ନେମାଳରେ ଦେବସ୍ନାନ ଯାତ୍ରା ଓ ବାଲିମେଳା ମହୋତ୍ସବ ଉଦ୍‌ଯାପିତ

ନେମାଳ: ନିଶ୍ଚିନ୍ତକୋଇଲି ବ୍ଲକ୍‌ ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ଦେବସ୍ନାନ ଯାତ୍ରା ଓ ବାଲିମେଳା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ତିନିଦିନ ଧରି ଆୟୋଜିତ ଏହି ଉତ୍ସବରେ କଳସ ବିସର୍ଜନ, ପୀଠଶୋଧନ ଆଦି କାର୍ଯ୍ୟକ୍ରମ ଯଥାରୀତି ଅନୁଷ୍ଠିତ ହୋଇଥିଲା। ସେହିପରି ଚିତ୍ରୋତ୍ପଳା ବାଲୁକାଶଯ୍ୟାରେ ବାଲିମେଳା ମହୋତ୍ସବ ଆନନ୍ଦଉଲ୍ଲାସର ସହ ପାଳନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଉତ୍ସବରେ ସାମିଲ ହୋଇ ମହାପ୍ରଭୁ ଶ୍ରୀଅଚ୍ୟୁତାନନ୍ଦଙ୍କ ସାନ୍ନିଧ୍ୟ ଲାଭ କରିବା ସହ ବାଲିମେଳା ମହୋତ୍ସବରେ ବୁଲି ଘରକରଣା ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀ କିଣିଥିଲେ।

ରହିଲାନି ଅଙ୍କୁଶ
ଚଳିତବର୍ଷ ପବିତ୍ର ଦେବସ୍ନାନ ଉତ୍ସବ ଅବସରରେ ସ୍ଥାନୀୟ ଟ୍ରଷ୍ଟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଗ, ଦୀପ, ମାଳ ଓ ସାଇକଲ ଷ୍ଟାଣ୍ଡ ଲକ୍ଷାଧିକ ଟଙ୍କାରେ ନିଲାମ ଦିଆଯାଇଥିଲା। କିନ୍ତୁ, ନିଲାମଧାରୀଙ୍କ ଉପରେ କୌଣସି ଅଙ୍କୁଶ ଲଗାଯାଇ ନ ଥିବାରୁ ସେମାନେ ଭକ୍ତମାନଙ୍କ ନିକଟରୁ ମନଇଚ୍ଛା ଦର ନେଇଥିଲେ। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେହିପରି ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ଭୋଗ ଦୋକାନରୁ ଆରମ୍ଭ କରି ଦୀପ, ମାଳ ଓ ସାଇକେଲ ଷ୍ଟାଣ୍ଡରେ ଦୁଇଗୁଣା ଦର ଦେଇଥିବା ଅଭିଯୋଗ କରିଥିଲେ। ସେହିପରି ବାଲିଯାତ୍ରା ମହୋତ୍ସବରେ ବ୍ୟବସାୟୀମାନଙ୍କୁ ୧୦/୧୦ଫୁଟ୍ ଓ ବଡ଼ ବ୍ୟବସାୟୀଙ୍କୁ ଅତି ବେଶୀରେ ୩୦/୩୦ ଫୁଟ୍ ଜାଗା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଥିଲ। ହେଲେ, କେତେକ ବ୍ୟବସାୟୀଙ୍କୁ ଅନୁକମ୍ପା ଦେଖାଇ ୫୦/୫୦ ଫୁଟ୍‌ର ଜାଗା ପ୍ରଦାନ କରାଯାଇଥିଲା। ଏହାକୁ ନେଇ ବ୍ୟବସାୟୀ ଓ ଶ୍ରଦ୍ଧାଳୁ କ୍ଷୋଭ ପ୍ରକାଶ କରିଥିଲେ।

 

ଦେବସ୍ନାନ ଯାତ୍ରାରେ ପକେଟମାର୍‌ଙ୍କ ଦୌରାତ୍ମ୍ୟ
ପବିତ୍ର ଦେବସ୍ନାନ ଯାତ୍ରା ଅବସରରେ ରାଜ୍ୟ ତଥା ଓଡ଼ିଶା ବାହାରୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ସମୟରେ ଲୁଟେରାମାନେ ଭିଡ଼ର ସୁଯୋଗ ନେଇ ଲୁଟ୍‌ କରିଥିଲେ। ପୀଠ ଓ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ପକେଟମାର୍‌ମାନେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ମନିପର୍ସ ଓ ମୋବାଇଲ୍‌ ଲୁଟି ନେଇଥିଲେ। ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ପକେଟ୍‌ମାର୍‌ଙ୍କ ଶିକାର ହୋଇ ନାହିଁ ନ ଥିବା ହଇରାଣ ହୋଇଥିଲେ। ସ୍ଥାନୀୟ ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଇ ନ ଥିବା ଶ୍ରଦ୍ଧାଳୁମାନେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର