ଟିଟିଲାଗଡ଼: ଟିଟିଲାଗଡ଼ ପୌରାଧ୍ୟକ୍ଷାଙ୍କୁ ପୌର ନିର୍ବାହୀ ଅଧିକାରୀଙ୍କ ଉପେକ୍ଷା ଅଭିଯୋଗରେ ଆଜି ପୌର କାର୍ଯ୍ୟାଳୟ ପରିସରରେ ଅଭାବନୀୟ ଘଟଣା ଘଟିଥିଲା। ଅଭିମାନରେ ପୌରାଧ୍ୟକ୍ଷା ମମତା ଦେବୀ ଜୈନ କାର୍ଯ୍ୟାଳୟର ମୁଖ୍ୟ ଦ୍ୱାରଠାରେ ତଳେ ବସି ଫାଇଲ କାମ କରୁଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ପୌର କର୍ମଚାରୀଙ୍କ ସମେତ କାର୍ଯ୍ୟାଳୟକୁ ଆସିଥିବା ଲୋକେ ଚକିତ ହୋଇଥିଲେ।

Advertisment

ସୂଚନା ଅନୁଯାୟୀ, ସ୍ଥାନୀୟ ନବନିର୍ମିତ ମୁକ୍ତିଧାମ ଆବର୍ଜନାପୂର୍ଣ୍ଣ ହୋଇଥିବା ନେଇ ଦୁଇଦିନ ତଳେ ଶବଦାହ କରିବାକୁ ଯାଇଥିବା କିଛି ବୁଦ୍ଧିଜୀବୀ ପୌରାଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ସାମାଜିକ ଗଣମାଧ୍ୟମରେ ଏହି ଖବର ଘୂରିବୁଲିଥିଲା। ଏହାକୁ ନେଇ ଅଧ୍ୟକ୍ଷା ପୌର ନିର୍ବାହୀ ଅଧିକାରୀ ବିପିନ ଦୀପଙ୍କୁ ସ୍ଥିତି ଅନୁଧ୍ୟାନ କରିବା ସହ ପଦକ୍ଷେପ ନେବାକୁ କହିଥିଲେ। ତେବେ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପୌର ଅଧିକାରୀ ଅଧ୍ୟକ୍ଷାଙ୍କୁ ଆପଣ ଏଠାକାର ମାଲିକ ନୁହନ୍ତି ବୋଲି କହିବା ସହ ତାଙ୍କୁ ଉପେକ୍ଷା କରିଥିବା ନେଇ ଅଧ୍ୟକ୍ଷା ଅଭିଯୋଗ କରିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ତାଙ୍କୁ ବାରମ୍ବାର ଉପେକ୍ଷା କରାଯାଉଥିବା ଓ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟରେ ଅସହଯୋଗ କରୁଥିବା ଅଭିଯୋଗ କରିଥିଲେ। ଏନେଇ ଅଧ୍ୟକ୍ଷା ଏପରି ଏହି ଅଭିନବ ପ୍ରତିବାଦ କରିଥିଲେ। ପରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଦୀପ ନିଜ ପ୍ରକୋଷ୍ଠରୁ ବାହାରି ଅନ୍ୟ କର୍ମଚାରୀଙ୍କ ସହ ଆସି ତଳେ ବସିଥିବା ଅଧ୍ୟକ୍ଷାଙ୍କୁ କ୍ଷମା ମାଗି ତାଙ୍କୁ ଅଧ୍ୟକ୍ଷା ପ୍ରକୋଷ୍ଠକୁ ନେଇଥିଲେ। ଘଟଣାକୁ ନେଇ ପୌର ନିର୍ବାହୀ ଅଧିକାରୀଙ୍କ ମତାମତ ନିଆଯାଇଥିଲା। ସେ ଏହା ଏକ ମନୋମାଳିନ୍ୟ ହୋଇଥିବା ଓ ବର୍ତ୍ତମାନ ସବୁ ଠିକ୍‌ ହୋଇ ଯାଇଥିବା ପ୍ରକାଶ କରିଥିଲେ।