ଠେଙ୍ଗାରେ ପିଟି ପିଟି ମାମୁକୁ ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ଭଣଜା

ଗୁରୁଣ୍ଡିଆ : ବଡ଼ଦିନରେ ମାମୁକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ପରେ ଭଣଜା ଥାନାରେ ଆତ୍ମସମର୍ପଣ କରିଛି। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଲଚ୍ଛଡ଼ା କିଣ୍ଡ୍ରୋ ଗ୍ରାମରେ ଘଟିଛି। ଗତ ୨୫ ତାରିଖ ବଡ଼ଦିନ ପାଇଁ ଆଦିବାସୀ ଗ୍ରାମ କିଣ୍ଡ୍ରୋ ଉତ୍ସବ ମୁଖର ହୋଇଉଠିଥିଲା। ବଡ଼ଦିନ ପାଳନ ପାଇଁ ଜ୍ୱାକିମ୍ ସୋରେଙ୍ଗ(୬୦)ଙ୍କ ଘରକୁ ଭଣଜା ଜନ୍‌ପଲିକାର୍ ଟେଟେ(୩୯) ଆସିଥିଲା।

କୌଣସି କଥାକୁ ନେଇ ଉଭୟ ମାମୁ ଭଣଜାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ମାମୁଁ ରାଗିଯାଇ ଏକ ଠେଙ୍ଗାରେ ପ୍ରଥମେ ଭଣଜା ଜନ୍‌ପଲିକାରକୁ ଗୋଟିଏ ବାଡ଼ିରେ ପାହାର ମାରିଥିଲା। ମାଡ଼ ଖାଇ ଭଣଜା ସେଠାରୁ ଯାଇଥିଲା ସିନା ପ୍ରତିଶୋଧର ନିଆଁ ଜଳୁଥିଲା ମନରେ। ସୁଯୋଗ ଉଣ୍ଡି ମାମୁଁ ଘର ଆସିବା ସହ ଏକ ଠେଙ୍ଗାରେ ମାମୁ ଜ୍ବାକିମ୍‌ ସରୋଙ୍ଗଙ୍କୁ ବାରମ୍ବାର ପ୍ରହାର କରିଚାଲିଥିଲା ରାଗ ଶାନ୍ତ ହେବା ପର୍ଯ୍ୟନ୍ତ। ଠେଙ୍ଗା ମାଡ଼ରେ ଘଟଣାସ୍ଥଳରେ ହିଁ ଜ୍ବାକିମ୍‌ଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରେ ଶନିବାର ଦିନ ଜନ୍‌ପଲିକାର ଗୁରୁଣ୍ଡିଆ ଥାନାକୁ ଆସି ଆତ୍ମସମର୍ପଣ କରିଥିଲା। ପରେ ଗୁରୁଣ୍ଡିଆ ପୁଲିସ୍ ଘଟଣାସ୍ଥଳରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଭଣଜା ଜନପଲିକାରକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର