କେନ୍ଦ୍ର ଓ ରାଜ୍ୟର ଅବହେଳା: ବିବାଦରେ ଅଟକିଛି ୩ ରେଳ ଓଭରବ୍ରିଜ

ଅନ୍ୟ ଦୁଇର କଚ୍ଛପ ଗତି,  ବଢ଼ୁଛି ଦୁର୍ଘଟଣା, ଯାଉଛି ଜୀବନ

ରାଉରକେଲା: ରାଉରକେଲା ସହରରେ ରେଳ ଫାଟକରେ ଲୋକଙ୍କ ଜୀବନ ଯିବା ନିତିଦିନିଆ ଘଟଣା ପାଲଟିଛି। ସହର ଦେଇ ଯାଇଥିବା ହାୱଡା-ମୁମ୍ବାଇ ରେଳ ଲାଇନ୍‌ରେ ସବୁବେଳେ ଅଧିକ ଟ୍ରାଫିକ୍‌ ରହୁଥିବାରୁ ଫାଟକ ପଡ଼ିଥିଲେ ହେଁ ଲୋକେ ଫାଟକ ଡେଇଁ ବା ତଳେ ଗଳି ପାର ହେଉଛନ୍ତି। ତେଣୁ ଅନେକ ସମୟରେ ସେମାନଙ୍କୁ ଜୀବନ ଦେବାକୁ ପଡୁଛି। ସହରରେ କୁକୁଡ଼ା ଗେଟ୍‌ ଭଳି ଏମିତି ବଡ଼ ରେଳ ଫାଟକ ରହିଛି, ଗହଳି ନଥିଲେ ବି ଯାହାକୁ ପାର୍‌ ହେବାଲାଗି ପ୍ରତି ଗାଡ଼ିକୁ ୫ ମିନିଟ୍‌ରୁ ଅଧିକ ସମୟ ଲାଗେ। ଫଳରେ ମଝିରେ ରେଳ ଲାଇନ୍‌ ଉପରେ ସ୍କୁଲ ବସ୍‌ ଥିବାବେଳେ ଦୁଇପଟର ଗେଟ୍‌ ପଡ଼ିଯିବା ଭଳି ଘଟଣା ମଧ୍ୟ ଘଟୁଛି। ତଥାପି ଅତ୍ୟାବଶ୍ୟକ ଥିବା ଓଭରବ୍ରିଜ୍‌ଗୁଡ଼ିକର ନିର୍ମାଣ ପାଇଁ କର୍ତ୍ତୃପକ୍ଷ ନିଷ୍ଠା ଦେଖାଉ ନାହାନ୍ତି। ଜବରଦଖଲ ହଟାଇବାଲାଗି ସ୍ଥାନୀୟ ପ୍ରଶାସନର ମଧ୍ୟ ବିଶେଷ ଆଗ୍ରହ ଦେଖାଉନାହିଁ।

ଉଲ୍ଲେକନୀୟ ଯେ ରାଉରକେଲା ସହର ଭିତରେ ନିର୍ମାଣ ହେବାକୁ ଥିବା ୮ଟି ରେଳ ଓଭରବ୍ରିଜ୍‌ (ଆର୍‌ଓବି) ମଧ୍ୟରୁ ମାତ୍ର ୩ଟି ଶେଷ ହୋଇଛି। ୨ଟି ଆର୍‌ଓବିର ମାତ୍ର ୧୦ % କାମ ଶେଷ ହୋଇଛି। ଅବଶିଷ୍ଟ ୩ଟି ଆର୍‌ଓବି କାମ ଆରମ୍ଭ ବି ହୋଇନି। ପ୍ରାୟ ୧୩ ବର୍ଷରୁ ଅଧିକ ହେବ ଏହି ସ୍ଥିତି ଅପରିବର୍ତିତ ରହିଛି। ଶିଳ୍ପାଞ୍ଚଳ କଲୁଙ୍ଗାସ୍ଥ ଆର୍‌ଓବି -୨୧୪ କାମ ପାଇଁ ଦୁଇ ଦୁଇଥର ଟେଣ୍ଡର ବାତିଲ ହୋଇଛି। ସମାନସ୍ଥିତି ଆର୍‌ଓବି -୨୧୫ରେ। ବର୍ଷ ବର୍ଷ ବିତିଯାଇଥିଲେ‌ ହେଁ ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡିଏ ମଧ୍ୟ ପଡ଼ିପାରି ନାହିଁ। ରାଉରକେଲାର ଜନଗହଳିପୂର୍ଣ୍ଣ ରେଳ ଫାଟକରେ ହେବାକୁ ଥିବା ଆର୍‌ଓବି -୨୦୯ ଜବରଦଖଲ ସମସ୍ୟାରେ ଅଟକିଛି। ରେଳବିଭାଗ ଓ ଜିଲ୍ଲା ପ୍ରଶାସନର ଉପଯୁକ୍ତ ସମନ୍ବୟ ଅଭାବରୁ ମାଲଗୋଦାମ ଆର୍‌ଓବି କାମ ଅଟକିଛି।

ରାଉରକେଲା-ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାର କୁକୁଡା ଗେଟ୍‌ ନିକଟରେ ଚାଲିଥିବା ଅତି ଗୁରୁତ୍ବପୁର୍ଣ୍ଣ ଆର୍‌ଓବି -୨୦୭ର ଦେଢ଼ବର୍ଷ ମଧ୍ୟରେ ମାତ୍ର ୧୦ % କାମ ପରେ ବନ୍ଦ ହୋଇଯିବା ଭଳି ମନେ ହେଉଛି। ଅବଶିଷ୍ଟ ୯୦% କାମ କେବେ ସରିବ, କାହାରି ପାଖରେ ଉତ୍ତର ନାହିଁ। କଲୁଙ୍ଗାସ୍ଥ ଆର୍‌ଓବି -୨୧୩ ର ନିର୍ମାଣ କାମ ମାତ୍ର ୧୫% ସରିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ରେଳବାଇର ଅବହେଳାରୁ ଦୈନିକ ଏହିସବୁ ରେଳ ଫାଟକରେ ଘଣ୍ଟା ଘଣ୍ଟା ଜାମ୍‌ ରହୁଛି। କାରଣ ରାଉରକେଲା ଦେଇ ଦୈନିକ ୧୫୦ରୁ ଅଧିକ ଏକ୍ସପ୍ରେସ୍‌ ଓ ପାସେଞ୍ଜର ସହ ମାଲଗାଡ ଯାତାୟତ କରୁଛି। ଗୁରୁତ୍ବପୂର୍ଣ୍ଣ କାମରେ ଯାଉଥିବା ଲୋକମାନେ ପଡ଼ିଥିବା ରେଳଫାଟକ ତଳେ ଗଳିକି ଯାଉଥିବାରୁ ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି। କୁକୁଡାଗେଟ୍‌, କଲୁଙ୍ଗା, ମାଲଗୋଦାମ ରେଳ ଫାଟକରେ ଟ୍ରେନ୍‌ ଧକ୍କାରେ ଅନେକ ଲୋକଙ୍କ ଜୀବନ ଯାଇଛି। ଅନେକ ଲୋକ ହାତଗୋଡ ହରାଇଛନ୍ତି। ଏହା ସତ୍ବେ ଉଭୟ ରେଳବିଭାଗ ଓ ଜିଲ୍ଲା ପ୍ରଶାସନ ଚୁପ୍‌ ବସିଛନ୍ତି। ବହୁ ଦାବି ପରେ ଗତ ୨୦୦୮ରେ ବାସନ୍ତୀ କଲୋନି ଆର୍‌ଓବି ନିର୍ମାଣ କାମ ଆରମ୍ଭ ହୋଇଥିଲା। ୫ ବର୍ଷ ପରେ ଅର୍ଥାତ୍‌ ୨୦୧୩ରେ ନିର୍ମାଣ କାମ ଶେଷ ହୋଇଥିଲା। ଏହା ପରେ ଏସ୍‌ଟିଆଇ, ଆଇଟିଆଇ ଆର୍‌ଓବି ନିର୍ମାଣ କାମ ହୋଇଥିଲା।

ଆର୍‌ଓବି -୨୧୧ (ଏସ୍‌ଟିଆଇ) ପାଇଁ ୪୦ କୋଟି ୬୫ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାର ବ୍ୟୟ ଅଟକଳ ବଢ଼ି ଯାଇଥିଲା। ଆର୍‌ଓବି- ୨୧୨ (ଆଇଟିଆଇ) ପାଇଁ ୪୩ କୋଟି କୋଟି ୪୨ ଲକ୍ଷ ଟଙ୍କା ମଧ୍ୟ ମଞ୍ଜୁର ହୋଇଥିଲା। ଆଇଟିଆଇ ନିର୍ମାଣ କାର୍ଯ୍ୟ ୨୫.୫.୨୦୧୭ ଏବଂ ଏସ୍‌ଟିଆଇ ନିର୍ମାଣ ୩.୧୧.୨୦୧୭ ସୁଦ୍ଧା ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ଦୁଇ ବର୍ଷ ପରେ ଅର୍ଥାତ୍‌ ୨୦୧୯ ଏସ୍‌ଟିଆ ଆର୍‌ଓବି ଲୋକାର୍ପିତ ହୋଇଥିଲା। ଆର୍‌ଓବି -୨୦୯ (ମାଲଗୋଦାମ) ଆର୍‌ଓବି ନିର୍ମାଣ ପାଇଁ ୪୬ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ୨୦୧୬ରୁ ଅର୍ଥ ମଞ୍ଜୁର ପାଇଁ ରେଳ ବିଭାଗ ପ୍ରସ୍ତାବ ଦିଆଯାଇଥିଲା। ଇତି ମଧ୍ୟରେ ଅର୍ଥ ମଞ୍ଜୁର ହୋଇଥିଲେ ହେଁ ବସ୍ତି ଉଚ୍ଛେଦ ବାଧକ ସାଜିଛି।

ଆର୍‌ଓବି -୨୦୭ ବନ୍ଧମୁଣ୍ଡା (କୁଡାଗେଟ୍‌) ନିର୍ମାଣ ପାଇଁ ୪୭ କୋଟି ୬୦ ଲକ୍ଷ ମଞ୍ଜୁର ହୋଇଛି। ଆର୍‌ଓବି -୨୧୨ (କଲୁଙ୍ଗା) ଆର୍‌ଓବି ପାଇଁ ୩୭କୋଟି ୬୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ କାମ କଚ୍ଛପ ଗତିରେ ଚାଲିଛି। ଆର୍‌ଓବି -୨୧୪ (ଆଇଡିସି) ନିର୍ମାଣ ପାଇଁ ୫୭ କୋଟି ୩୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଟଙ୍କା ପଡିଛି। ନିର୍ମାଣ ହେଉନି। ଆର୍‌ଓବି -୨୧୫ (କଲୁଙ୍ଗା) ନିର୍ମାଣ ପାଇଁ ୪୨ କୋଟି ୧୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ହେଁ କାମର ନାଁଗନ୍ଧ ନାହିଁ। ଉଲ୍ଲେଖଯୋଗ୍ୟ, ଗତ ୬୦ ଦଶକରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ହୋଇଥିଲା। ପରେ ଆର୍‌ଏସପି ରିଂ ରୋଡର ଦୁଇଟି ଆର୍‌ଓବି ନିର୍ମାଣ ହୋଇଥିଲା। ରେଳ ଫାଟକରେ ଟ୍ରାଫିକ ସମସ୍ୟା ପାଇଁ ଅନ୍ୟ ୮ ଆରଓବି ନିର୍ମାଣ ପ୍ରସ୍ତାବ ରହିଥିଲା। ସେ ୮ଟି ଆର୍‌ଓବିରୁ ମାତ୍ର ୩ଟି କାମ ଶେଷ ହୋଇଛି।

ସମ୍ବନ୍ଧିତ ଖବର