁ ଦୀର୍ଘଦିନର ସ୍ବପ୍ନ ଗୋପାଳପୁର-ସମ୍ବଲପୁର ରେଳଲାଇନ୍‌ ପୂରଣ ହୋଇପାରୁ ନାହିଁ। ଚଳିତ ବଜେଟ୍‌ରେ ଏହି ପ୍ରକଳ୍ପ ପାଇଁ ପୂର୍ଣ୍ଣ ଅନୁଦାନ ମିଳିବ ବୋଲି ଆଶା କରାଯାଉଥିଲା। ହେଲେ ବଜେଟ୍‌ରେ ମାତ୍ର ୧୦କୋଟି ଟଙ୍କା ମଂଜୁର କରାଯାଇଛି। ଏହି ପ୍ରକଳ୍ପର ଫାଇନାଲ୍‌ ଲୋକେସନ୍‌ ସର୍ଭେର ଚୂ୍‌ଡ଼ାନ୍ତ ରିପୋର୍ଟ ଦାଖଲରେ ବିଳମ୍ବ ହେଉଥିବାରୁ ପୂର୍ଣ୍ଣ ଅନୁଦାନ ମଂଜୁର ହୋଇପାରୁ ନଥିବା କବିସୂର୍ଯ୍ୟନଗରର ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ବି. ଶଙ୍କର ପାତ୍ର କହିଛନ୍ତି। ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍‌(ଓରିଡିଏଲ୍‌) ଅଧୀନରେ ଏହି ପ୍ରକଳ୍ପ ରହିଛି। ଏହା ସହିତ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାକୁ ରେଳ ସଂଯୋଗ ଆଶା ମଉଳି ଯାଇଛି ବୋଲି ଶ୍ରୀ ପାତ୍ର କହିଛନ୍ତି।

ଗୋପାଳପୁର-ସମ୍ବଲପୁର ରେଳଲାଇନ୍‌ ପାଇଁ ମାତ୍ର ୧୦ କୋଟି

publive-image Anadolu Agency

ସେହିପରି ଗୋପାଳପୁର-ତାଳଚେର ରେଳପଥ ପାଇଁ ୨୦୧୮-୧୯ ଆର୍ଥିକ ବର୍ଷ ବଜେଟ୍‌ରେ ସାମିଲ କରା ଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଏହି ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ୨୦୨୧-୨୨ରେ ଏହି ପ୍ରକଳ୍ପର ଫାଇନାଲ୍‌ ସର୍ଭେ କରିବାକୁ ଅନୁମତି ମିଳିଥିଲା। ଗୋପାଳପୁର-ରାୟଗଡ଼ା ରେଳପଥ ମଧ୍ୟ ଅଧାବାଟରେ ରହିଯାଇଛି। ପ୍ରାୟ ୨୮୫ ବିଶିଷ୍ଟ ଏହି ରେଳପଥ ପାଇଁ ୨୦୧୧-୧୨ରେ ସର୍ଭେ କରାଯାଇଥିଲା। ଏହି ରେଳପଥରେ ୨୫ଟି ଷ୍ଟେସନ୍‌ ରହିବ ବୋଲି ପ୍ରସ୍ତାବ ରହିଥିଲା। ଗତ ୨୦୧୫ରେ ରେଳ ମନ୍ତ୍ରଣାଳୟକୁ ସର୍ଭେ ରିପୋର୍ଟ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେହି ରିପୋର୍ଟ ନାଲିଫିତାରେ ବନ୍ଧା ହୋଇ ପଡ଼ି ରହିଛି।

କେବଳ ସେତିକି ନୁହେଁ, ଓଡ଼ିଶାରେ ରେଳଡବା କାରଖାନା ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଗତ ୨୦୧୧ ମସିହାରେ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି କ୍ରମେ ୨୦୧୧-୧୨ ବଜେଟ୍‌ରେ ଏହି ପ୍ରକଳ୍ପକୁ ସାମିଲ କରାଯାଇଲା। ଏହି ପ୍ରକଳ୍ପ ପାଇଁ ୨୦୧୨-୧୩ ଆର୍ଥିକ ବର୍ଷରେ ୧କୋଟି ଟଙ୍କା ମଂଜୁର କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ଠାରେ ପ୍ରାୟ ୧୦୧ ଏକର ଜମି ଚିହ୍ନଟ କରିଛନ୍ତି। ଦୀର୍ଘ ୧୦ବର୍ଷ ପରେ ମଧ୍ୟ ଏହି ପ୍ରକଳ୍ପର ରୂପରେଖ ଚୂଡ଼ାନ୍ତ ନହେବାରୁ ୨୦୨୧ ମେ' ମାସରେ ଏହି ପ୍ରକଳ୍ପକୁ ରେଳ ବିଭାଗ ତରଫରୁ ବାତିଲ କରାଯାଇଥିଲା।