ଜମି ବାଡ଼ି ବିବାଦରୁ ଟାଙ୍ଗିଆରେ ହାଣି କକାକୁ ହତ୍ୟା କଲା ପୁତୁରା

କଣ୍ଟାବାଞ୍ଝି: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଦନ୍ଦରା ଗାଁରେ ଜମିବାଡ଼ି ମାଲିକାନାକୁ କେନ୍ଦ୍ର କରି ଅଶ୍ୱିନୀ ପାଢ଼ୀ(୩୨ ବର୍ଷ) ନାମକ ଜଣେ ଯୁବକ ତାଙ୍କ ୬୨ ବର୍ଷୀୟ କକା ରମେଶ ପାଢ଼ୀଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସଭାବେ ହତ୍ୟା କରିଛନ୍ତି। ହତ୍ୟା କରିସାରିବା ପରେ ଅଭିଯୁକ୍ତ ଅଶ୍ୱିନୀ ବଙ୍ଗୋମୁଣ୍ଡା ଥାନାରେ ଆତ୍ମ ସମର୍ପଣ କରିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଦନ୍ଦରା ଗାଁ ମନ୍ଦିର ପାଖ ଜମିକୁ ନେଇ ଅଶ୍ୱିନୀ ଓ ରମେଶଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଗତ ୨୫ ବର୍ଷ ହେବ ଏହି ବିବାଦ ଚାଲିଥିବାରୁ ଅଶ୍ୱିନୀ ଦାଦା ରମେଶଙ୍କ ଉପରେ ବିରକ୍ତ ହୋଇ ଯାଇଥିଲା। ଗତକାଲି ଅଶ୍ୱିନୀ ମଦ୍ୟପାନ କରି ଦାଦା ରମେଶଙ୍କୁ ଏକ ଟାଙ୍ଗିିଆରେ ହାଣିବା ପାଇଁ ଗୋଡ଼ାଇଥିଲା। ରମେଶ ତାଙ୍କୁ ନ ମାରିବା ପାଇଁ ନେହୁରା ହୋଇ ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଅଶ୍ୱିନୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଚୋଟ ପରେ ଚୋଟ ପକାଇ ଚାଲିଥିଲା। ଏପରିକି ତଳେ ପଡ଼ିଯିବା ପରେ ରମେଶ ହାତ ଯୋଡ଼ି ତାଙ୍କୁ ନ ମାରିବାକୁ ଅଶ୍ୱିନୀକୁ ଯେତେ ନେହୁରା ହେଲେ ମଧ୍ୟ ରକ୍ତମୁଖା ଅଶ୍ୱିନୀ କିଛି ନ ଶୁଣି ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ପରେ ଟାଙ୍ଗିଆ ସହିତ ଆସି ଅଶ୍ୱିନୀ ଥାନାରେ ଆତ୍ମ ସମର୍ପଣ କରିଥିଲା। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର